ରାଉରକେଲା: ପରିବା ବଜାରରେ ଖାଉଟିଙ୍କୁ ନାଲି ଆଖି ଦେଖାଇଲାଣି ନାଲି ଟମାଟୋ। ଗତ ସପ୍ତାହ ପୂର୍ବରୁ କେଜି ପ୍ରତି ଦର ୩୦ରୁ ୪୦ ଟଙ୍କା ଥିଲା। ଏବେ ଖୁଚୁରା ବଜାରରେ କେଜି ପ୍ରତି ୮୦ରୁ ୯୦ ଟଙ୍କାରେ ବିକ୍ରି ହେଲାଣି। ଆଗାମୀ ଦିନରେ କେଜି ପ୍ରତି ଦର ୧୦୦ରୁ ୧୨୦ ଟଙ୍କାକୁ ଛୁଇଁବ ବୋଲି କିଛି ବ୍ୟବସାୟୀମାନେ କହିଛନ୍ତି। ହଠାତ୍ ଟମାଟୋର ଏପରି ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି। ରାଜ୍ୟର ପ୍ରମୁଖ ସହରରେ ପରି ସ୍ମାର୍ଟସିଟି ରାଉରକେଲାରେ ଟମାଟୋର ଦର ଉଚ୍ଚା ରହିଛି। ହୋଲ୍ସେଲ୍ ବଜାରରେ କେଜି ପ୍ରତି ଦର ୭୦ରୁ ୭୫ ଟଙ୍କା ରହିଥିବାରୁ ଖୁଚୁରା ବଜାରରେ ବ୍ୟବସାୟୀମାନେ ୮୦ରୁ ୯୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପୂର୍ବରୁ ଯେଉଁ ଖାଉଟିମାନେ ୧ କିଲୋ, ଦୁଇ କିଲୋ ଘରକୁ ନେଉଥିଲେ। ସେମାନେ ଏବେ ୫୦୦ ଗ୍ରାମ୍ ନେଉଛନ୍ତି। ଫଳରେ ପୂର୍ବାପେକ୍ଷା ସହରର ପ୍ରମୁଖ ବଜାରରେ ଟମାଟୋ ବିକ୍ରି ଢ଼େର କମିଛି।
ସହରର ସର୍ବପୁରାତନ ମାର୍କେଟ ସେକ୍ଟର-୧୯ ଇସ୍ପାତ ମାର୍କେଟ, ଟ୍ରାଫିକ୍ ଗେଟ୍ ସମେତ ମୁଣ୍ଡା ମାର୍କେଟ, ସେକ୍ଟର-୧୯ ଡେଲିମାର୍କେଟ, ପାନପୋଷ ଏନ୍ଏସି ମାର୍କେଟ, ଛେଣ୍ଡ ଭିଏସ୍ଏସ୍ ପରିବା ବଜାର, ଝିରପାଣି, କଳିଙ୍ଗ ବିହାର, ବେଦବ୍ୟାସ, ବନ୍ଧମୁଣ୍ଡା, ଫର୍ଟିଲାଇଜର ଆଦି ପରିବା ବଜାରରେ ଟମାଟୋ କେଜି ପ୍ରତି ୮୦ରୁ ୯୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଦରବୃଦ୍ଧି ଆହୁରି ୧୫ ଦିନ ପର୍ଯ୍ୟନ୍ତ ରହିବ ବୋଲି ବ୍ୟବସାୟୀମାନେ କହିବା ପରେ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି। ଟ୍ରାଫିକ୍ ପରିବାର ବଜାର ବ୍ୟବସାୟୀ ସୁରତ ସାହୁ, ମୁଣ୍ଡା ମାର୍କେଟର ରତ୍ନାକର ନାୟକଙ୍କ କହିବାନୁଯାୟୀ ପୂର୍ବରୁ ଟମାଟୋ କେଜି ପ୍ରତି ୪୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଓଡ଼ିଶାରେ ଟମାଟୋ ଉତ୍ପାଦନ ବନ୍ଦ ରହିଥିବାରୁ ହୋଲ୍ସେଲ୍ ବ୍ୟବସାୟୀମାନେ ନାସିକ୍, ବାଙ୍ଗାଲୋର, ରାଇପୁର ଆଦି ସହରର ଟମାଟୋ ମଗାଉଛନ୍ତି। ସେଠାରେ ଉଚ୍ଚା ଦର ଥିବାରୁ ଏହାର ସିଧାସଳଖ ଖୁଚୁରା ବଜାର ଉପରେ ପଡୁଛି। ଖାଉଟିମାନେ ଟମାଟୋ କିଣିବାକୁ ଏତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି।
ପୂର୍ବରୁ ଯେଉଁମାନେ କେଜିଏ ଲେଖାଏଁ ନେଉଥିଲେ, ସେମାନେ ଏବେ ୨୫୦ ଗ୍ରାମ୍ରେ ଚଳାଇଦେଉଛନ୍ତି। ଖାଉଟି ନେଉ ଥିବାରୁ କିଛି ଖୁଚୁରା ବେପାରୀ ଟମାଟୋକୁ ଛାଡି ଅନ୍ୟ ପନିପରିବା ବିକ୍ରି କରୁଛନ୍ତି। କେବଳ ଟମାଟୋ ନୁହେଁ ଅନ୍ୟ ପରିବା ଦର ମଧ୍ୟ ଆକାଶ ଛୁଆଁ ହେବାକୁ ଯାଉଛି। ଯଦି ଆଗାମୀ ଦିନରେ ଲଗାଣ ବର୍ଷା ଜାରି ରହେ, ଓଡ଼ିଶାରୁ ଉତ୍ପାଦନ ବନ୍ଦ ହୋଇଯାଏ, ପରିବା ବଜାରରେ ପରିବା ଦର ଆକାଶ ଛୁଆଁ ହେବ। ସେପଟେ ଦରବୃଦ୍ଧି ନିୟନ୍ତ୍ରଣ ସରକାରଙ୍କ ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।