କୁଚିଣ୍ଡା: ଆମ ସମାଜରୁ ଦିନକୁ ଦିନ ମାନବିକତା ମରିଯାଉଛି କହିଲେ ଭୁଲ ହେବ ନାହିଁ। ଅସୁବିଧାର ସାମ୍ନା କରିଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବା ବଦଳରେ କିଛି ଲୋକ ଏହି ସୁଯୋଗରୁ ବ୍ୟକ୍ତିଗତ ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି। ରାଜରାସ୍ତାରେ ବିଭିନ୍ନ ସ୍ଥାନରେ ଅନେକ ସମୟରେ ଯାନବାହାନ ଦୁର୍ଘଟଣାଗ୍ରସ୍ତ କାରଣରୁ ଲୋକେ ଆହତ ହେଉଥିବା ବେଳେ, ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇବା ପାଇଁ କିଛି ଲୋକ ଉଦ୍ୟମ କରିଥାନ୍ତି। କିନ୍ତୁ ଆହୁରି ଅନେକ ଲୋକ ଦୁର୍ଘଟଣାଗ୍ରସ୍ତ ଯାନବାହନରେ ଥିବା ଜିନିଷପତ୍ର ଚୋରି କରୁଥିବା ନଜିର ମଧ୍ୟ ରହିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଧୀନ ବଡ଼ରମା ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଟମାଟୋ ବେଝେଇ ଟ୍ରକ୍‌ ଓଲଟି ପଡ଼ିବା ପରେ ଲୋକେ ବିଲାତି ବୋହିବା ଆରମ୍ଭ କରିଦେଇଥିଲେ।

Advertisment

ରାଜ୍ୟରେ ବର୍ତ୍ତମାନ ସମୟରେ ଟମାଟୋ ଉତ୍ପାଦନ ହେଉନାହିଁ। ତେଣୁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ଧର୍ମ ମାସ କାର୍ତ୍ତିକ ଚାଲିଥିବାରୁ ଟମାଟୋ ସହିତ ଅନ୍ୟ ପନିପରିବା ଦର ବଢ଼ିଛି। ଟମାଟୋ କିଲୋ ପିଛା ୪୦ରୁ ୫୦ ଟଙ୍କା ବିକ୍ରି ହେଉଛି। ଏଭଳି ଦର ବୃଦ୍ଧି ସମୟରେ ଟମାଟୋ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ‌େଳେ ସ୍ଥାନୀୟ ଅସାଧୁ ‌ଲୋକଙ୍କୁ ସୁବିଧା ମିଳି ଯାଇଛି। 

publive-image

ସୂଚନା ଅନୁସାରେ ଆଜି ସକାଳୁ ସମ୍ବଲପୁରରୁ ଜମନକିରା ଅଭିମୁଖେ ଏକ ‌ଟମାଟୋ ବୋଝେଇ ଟ୍ରକ୍‌ ଯାଉଥିଲା। ଏହି ଟ୍ରକ୍‌ଟି  ଜମନକିରା ଥାନା ବଡରମା ନିକଟ ଆମ୍ବଲାଙ୍ଗ ସ୍ଥିତ ପିଠାମାରେନ ବୁଲାଣି ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାର ସାମ୍ନା କରିଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ବସ୍ତା, ବ୍ୟାଗ ଓ ଟ୍ରେ’ ଆଣି ଟମାଟୋ ବୋହିବା ଆରମ୍ଭ କରିଦେଇଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଜମନକିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଉଭୟ ଡ୍ରାଇଭର ଓ ହେଲ୍‌ପରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।