ଭୁବନେଶ୍ୱର: ରାତି ପାହିଲେ ନିର୍ବାଚନ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୫ ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ମତଦାନ ପାଇଁ ପ୍ରସ୍ତୁତି ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୦୫ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷୀ । ୨୬୫ ଜଣ ବିଧାୟକ ପ୍ରାର୍ଥୀ ଏବଂ ୪୦ ଜଣ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ କରିବେ ୭୬ ଲକ୍ଷ ୬୯ ୮୮୯ ଭୋଟର । ୧୧ ଜିଲ୍ଲାରେ ୯ ହଜାର ୧୬୨ ବୁଥରେ ମତଦାନ ହେବ । ସେଥିରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୁଲିସ ଫୋର୍ସ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହେବେ ।
ମୁଖ୍ୟମନ୍ତ୍ରୀ ଲଢ଼ୁଥିବା ଦୁଇଟି ଯାକ ବିଧାନସଭା ଆସନ, ହିଞ୍ଜିଳି ଓ କଂଟାବାଞ୍ଜିରେ ଏହି ପର୍ଯ୍ୟାୟ ଭୋଟ୍ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଜୁଏଲ ଓରାମ, ନିରଂଜନ ପୂଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୂଜାରୀ ଏବଂ ସୁଶାନ୍ତ ସିଂହଙ୍କ ଭଳି ତୁଙ୍ଗ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ମୈଦାନରେ ପ୍ରାର୍ଥୀ ଥିବା ୩ ସାଂସଦ ଏବଂ ୨୮ ବିଧାୟକଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।