କେନ୍ଦୁଝର : ବାଡ଼ିରେ ବିଲାତି ପାଚି ଗଡ଼ୁଛି। ବିକ୍ରି ମୂଲ୍ୟଠାରୁ ପରିବହନ ଖର୍ଚ୍ଚ ବଳେଇ ଯାଉଛି। ଉପଯୁକ୍ତ ମୂଲ୍ୟରେ ବିକ୍ରି ପାଇଁ ବଜାର ନାହିଁ କି ସଂରକ୍ଷଣ କରି ରଖିବାକୁ ଶୀତଳଭଣ୍ଡାର ବ୍ୟବସ୍ଥା ମଧ୍ୟ ନାହିଁ। ବିଲାତି ପ୍ରକ୍ରିୟାକରଣ ଶିଳ୍ପ ‘ବିଲାତି ଓଡ଼ିଶା’ ଚାଷୀଙ୍କ କାମରେ ଆସୁନି। ସ୍ଥାନୀୟ ବଜାରରେ ବିଲାତି କିଲୋ ମାତ୍ର ଦୁଇଟଙ୍କା ଥିବାରୁ କେନ୍ଦୁଝର ଜିଲ୍ଲାରେ ପୁଣି ରାସ୍ତାରେ ଢାଳିବା ପରି ସମୟ ଆସିଗଲାଣି। ଏହାକୁ ନେଇ ଚାଷୀ ଚିନ୍ତାରେ। ଲାଲ୍ ଟହଟହ ବିଲାତି ଫଳାଇଥିବା ଚାଷୀ ଏବେ ହତାଶ। ଭଲ ଦି’ ପଇସା ରୋଜଗାର କରିବା ଆଶାରେ ଧାରଉଧାର କରି ବିଲାତି ଚାଷ କରିଥିଲେ। ଏବେ ବିକିବା ବେଳକୁ ଉଚିତ୍ ମୂଲ୍ୟ ମିଳୁନି। ଏବେ କିଲୋ ପ୍ରତି ୨ ଟଙ୍କାରେ ବିକିବା ବେଳକୁ ଚାଷୀଙ୍କ ହାତ ଯାଉନି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲା ସଦର ବ୍ଲକର ମହାଦେଇଯୋଡ଼ା ପଞ୍ଚାୟତ ପନିପରିବା ଚାଷରେ ବେଶ୍ ଆଗୁଆ। ଏ ବର୍ଷ ପଞ୍ଚାୟତର ମହାଦେଇଯୋଡ଼ା, ଟକରପଡ଼ା, ଡାଳିମ୍ବାଡିହି, ମହାନ୍ତସାହି, ଶିମିଳି ସାହି ଆଦି ଗ୍ରାମରେ ପାଖାପାଖି ୫୦ ଏକରରରୁ ଊର୍ଦ୍ଧ୍ବ ଜମିରେ ବିଲାତି ଚାଷ ହୋଇଥିଲା। ଚାଷ ବେଳେ ଧାର କରଜ କରିଥିବା ଚାଷୀମାନେ ଅମଳ ପରେ ଶୁଝିବାକୁ ଲକ୍ଷ୍ୟ ରଖିଥିଲେ। ଏବେ ସେ ଲକ୍ଷ୍ୟ ପୂରଣ ହେବ ନାହିଁ ବୋଲି ସେମାନେ କହିଛନ୍ତି। କାରଣ ବିଲାତି ଯେଉଁ ମୂଲ୍ୟରେ ବିକ୍ରି ହେବା କଥା, ତାହା ହେଉନାହିଁ। ଏକ ପ୍ଲାଷ୍ଟିକ୍ ଟ୍ରେରେ ବିଲାତି ଭର୍ତ୍ତି ହେଲେ ପାଖାପାଖି ୨୫ ରୁ ୨୮ କେଜି ଓଜନ ହେଉଛି। ଏହି ଟ୍ରେ ଭର୍ତ୍ତି ବିଲାତିକୁ ଏମାନେ ମାତ୍ର ୫୦ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ଗୋଟିଏ ଟ୍ରେ ଭର୍ତ୍ତି ବିଲାତି ତୋଳିବା ପାଇଁ ପାଖାପାଖି ୨୦ ଟଙ୍କା ଖର୍ଚ୍ଚ ହେଉଛି। ଅଟୋ ଯୋଗେ ବଜାର ନେଲେ ଆଉ ୩୦ ଟଙ୍କା ଖର୍ଚ୍ଚ ହେଉଛି। ଫଳତଃ ଏହି ବିଲାତି ବିକ୍ରି କରିବାକୁ ବଜାର ଗଲେ ଫେରିବା ବେଳକୁ ହାତ ଖାଲି ତ ବିକ୍ରି ନ କଲେ ବିଲରେ ନଷ୍ଟ ହେଉଛି। ଏଭଳି ସ୍ଥିତିରେ ସ୍ଥାନୀୟ ଅ˚ଚଳର ବିଲାତି ଚାଷୀ ଏବେ ମୁଣ୍ତରେ ହାତ ଦେଇ ବସିଛନ୍ତି।