ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କା ଯୋଗୁଁ ଦୁଇ ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ମୃତ; ଅନ୍ୟ ଜଣେ ଆହତ

ବାହାନଗା: ଶୁକ୍ରବାର ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ଗୋଟାଏ ବାଇକ୍‌କୁ ଧକ୍କା ଦେବାରୁ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତବ୍ୟକ୍ତିମାନେ ହେଉଛନ୍ତି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଅସୁରାଳୀ ଅଞ୍ଚଳର ଚନ୍ଦନ ରାଉତ ଓ ନେଞ୍ଜରା ଅଞ୍ଚଳର ସୀମାରାଣୀ ସ୍ୱାଇଁ। ଆହତ ଯାତ୍ରୀଜଣକ ନେଞ୍ଜରା ଅଞ୍ଚଳର ସ୍ୱପ୍ନା ଜେନା।

ହିରୋ ଗ୍ଲାମର୍‌ ବାଇକ୍‌ ଯୋଗେ ଏମାନେ ୧୬ ନମ୍ବର ଜାତୀୟ ରାଜପଥରେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଯାଉଥିବେଳେ ଛପୋଲିଆ ନିକଟରେ ବିଲାତିବାଇଗଣ ନେଇ ଆସୁଥିବା ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ପଛରୁ ଧକ୍କା ଦେଇଥିଲା। ଧକ୍କା ଖାଇ ତିନି ଜଣ ବାଇକ୍‌ରୁ ଛିକିଟି ରାସ୍ତାରେ ପଡ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଥିଲେ।

ମୃତାହତଙ୍କୁ ଏନ୍‌ଏଚ୍‌ ଆମ୍ବୁଲାନ୍‌ସ୍‌ ଯୋଗେ ସୋର ଡାକ୍ତରଖାନାକୁ ଅଣାଯାଇଛି।

ସମ୍ବନ୍ଧିତ ଖବର