କେନ୍ଦୁଝର ଜିଲ୍ଲାର ତେଲକୋଇରେ ଟମାଟୋ କିଲୋ ଏକ ଟଙ୍କା, ଭୁବନେଶ୍ୱରରେ କିଲୋ ୨୦ ଟଙ୍କା

ଭୁବନେଶ୍ୱର: ଟମାଟୋ କିଲୋ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ୧ ଟଙ୍କା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କିଲୋ ପିଛା ୨୦ଟଙ୍କା ହୋଇଛି। ଭୁବନେଶ୍ୱରରର କିଛି ବଜାରରେ ଟମାଟୋ କିଲୋ ପିଛା ୨୪ ଟଙ୍କା ମଧ୍ୟ ବିକ୍ରି ହେଉଛି। ପନିପରିବାର ଋତୁ ହୋଇଥିଲେ ମଧ୍ୟ ଟମାଟୋ କିଲୋ ଏତେ ମହଙ୍ଗା ସ୍ତରରେ ପହଂଚିଛି ଯେ, ଲୋକେ ମନଇଚ୍ଛା ଟମାଟୋ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହି ଅଂଚଳର ଟମାଟୋ ଚାଷୀ ଶୁକ୍ରବାର ପ୍ରଶାସନ ପ୍ରତି ଅସନ୍ତୁଷ୍ଟ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପରିମାଣରେ ଟମାଟୋ ଢାଳିଛନ୍ତି।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଂଚଳରେ ୧୦ ଟଙ୍କାରେ ଅଢ଼େଇ କିଲୋ ଟମାଟୋ ମିଳୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏବେ ଟମାଟୋ କିଲେ ୫ଟଙ୍କା ରହିଛି। ଚାଷୀମାନେ ଗତ ବର୍ଷ ମଧ୍ୟ ଅଭାବୀ ବିକ୍ରି ଯୋଗୁଁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟମାଟୋ ଢାଳିଥିଲେ।

ତେଲକୋଇ ଅଂଚଳରେ ବ୍ୟାପକ ପରିମାଣରେ ଟମାଟେ ଚାଷ କରାଯାଇଛି। ଏଗୁଡ଼ିକ ବିକ୍ରି କରିବା ପାଇଁ ସ୍ଥାନୀୟ ଚାଷୀ ହନ୍ତସନ୍ତ ହେଉଛନ୍ତି। ନିକଟରେ ବଡ଼ ବଜାର ନଥିବାରୁ କ୍ଷୁଦ୍ର ଚାଷୀମାନେ ତାଙ୍କର ଫସଲକୁ ଦୂରରେ ଥିବା ବଜାରକୁ ପହଂଚାଇ ପାରୁ ନାହାନ୍ତି। ସେହିଭଳି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟମାଟୋ କିଣି ସେଗୁଡ଼ିକ ଅନ୍ୟତ୍ର ବିକ୍ରି କରିବାରେ ବ୍ୟବସ୍ଥା କରାଯାଉ ନାହିଁ।

ଚାଷୀମାନଙ୍କର ଅଭିଯୋଗ ଯେ, ଟମାଟୋ ଚାଷ ଆରମ୍ଭରୁ ଫସଲ ଉତ୍ପାଦନ ଯାଏଁ ଯେତେ ଟଙ୍କା ଖର୍ଚ୍ଚ ହେଉଛି, ସେତିକି ଟଙ୍କା ଟମାଟୋ ବିକ୍ରି କରି ସେମାନେ ପାଉ ନାହାନ୍ତି। ବିହନ, ସାର, ଔଷଧ, ଚାଷରେ ପାଣି ମଡ଼ାଇବା ଆଦିରେ ବହୁ ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ସତ୍ତ୍ୱେ ଚାଷୀ କିଲୋ ପିଛା ୧ ଟଙ୍କାରେ ଟମାଟୋ ବିକ୍ରି କରୁଥିବାରୁ ଶେଷରେ ଉପାୟ ନପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଢାଳିଛନ୍ତି।

ସମ୍ବନ୍ଧିତ ଖବର