ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅଞ୍ଚଳରୁ ଡ୍ରାଇଭରକୁ କାବୁ କରି ଟ୍ରକ୍ ଲୁଟ୍ ହୋଇଥିଲା। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତ ରେଡ଼ାଖୋଲ ଥାନା ସାନନୂଆପଡା ଗ୍ରାମର ତୁଷାର ସ୍ବାଇଁ (୨୫), ଯୁଯୁମୁରା ଥାନା ବିଶିଟିକିରା ଝାଙ୍କରପାଲିର ସତ୍ୟନାରାୟଣ ମିର୍ଦ୍ଧା (୨୨) ଓ ଧନୁପାଲି ଥାନା ଅଇଁଲାପାଲି ନକ୍ସାପାଲିର ସୁଦାମ ଭୋଇ (୧୮)ଙ୍କୁ ପୁଲିସ ଗିରଫ କରିଛି।
ଛତିଶଗଡ଼ ବାଗବର ଥାନା ଅଞ୍ଚଳର ଛତସରାଇରୁ ଏକ ଟ୍ରକ୍ (ସିଜି ୧୪ ଏମଆର ୭୧୬୧) ଟମାଟୋ ନେଇ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଞ୍ଚଳକୁ ଯାଉଥିଲା। ଗୁରୁବାର ରାତିରେ ଏହି ତିନି ଜଣ ଅଭିଯୁକ୍ତ ଏକ ସ୍କୁଟି (ଓଡି ୧୫ ଏଚ ୯୯୮୩) ରେଡ଼ାଖୋଲ କଦଳୀଗଡ ରାସ୍ତାରେ ପିଛା କରି ଟ୍ରକ୍କୁ ଅଟକାଇ ଥିଲେ। ଏହା ପରେ ସେମାନଙ୍କମ ଧ୍ୟରୁ ଦୁଇ ଜଣ ଟ୍ରକ ଭିତରକୁ ଯାଇ ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଚକମ ଦେବା ସହିତ ମାଡ଼ପିଟ କରିଥିଲେ। ଏପରିକି ଛୁରିରେ ଡ୍ରାଇଭରଙ୍କ ହାତ ଓ ଛାତିରେ ଅଘାତ କରିଥିଲେ। କଦଳୀଗଡ଼ରେ ସେମାନେ ଡ୍ରାଇଭରଙ୍କୁ ଟ୍ରକ୍ରୁ ଠେଲି ଦେଇଥିଲେ। ଫଳରେ ଚାଳକ ରେଢ଼ାଖୋଲ ଥାନାକୁ ଆସି ଏ ବାବଦରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ। ଅଭିଯୁକ୍ତମାନେ ଟ୍ରକ୍କୁ ନେଇ ଶିଶୁପନ୍ନ ଅଞ୍ଚଳକୁ ଚାଲିଯାଇ ଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଶିଶୁପନ୍ନ ଅଞ୍ଚଳକୁ ଯାଇଥିଲା। ତେବେ ଅଭିଯୁକ୍ତମାନେ ପୁଲିସକୁ ଦେଖି ଟ୍ରକ୍ ଛାଡ଼ି ଫେରାର ମାରିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେମାନଙ୍କୁ ପିଛା କରି ହାତୀବାହାଳ ଛକ ନିକଟରୁ ଗିରଫ କରିଛି। ଶୁକ୍ରବାର ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଟମାଟୋ ବୋଝେଇ ଟ୍ରକ, ବ୍ୟବହୃତ ସ୍କୁଟି ଓ ଛୁରିକୁ ପୁଲିସ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest.jpg)