କୋଲାରରେ ଅଦିନିଆ ବର୍ଷା, ନାସିକ୍‌ରେ ଫସଲ ନଷ୍ଟ: ଓଡ଼ିଶାରେ ହୁ ହୁ ବଢ଼ୁଛି ଟମାଟୋ ଦର

ଜାନୁଆରିରେ ୨ ଟଙ୍କା ଥିଲା; ଏବେ ୭୦
ବଡ଼ ପ୍ରଭାବ ପକାଉଛି ଡିଜେଲ ଦର ବୃଦ୍ଧି
ଦୀପାବଳି ପରେ ସାମାନ୍ୟ କମିପାରେ ଦର

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ପରିବା ବଜାରରେ ଟମାଟୋ କିଲୋ ପିଛା ଏବେ ୬୦ରୁ ୭୦ ଟଙ୍କା ଛୁଇଁଲାଣି। ଫଳରେ ଘରଠୁ ନେଇ ହୋଟେଲ ଯାଏ ତରକାରି ଓ ସାଲାଡ୍‌ରୁ ଗାଏବ ହୋଇଗଲାଣି ଟମାଟୋ। ଡିଜେଲ ଦର ବୃଦ୍ଧି ସାଙ୍ଗକୁ କର୍ଣ୍ଣାଟକର କୋଲାର ଏବଂ ନାସିକର ପିପଳ ଗାଁରେ ଫସଲ ନଷ୍ଟ ଯୋଗୁଁ ରାଜଧାନୀ ସମେତ ସାରା ଓଡ଼ିଶାରେ ଟମାଟୋ ଦର ଏମିତି ହୁ ହୁ ହୋଇ ବଢ଼ିବାରେ ଲାଗିଛି।

ରାଜ୍ୟ କୃଷି ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ରବି ଋତୁରେ ପର୍ଯ୍ୟାପ୍ତ ପରିମାଣରେ ଟମାଟୋ ଉତ୍ପାଦିତ ହୁଏ। ପ୍ରତିକୂଳ ପାଗ ଦୃଷ୍ଟିରୁ ଅନ୍ୟ ସମୟରେ ଟମାଟୋ ଚାଷ ସମ୍ଭବ ନଥିବାରୁ ଏପ୍ରିଲରୁ ସେପ୍ଟେମ୍ବର ୬ ମାସ ପର୍ଯ୍ୟନ୍ତ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ବାଧ୍ୟ ହୋଇଥାଏ। ଚଳିତ ବର୍ଷର ବିଳମ୍ବିତ ବର୍ଷା ଯୋଗୁଁ ବାହାର ରାଜ୍ୟରେ ଫସଲ ନଷ୍ଟ ହେବା ଫଳରେ ଅକ୍ଟୋବରରେ ମଧ୍ୟ ଟମାଟୋର ଦରବୃଦ୍ଧି ଜାରି ରହିଛି।

ରାଜଧାନୀର କୁବେରପୁରୀ ବ୍ୟବସାୟୀ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶାକୁ ଦୈନିକ ୧ ହଜାର ଟନ୍‌ ଟମାଟୋ ଆସୁଥିବାବେଳେ କେବଳ ଭୁବନେଶ୍ବରକୁ ୨୦୦ ଟନ୍‌ ଟମାଟୋ ଆସୁଛି। ଏଠାକାର ମୁଖ୍ୟ ହୋଲସେଲ୍‌ ମାର୍କେଟ୍ ଆଇଗିଣିଆ ବଜାରରୁ ଅବିଭକ୍ତ ପୁରୀ, କଟକ ଜିଲ୍ଲାର ବାଙ୍କି, କନ୍ଧମାଳ ଓ ଗଂଜାମ ଜିଲ୍ଲାର କିଛି ଅଂଶକୁ ଟମାଟୋ ପଠାଯାଉଛି। ହୋଲସେଲ୍‌ରେ ଏହାର ମୂଲ୍ୟ ୨୦ରୁ ୨୫ ଟଙ୍କା ରହିଥିବାବେଳେ ଖୁଚୁରା ବଜାରରେ କିନ୍ତୁ ଦର ଦୁଇଗୁଣାରୁ ଅଧିକ ରହୁଛି। ଏହାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ କର୍ଣାଟକରୁ ଆସୁଥିବା ଓଦା ଟମାଟୋ ଶୀଘ୍ର ଖରାପ ହୋଇ ଯାଉଛି। କୋଲାରରେ ଅଦିନିଆ ବର୍ଷାରେ ସୃଷ୍ଟି ଲୋଡିଂ ସମସ୍ୟା ଯୋଗୁଁ ଖରାପ ଟମାଟୋ ରାଜଧାନୀ ବଜାରକୁ ପ୍ରବେଶ କରୁଥିବା କହିଛନ୍ତି କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ମିଶ୍ର। ଅନ୍ୟପକ୍ଷରେ ଚଳିତ ବର୍ଷ ଯେଉଁଭଳି ଭାବରେ ଡିଜେଲ ଦର ବୃଦ୍ଧି ପାଉଛି, ଏହା ମଧ୍ୟ ପରୋକ୍ଷରେ ଗ୍ରାହକଙ୍କ ପକେଟକୁ ମାଡ଼ କରୁଛି। ପରିବା ବୋଝେଇ ଯେଉଁ ଗାଡ଼ି ପାଇଁ ଆଗରୁ ୮୦ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା, ଚଳିତ ବର୍ଷ ଏହା ୧ ଲକ୍ଷ ଟଙ୍କାରେ ପହଞ୍ଚିଥିବା ସଂଘ କହିଛି। ତେବେ ଦୀପାବଳି ପରେ ରାୟପୁରରୁ ଟମାଟୋ ଆସିବା ଆରମ୍ଭ ହେଲେ ଦର ସାମାନ୍ୟ କମିବ ବୋଲି ଆଶା ରହିଛି। ଡିସେମ୍ବର ପରେ ବ୍ୟାପକ ପରିମାଣରେ ଓଡ଼ିଶା ଟମାଟୋ ଆସିଗଲେ, ଦର ଯଥେଷ୍ଟ କମିବ ଏବଂ ଗ୍ରାହକଙ୍କୁ ଆଉ ବାଧିବ ନାହିଁ।

କୃଷି ବିଭାଗ ଅନୁସାରେ, ଶୀତ ଋତୁରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ ଉତ୍ପାଦିତ ହୁଏ। ସେପ୍ଟେମ୍ବର ମାସ ୧୫ ତାରିଖରେ ବର୍ଷା ଛାଡ଼ିବା ପରେ କୋରାପୁଟ, କେନ୍ଦୁଝର, ପୁରୀର କିଛି ଅଣଧାନ ଚାଷୀ ସେପ୍ଟେମ୍ବର ଶେଷ ସପ୍ତାହରେ ଆଗୁଆ ତଳି ପକାନ୍ତି। ଅକ୍ଟୋବର ଶେଷ ସପ୍ତାହରୁ ନଭେମ୍ବର ପର୍ଯ୍ୟନ୍ତ ଟମାଟୋ ଫଳାନ୍ତି ଏବଂ ଭଲ ଲାଭ ମଧ୍ୟ କରନ୍ତି। କିନ୍ତୁ ରାଜ୍ୟର ପ୍ରାୟ ୯୦ ଭାଗ ଧାନ ଚାଷୀ ଅକ୍ଟୋବର ମାସ ଶେଷ ସପ୍ତାହରୁ ନଭେମ୍ବର ୧୫ ପର୍ଯ୍ୟନ୍ତରେ ଧାନ କାଟିବା ପରେ ଟମାଟୋ ଚାଷ କରନ୍ତି। ଫଳରେ ଡିସେମ୍ବର ୧୫ରୁ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାପକ ପରିମାଣରେ ଟମାଟୋ ବଜାରକୁ ଆସିଯାଏ। ଫଳରେ ବେଳବେଳେ ଟମାଟୋ ଦର ୨/୩ ଟଙ୍କାଙ୍କୁ ବି ଖସିଯାଏ। ଏପରିକି ଚାଷୀ ନିଜ କଷ୍ଟ ଉପାର୍ଜିତ ଟମାଟୋକୁ ବଜାରକୁ ନ ନେଇ ଗାଈଗୋରୁକୁ ଦେଇଦିଏ। ଅପରପକ୍ଷରେ ଜାନୁଆରି ୧୫ରୁ ଫେବ୍ରୁଆରି ୧୫ ମଧ୍ୟରେ ଟମାଟୋ ଚାଷ କରୁଥିବା ଚାଷୀ ଭଲ ଲାଭ କରନ୍ତି। ଫେବ୍ରୁଆରି ୧୫ ତାରିଖ ପରେ ମଧ୍ୟ କିଛି ଚାଷୀ ଟମାଟୋ ଚାଷ କରନ୍ତି। ମାତ୍ର ଖରାରେ ଏହା ଭଲ ଫଳ ଦିଏ ନାହିଁ। ତେଣୁ ଚାଷୀ ବିଶେଷ ଲାଭ ପାଏ ନାହିଁ। ଚାହିଦା ବୃଦ୍ଧି ଦୃଷ୍ଟିରୁ ଏବେ ବର୍ଷାଦିନରେ ବି କେନ୍ଦୁଝର, ଫୁଲବାଣୀ ଏବଂ କୋରାପୁଟର ସୀମିତ ଗଡ଼ାଣିଆ ଜମିରେ ଟମାଟୋ ଚାଷ କରାଯାଉଛି। ଖରା ଏବଂ ବର୍ଷା ଦିନରେ ସର୍ବାଧିକ ଟମାଟୋ ବାଙ୍ଗାଲୋରରୁ ଆସିଥାଏ।

ବିଡ଼ମ୍ବନାର ବିଷୟ ହେଲା‌, ଆଳୁ ଓ ପିଆଜ ଭଳି ରାଜ୍ୟରେ ଟମାଟୋ ଚାଷକୁ ନେଇ ସ୍ବତନ୍ତ୍ର ଯୋଜନା ନାହିଁ। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସୀମିତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ଜାତୀୟ ଉଦ୍ୟାନ କୃଷି ମିସନ ପକ୍ଷରୁ ସଙ୍କର ଜାତୀୟ ପରିବା ଚାଷ ପାଇଁ କିଛି ମନୋନୀତ ଚାଷୀଙ୍କୁ ହେକ୍ଟର ପିଛା ୨୦ ହଜାର ଟଙ୍କା ଦିଆଯାଏ। ଶୀତଳଭଣ୍ଡାରରେ ନାଲି ଟମାଟୋ ସର୍ବାଧିକ ୭ ଦିନ ଏବଂ ପାଚି ନ ଥିବା ଟମାଟୋ ୧୩ରୁ ୧୫ ଦିନ ରହିଥାଏ। ତେଣୁ ଏହାକୁ ବେଶି ଦିନ ସଂରକ୍ଷିତ କରାଯାଇ ପାରେନାହିଁ। ତେଣୁ ବର୍ଷ ତମାମ ଟମାଟୋ ଉତ୍ପାଦନ ଜରିଆରେ ହିଁ ଦରବୃଦ୍ଧି ନିୟନ୍ତ୍ରିତ ହୋଇ ପାରିବ ବୋଲି କୃଷି ବିଶେଷଜ୍ଞ କହନ୍ତି।

ସମ୍ବନ୍ଧିତ ଖବର