ଆସନ୍ତାକାଲି ନେତାଜୀଙ୍କ ୧୨୫ତମ ଜୟନ୍ତୀ : ସାମ୍‌ନାକୁ ଆସିଲା ୬୦ ବର୍ଷ ତଳର ସ୍ମୃତି

ନେତାଜୀଙ୍କ ଝିଅ ଅନିତା, ପୁତୁରା ପ୍ରଦୀପ ଆସିଥିଲେ ଶେଖ୍‌ ବଜାର
ପସନ୍ଦ କରୁଥିଲେ ସମ୍ବଲପୁରୀ ଶାଢୀ; ଜଗନ୍ନାଥଙ୍କୁ ଭକ୍ତି କରୁଥିଲେ

କଟକ, (ଚିରଂଜୀବ କର) : ଗୋଟିଏ ଦିନ ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ସାରାଦେଶରେ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହିଭଳି, କଟକରେ ମଧ୍ୟ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ସ୍ମୃତି ସହ ଯୋଡ଼ି ହୋଇଥିବା ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇପଡ଼ିଛି। ଏପରିସ୍ଥ‌େଳ, ଏକ ଷ‌ାଠିଏ ବର୍ଷ ତଳର ଏକ ସ୍ମୃତି ସାମ୍‌ନାକୁ ଆସିଛି। ଏହି ସ୍ମୃତି ପ୍ରତ୍ୟକ୍ଷ ଭାବେ ନେତାଜୀଙ୍କ ସହିତ ନୁହେଁ, ତାଙ୍କ ପରିବାର ସହିତ ଯୋଡ଼ିହୋଇଛି।

୬୦ ବର୍ଷ ତଳେ ନେତାଜୀଙ୍କ ଏକମାତ୍ର ଝିଅ ଅନିତା ବୋଷ ଓ ତାଙ୍କ ପୁତୁରା ପ୍ରଦୀପ ବୋଷ କଟକ ଆସିଥିଲେ। ସେଦିନ ଥିଲା ୧୯୬୧, ଜାନୁଆରି ୧୨ ତାରିଖ । ଶେଖବଜାର ଦୁର୍ଗାଘର ନିକଟରେ ରହୁଥିବା ଧୀରେନ୍ଦ୍ରନାଥ ସୁରଙ୍କ ଘରେ ପହଞ୍ଚି ଥିଲେ ଅନିତା ଓ ପ୍ରଦୀପ ବୋଷ। ଧୀରେନ୍ଦ୍ରନାଥ ଥିଲେ ସେହି ସମୟରେ ରାଜ୍ୟର ଜଣେ ପ୍ରତିଷ୍ଠିତ ବିଲଡର‌୍‌। ପୂର୍ବରୁ ତାଙ୍କର ଆଇନଜୀବୀ ଥିଲେ ନେତାଜୀଙ୍କ ବାପା ଜାନକୀନାଥ ବୋଷ। ସେହି କାରଣରୁ ଉଭୟଙ୍କ ମଧ୍ୟରେ ନିବିଡ ପାରିବାରିକ ସମ୍ପର୍କ ଥିଲା। ଅନିତା ଓ ପ୍ରଦୀପ ଶେଖବଜାର ଘରେ ପହଞ୍ଚିବା ପରେ ଧୀରେନ୍ଦ୍ରଙ୍କ ଡ୍ରଇ˚ ରୁମ୍‌ରେ ଥିବା ନେତାଙ୍କ ଏକ ଫଟୋରେ ପ୍ରଥମେ ଫୁଲମାଳ ପିନ୍ଧାଇ ଥିଲେ। ରାତି ପ୍ରାୟ ୯ଟା ଯାଏ ଧୀରେନ୍ଦ୍ରଙ୍କ ପରିବାର ସହିତ ଉଭୟ ସମୟ ଅତିବାହିତ କରିଥିଲେ। ଅନିତାଙ୍କ ପସନ୍ଦ ଜାଣିଥିବା ଧୀରେନ୍ଦ୍ର ତାଙ୍କୁ ଏକ ସମ୍ବଲପୁରୀ ଶାଢ଼ୀ ଓ ବଡ଼ ଜଗନ୍ନାଥ ମୂର୍ତ୍ତି ଉପହାର ସ୍ବରୂପ ଦେଇଥିଲେ। ସେହି ଘରେ ହିଁ ଅନିତାଙ୍କୁ ଉକ୍ତ ଶାଢ଼ୀ ଧୀରେନ୍ଦ୍ରଙ୍କ ବଡ଼ ଝିଅ ଲିଲି ସୁର‌୍‌ ଓ ମଝିଆ ଝିଅ ମିଲି ସୁର‌୍‌ ପିନ୍ଧାଇ ଦେଇଥିଲେ। ନେତାଜୀଙ୍କ ସଂପର୍କରେ ଧୀରେନ୍ଦ୍ରଙ୍କ ସହିତ ସେମାନେ ଦୀର୍ଘସମୟ ଆଲୋଚନା କରିଥିଲେ। ରାତ୍ରି ଭୋଜନରେ ଅନିତାଙ୍କ ପସନ୍ଦ ମୁତାବକ ଖାଦ୍ୟ ପଲଉ, ମଟନ୍‌, ରାବିଡ଼ି, ମିଠା, ଚିଙ୍ଗୁଡ଼ି, ଭେକ୍‌ଟି ମାଛ କଟଲେଟ୍‌, ଫିସ୍‌ ଚପ୍‌ ଭଳି ପ୍ରାୟ ୧୦ରୁ ୧୫ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ରାତି ପ୍ରାୟ ୯ଟା ବେଳକୁ ଅନିତା ଓ ପ୍ରଦୀପଙ୍କୁ ଏକ କାର‌୍‌ରେ ଧୀରେନ୍ଦ୍ର କଟକ ରେଳଷ୍ଟେସନରେ ନେଇ ଛାଡ଼ିଥିଲେ। କଲିକତାରୁ କଟକ ଯାଉଥିବା ଟ୍ରେନ୍‌ ‘ପୁରୀ ଏକ୍ସପ୍ରେସ୍‌’ରେ ସେମାନେ କଲିକତା ଫେରିଯାଇଥିଲେ। ଧୀରେନ୍ଦ୍ରନାଥ ସେତେବେଳେ ସଚିବାଳୟ, କ୍ୟାପିଟାଲ୍‌ ହସପିଟାଲ୍‌, ବଡ଼ ମେଡିକାଲ୍‌ର ପୁରୁଣା ବ୍ଲକ, ସହିଦ ଭବନ, ରାଣୀହାଟ ଦ୍ବିତୀୟ ପୋଲ ଇତ୍ୟାଦି ନିର୍ମାଣ କରି ଖ୍ୟାତି ଅର୍ଜନ କରିଥିଲେ।

କଟକ ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସ˚ଗ୍ରହାଳୟକୁ ଧୀରେନ୍ଦ୍ରନାଥଙ୍କ ନାତି ବିଶ୍ବଜିତ୍‌ ସୁର ଆଜି ଅନିତା ଓ ପ୍ରଦୀପଙ୍କ ଗସ୍ତ ସମୟର ୮ଟି ଫଟୋ ଦାନ କରିଛନ୍ତି। ଏହି ଫଟୋଗୁଡ଼ିକ ବିଶ୍ବଜିତ୍‌ଙ୍କ ଘରେ ଫଟୋ ଆଲବମରେ ସାଇତା ହୋଇ ରହିଥିଲା। ଏଥିରେ ରାତ୍ରୀଭୋଜନଠାରୁ ଆରମ୍ଭ କରି ଏକାଠି ବସି ଆଲୋଚନା କରିବା ଓ ଅନିତା ସମ୍ବଲପୁରୀ ଶାଢ଼ୀ ପିନ୍ଧିବାର ଫଟୋ ରହିଛି। ସ˚ଗ୍ରହାଳୟ ପକ୍ଷରୁ ଏକ କମିଟିର ଅନୁମୋଦନକ୍ରମେ ଆସନ୍ତା ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ସ˚ଗ୍ରହାଳୟର ୧୧ ନମ୍ବର ଗ୍ୟାଲେରୀରେ ଏହା ସ୍ଥାନିତ ହେବାର ଯୋଜନା ରହିଛି। ଏହି ଗ୍ୟାଲେରିରେ ପୂର୍ବରୁ ନେତାଜୀଙ୍କ ପରିବାର ସଦସ୍ୟଙ୍କ ଫଟୋ ପ୍ରଦର୍ଶିତ ହୋଇ ଆସୁଛି।

ସ୍ବର୍ଗତ ଧୀରେନ୍ଦ୍ରନାଥ ସୁରଙ୍କ ଚତୁର୍ଥ ପୁତ୍ର ଗୋପାଳ ସୁର‌୍‌ଙ୍କ କହିବା ଅନୁଯାୟୀ, ସେଦିନର ସବୁ ଘଟଣା ଆଜି ବି ମନେଅଛି। ବାପାଙ୍କର ଆମେ ୫ ପୁଅ ଓ ୪ ଝିଅଙ୍କୁ ମିଶାଇ ପରିବାରର ପ୍ରାୟ ୩୦ ଜଣ ସେଦିନ ତାଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ରହିଥିଲୁ। ନେତାଜୀଙ୍କ ଝିଅ ଆସିଥିବାରୁ ସେ ସମୟରେ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ, ସହର ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ବି ଘରକୁ ଆସିଥିଲେ।

ସମ୍ବନ୍ଧିତ ଖବର