ଟମାଟୋ ବଢ଼ାଇଲା ଚାଷୀଙ୍କ ଚିନ୍ତା : କେଜି ୨ରୁ ୩ ଟଙ୍କାରେ ବିକ୍ରି, ଖର୍ଚ୍ଚ ଭରଣା ହେଉନି

ରିଆମାଳ : ଚାଷ ଓ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। କିନ୍ତୁ ଚାଷୀ ଫସଲରେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। ବଜାରରେ ଟମାଟୋ କିଲୋ ପ୍ରତି ୨ ରୁ ୩ ଟଙ୍କା ମୂଲ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଟମାଟୋ ଚାଷରେ ରିଆମାଳ ବ୍ଲକ୍‌ର ଜିଲ୍ଲା ଓ ଜିଲ୍ଲା ବାହାରେ ପରିଚୟ ରହିଛି। ଧାନ ଚାଷ ପରେ ଚାଷୀମାନେ ଟମାଟୋ ଚାଷ କରି ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଟମାଟୋ ଚାଷରେ ଦୀର୍ଘ ଦୁଇ ମାସ ଧରି ଚାଷୀ ପରିଶ୍ରମ କରିଥାନ୍ତି। ଚାଷୀଙ୍କୁ ଏକ କିଲୋ ଟମାଟୋ ଅମଳ ପାଇଁ ୨୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଚଳିତବର୍ଷ ବ୍ଲକର ରିଆମାଳ, କୁଣ୍ଢେଇଗୋଳା, ବୁଢାପାଳ, କରଲଗା, ମଳେହିପଡା, ତାରଙ୍ଗ, ବୁଡିଦୋ, ଆଡ଼ସ, ଚଢେଇମରା, ନାଉଲିପଡା, ଟିଙ୍କବୀର, ତାବଡ଼ା ପଞ୍ଚାୟତ ସମେତ ଅନ୍ୟ ସ୍ଥାନରେ ଏକର ଏକର ଜମିରେ ଚାଷୀ ଉନ୍ନତମାନର ଟମାଟୋ ଚାଷ କରିଛନ୍ତି। ଚାଷୀ ଅମଳ ଟମାଟୋକୁ ରିଆମାଳ, ଟିଙ୍କବୀର, ରେଙ୍ଗାଳବେଡା, ଛତାବର, କୁଣ୍ଢେଇଗୋଳା ସାପ୍ତାହିକ ବଜାରକୁ ଆଣିଥାନ୍ତି। ତେବେ ଏଠାରେ ଟମାଟୋ କିଲୋ ପ୍ରତି ୨ରୁ ୩ ଟଙ୍କାରେ ବିକ୍ରି ହେଉଥିବାରୁ ଚାଷୀମାନେ ଖର୍ଚ୍ଚ କରିଥିବା ଟଙ୍କା ନ ପାଇ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ ଟମାଟୋ ବିକ୍ରି କରୁଥିବା ଚାଷୀମାନେ କହିଛନ୍ତି। ଏହି ଚାଷ ପାଇଁ ଋଣ କରିଥିବା ଟଙ୍କା କିପରି ପରିଶୋଧ କରିବେ ଏବେ ସେ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। ଅଭାବୀ ବିକ୍ରିକୁ ରୋକିବା ସହ ଉପଯୁକ୍ତ ମୂଲ୍ୟରେ ଟମାଟୋ ବିକ୍ରିର ସୁବିଧା କରିବା ପାଇଁ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର