କେନ୍ଦୁଝର : ବିଲାତି ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ବିଲାତି ସଂଗ୍ରହ କରି ଏହାର ପ୍ରକ୍ରିୟାକରଣ କରି ବିକ୍ରି କରିବା ଉଦ୍ଦେଶ୍ୟରେ କେନ୍ଦୁଝରରେ ପ୍ରତିଷ୍ଠା ହୋଇଥିଲା ବିଲାତି ଓଡ଼ିଶା କମ୍ପାନି। ଏହି କମ୍ପାନି ନିଜର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପରେ ମୁଖ୍ୟତଃ କେନ୍ଦୁଝର ଓ ଏହାର ଆଖପାଖ ଜିଲ୍ଲାର ବିଲାତି ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଥିଲା। ଏହା ପ୍ରତିଷ୍ଠା ହେବାର ମାତ୍ର କେଇ ବର୍ଷ ମଧ୍ୟରେ ପରିଚାଳନାଗତ ଅବ୍ୟବସ୍ଥା ଓ ପ୍ରାଶାସନିକ ସହଯୋଗ ଅଭାବରୁ ଅସମୟରେ ବନ୍ଦ ହୋଇଗଲା ପ୍ଲାଣ୍ଟ।
କେନ୍ଦୁଝର ଏକ ପାହାଡ଼ିଆ ଅଞ୍ଚଳ। କମ୍ ପାଣିରେ ହେଉଥିବା ବିଲାତି ଚାଷ କରିବାକୁ ଏଠାକାର ଚାଷୀ ଆଗ୍ରହ ପ୍ରକାଶ କରିଥାନ୍ତି। ଧାନ ଅମଳ ପରେ ଚାଷୀମାନେ ବିଲାତି ଲଗାଇଥାନ୍ତି। ଖରାଦିନେ ପ୍ରଚୁର ଅମଳ ଯୋଗୁଁ ବିଲାତି ମୂଲ୍ୟ କିଲୋ ପ୍ରତି ଟଙ୍କାଏ/ଦୁଇଟଙ୍କାକୁ ଖସି ଆସିଥାଏ। ଫଳରେ ଚାଷୀ ବିଲାତି ଚାଷ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ପାଇନଥାଏ। କେନ୍ଦୁଝର ଜିଲ୍ଲାରେ ପ୍ରଚୁର ବିଲାତି ଅମଳକୁ ଲକ୍ଷ୍ୟ ରଖି ୧୯୯୫ ମସିହା ମେ ୧ ତାରିଖରେ ସଦର ବ୍ଲକ୍ ରଘୁନାଥପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ପ୍ରତିଷ୍ଠା ହୋଇଥିଲା ବିଲାତି ଓଡ଼ିଶା। ସରକାରୀ ଓ ବେସରକାରୀ ସହଭାଗିତାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ଏସିଆ ମହାଦେଶର ଏହି ସର୍ବବୃହତ୍ ବିଲାତି ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣରେ ସେତେବେଳେ ୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ପ୍ରତ୍ୟକ୍ଷଭବେ ୪୦ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ପରୋକ୍ଷରେ ୪୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି କର୍ମନିଯୁକ୍ତି ପାଇଥିଲେ। ଏଠାରେ ବିଲାତିରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତିଆରି କରାଯାଇ ଦେଶର ବିଭିନ୍ନ ଅଞ୍ଚଳ ଏପରିକି ବିଦେଶକୁ ମଧ୍ୟ ପଠା ଯାଉଥିଲା। ଏହି ପ୍ଲାଣ୍ଟକୁ ଦୃଷ୍ଟିରେ ରଖି ସଦର ଓ ଘଟଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବିଲାତି ଚାଷ ଆରମ୍ଭ ହୋଇଥିଲା। ମଥୁରାପଶି, ଦାଣ୍ଡିପଶି, ଗୋପାଳପୁର, ପୋଇପାଣି, ତୋରାଣିପୋଖରୀ, ଦ୍ବାରିକାପଶି, ସରାସପଶି, ହଳଧରପୁର, ଡୁମୁରିଆ, ମହାଦେଇଯୋଡ଼ା, ଟିକରପଡ଼ା, ଆମ୍ବୁଆପଶି, ଚାନ୍ଦପଶିର ଚାଷୀମାନେ ବିଲାତି ଚାଷ କରି ଲାଭବାନ ହେଉଥିଲେ।
୨୦୦୬ ମସିହା ପରେ କମ୍ପାନିର ଉତ୍ପାଦନ ଧୀରେ ଧୀରେ ହ୍ରାସ ପାଇଲା। ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଶେଷରେ କମ୍ପାନି ବନ୍ଦ ହୋଇଗଲା। ସ୍ଥାନୀୟ ଚାଷୀ ଓ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ ଯୋଗୁଁ ୨୦୧୩ ମସିହାରେ ମାତ୍ର ମାସକ ପାଇଁ ଏହି କମ୍ପାନି କାର୍ଯ୍ୟକ୍ଷମ ହୋଇଥିଲା। ପରେ ପୁଣି ଏହା ବନ୍ଦ ହୋଇଯାଇଥିଲା। ଏକଦା ଜାତୀୟସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି କମ୍ପାନିର କୋଟି କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବାକି କାରଣରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହି ପ୍ଲାଣ୍ଟ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ପାଚେରି ଭାଙ୍ଗି ହାତୀପଲ ପ୍ଲାଣ୍ଟ ଭିତରେ ପଶୁଥିବାରୁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶ ନଷ୍ଟ ହୋଇଗଲାଣି। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ବିଲାତି ଓଡ଼ିଶାକୁ ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣାଧୀନ କରିବାକୁ ଉଦ୍ୟମ କରଥିଲେ। ମାତ୍ର ସେ ସଫଳ ହୋଇନଥିଲେ। ସରକାରୀସ୍ତରରେ ଏହି ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବାପାଇଁ ଉଦ୍ୟମ କରାଗଲେ କେନ୍ଦୁଝର ଜିଲ୍ଲାର ହଜାର ହଜାର ବିଲାତି ଚାଷୀ ଲାଭବାନ ହୋଇପାରିବେ।