ଟମାଟୋ ପ୍ରକ୍ରିୟାକରଣ ଶିଳ୍ପ ଚିନ୍ତା

ଟମାଟୋ ଝଡ଼, ଆଳୁ ଦର ବୃଦ୍ଧି ନେଇ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ସମ୍ବାଦରେ ପ୍ରକାଶିତ ‘କ୍ଷେତ ଖାଉଛି ଟମାଟୋ’ ଶୀର୍ଷକ ଖବର ବିଧାନସଭାରେ ଝଡ଼ ସୃଷ୍ଟି କରିଥିଲା। ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ। ଏହି ପ୍ରସଙ୍ଗ ନେଇ ଗୃହ ଅଚଳ ବି ହୋଇପଡ଼ିଥିଲା। ଏ ନେଇ ଗତ ଶୁକ୍ରବାର ଦିନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ ହୋଇଥିଲା। ବୈଠକରେ ସୋମବାର ଦିନ(ଆଜି) ସରକାର ଉତ୍ତର ରଖିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଆଜି ଗୃହରେ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଉତ୍ତର ଦିଆଯାଇନଥିଲେ ବି ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ଟମାଟୋ ସାଙ୍ଗକୁ ଆଳୁ ଦର ବୃଦ୍ଧି ସଂପର୍କରେ ସମୀକ୍ଷା କରିଥିଲେ।

ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଟମାଟୋର ଅଭାବ ବିକ୍ରି ଦୂର କରିବା ପାଇଁ ତା’ର ପ୍ରକ୍ରିୟାକରଣ ନିମନ୍ତେ ପଦକ୍ଷେପ ନିଆଯାଉଛି। ଟମାଟୋ ସସ୍‌ ବା ଜେଲି ପ୍ରସ୍ତୁତ ନିମନ୍ତେ କିଛି ପ୍ରସ୍ତୁତକାରୀ ସଂସ୍ଥା ସହିତ ମଧ୍ୟ ପ୍ରାରମ୍ଭିକ ଆଲୋଚନା ହୋଇଛି। ଏ ସଂପର୍କରେ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଚାରିଦିନ ଭିତରେ ବିଭାଗ ବୈଠକର ଆୟୋଜନ କରି ସଂପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିବ। ରାଜ୍ୟରେ ଉତ୍ପାଦିତ ଟମାଟୋର ଆସ୍ତରଣ ସାଧାରଣତଃ ପତଳା ଏବଂ ସେଥିରେ ଅଧିକ ଜଳୀୟ ଅଂଶ ରହୁଥିବାରୁ ଉନ୍ନତମାନର ଟମାଟୋ ଉତ୍ପାଦନ ପାଇଁ କୃଷି ବିଭାଗ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଥିଲେ।

ରାଜ୍ୟରେ ଆଳୁ ଦର ବୃଦ୍ଧି ହୋଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସ୍ୱୀକାର କରିଥିଲେ। କିଛି ଦିନ ତଳେ ଏହାର ଦର କିଲୋ ପିଛା ୮ରୁ ୧୦ ଟଙ୍କା ଥିଲା। ବର୍ତମାନ ଏହା ପ୍ରାୟ ୧୪ରୁ ୧୫ ଟଙ୍କା। କିନ୍ତୁ ସେପ୍ଟେମ୍ବର, ଅକ୍ଟୋବର ମାସ ବେଳକୁ ଏହାର ମୂଲ୍ୟ ୪୦ ଟଙ୍କା ଛୁଇଁବାର ଆଶଙ୍କା ରହିଥିବା ସେ କହିଥିଲେ। ଆଜି ଏ ନେଇ ବୈଠକରେ ଆଲୋଚନା ହୋଇଥିଲା। ଆଳୁ ଅଭାବ ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ୩୦ରୁ ୪୦ କୋଟି ଟଙ୍କାର ଆଳୁ କିଣିବେ। ସେହି ଆଳୁ ଗଚ୍ଛିତ ରଖାଯିବ। ଆଳୁର ଅତ୍ୟଧିକ ଦର ବୃଦ୍ଧି ବେଳେ ଏହାକୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଆଳୁ ମିସନ କୁଆଡ଼େ ଗଲା ବୋଲି ପଚାରିବାରୁ ସେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଦର୍ଶାଇ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।

ସୂଚନାଯୋଗ୍ୟ, ଓଡ଼ିଶାରେ ଆଳୁର ବାର୍ଷିକ ଚାହିଦା ବର୍ଷକୁ ୧୨ ଲକ୍ଷ ମେଟ୍ରିକ ଟନ୍‌। ରାଜ୍ୟରୁ ମାତ୍ର ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦିତ ହୁଏ। ଅବଶିଷ୍ଟ ୯ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ। ଏଣୁ, ଆଳୁ ଉତ୍ପାଦନରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ୨୦୧୪-୧୫ରେ ଆଳୁ ମିସନ ଗଠନ କରାଯାଇଥିଲା। ୨୦୧୮-୧୯ ସୁଦ୍ଧା ମିସନ ଜରିଆରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ସ୍ଥାପନ କରାଯାଇଥିଲା। କିନ୍ତୁ ଏବେ ଆଳୁ ମିସନର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଠପ୍‌। ପ୍ରତିବର୍ଷ ଆଳୁର ବଫର ଷ୍ଟକ୍‌ କରିବା ଯୋଜନାରୁ ମଧ୍ୟ ସରକାର ଗତ ଦୁଇବର୍ଷ ହେଲା ଓହରି ଆସିଲେଣି। ଏଣୁ,ଯେତେବେଳେ ଉଭୟ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶରେ ଆଳୁର ଉତ୍ପାଦନ ଭଲ ହୁଏ, ସେହି ବର୍ଷରେ ଆଳୁ ଚିନ୍ତା କାହାରିକୁ ଘାରି ନ ଥାଏ। କିନ୍ତୁ ଆଗାମୀ ଦିନରେ ଆଳୁ ଅଭାବ ଉତ୍କଟ ହେବାର ଚିତ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିବୃତିରୁ ମିଳୁଛି।

ସମ୍ବନ୍ଧିତ ଖବର