ଆଜି ଆର୍‌ଏସ୍‌ପି ସ୍ୱୀକୃତି ନିର୍ବାଚନ, ଚଳଚଞ୍ଚଳ ଇସ୍ପାତ ସହର

ନିର୍ବାଚନ ମଇଦାନରେ ୧୧ ଶ୍ରମିକ ସଂଗଠନ

ରାଉରକେଲା: ରାତି ପାହିଲେ ଆର୍‌ଏସ୍‌ପି ସ୍ୱୀକୃତି ନିର୍ବାଚନ। ଆନୁଷ୍ଠାନିକଭାବେ ପ୍ରଚାର ସବୁ ବନ୍ଦ ହେଲାଣି। ମାରାଥନ ପ୍ରଚାର ସାଙ୍ଗକୁ ଭୋଜିଭାତ ବି ଶେଷ ହେଲାଣି। ତଥାପି ଚଳଚଞ୍ଚଳ ହୋଇପଡ଼ିଛି ଇସ୍ପାତ ସହର। ଏଥର କିଏ ବାଜିମାତ୍‌ କରିବ? କାହାକୁ ଏଥରେ ବାଛିବେ କର୍ମଚାରୀ? ଏସବୁ ପ୍ରଶ୍ନ ଏବେ ଭୋଟର୍‌ଙ୍କଠାରୁ ଆରମ୍ଭ କରି ଶ୍ରମିକ ସଂଗଠନ ପର୍ଯ୍ୟନ୍ତ; ସମସ୍ତଙ୍କ ମନରେ ଉଙ୍କିମାରୁଛି। ଆସନ୍ତାକାଲି(ସୋମବାର) ସକାଳୁ ଭୋଟ୍‌ଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଅପରାହ୍ନରେ ଭୋଟ୍‌ ଗଣତି ସଂପନ୍ନ ହେବ। ତେବେ ଫଳ ସ୍ଥଗିତ ରହିବ। କାରଣ ନିର୍ବାଚନକୁ ନେଇ ଏକ ଶ୍ରମିକ ସଂଗଠନ କୋର୍ଟରଦ୍ବାରସ୍ଥ ହେବାପରେ ଫଳାଫଳ ସ୍ଥଗିତ ରଖିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

dnaindia.com

ଏଥର ନିର୍ବାଚନ ମଇଦାନକୁ ମୋଟ୍‌ ୧୧ଟି ଶ୍ରମିକ ସଂଗଠନ ଓହ୍ଲାଇଛନ୍ତି। ସେଗୁଡ଼ିକ ହେଲା- ଆମ୍‌ ମଜଦୁର ସଂଗଠନ, ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ, ହିନ୍ଦୁସ୍ତାନ ଷ୍ଟିଲ୍‌ ୱାର୍କର୍ସ‌୍ ଆସୋସିଏସନ, ଲୌହ ମଜଦୁର ୟୁନିଅନ, ନର୍ଥ୍‌ ଓଡ଼ିଶା ୱାର୍କର୍ସ‌୍ ୟୁନିଅନ, ରାଉରକେଲା ଇସ୍ପାତ କର୍ମଚାରୀ ସଂଘ, ରାଉରକେଲା ମଜଦୁର ସଭା, ରାଉରକେଲା ଶ୍ରମିକ ସଂଘ, ରାଉରକେଲା ଷ୍ଟିଲ ମଜଦୁର ୟୁନିଅନ, ରାଉରକେଲା ୱାର୍କର୍ସ‌୍ ୟୁନିଅନ ଓ ଷ୍ଟିଲ ଏମ୍ପ୍ଲଇଜ୍‌ ଟ୍ରେଡ୍‌ ୟୁନିଅନ। ଚଳିତ ନିର୍ବାଚନରେ ମୋଟ୍‌ ୧୧ ହଜାର ୫୮ ଜଣ ଆର୍‌ଏସ୍‌ପି କର୍ମଚାରୀ ମତଦାନ କରିବେ। ମତଦାନ ପାଇଁ ମୋଟ୍‌ ୧୬ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ କାରଖାନା ଭିତରେ ୧୪ଟି ବୁଥ୍‌ ଥିବାବେଳେ ଅନ୍ୟ ଦୁଇଟି ବୁଥ୍‌-ଆର୍‌ଏସ୍‌ପି ସହରାଞ୍ଚଳର ଇସ୍ପାତ ଜେନେରାଲ ହସପିଟାଲ ଓ ସହରସେବା କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ଭୋଟଦାନ ପ୍ରକ୍ରିୟା ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ସେକ୍ଟର-୧୮ ସ୍ଥିତ ଇସ୍ପାତ ବିଦ୍ୟାଳୟ ପରିସରରେ ଭୋଟ୍‌ ଗଣତି କରାଯିବ। ନିର୍ବାଚନ ପାଇଁ ଉପମୁଖ୍ୟ ଶ୍ରମ ଆୟୁକ୍ତ(କେନ୍ଦ୍ରୀୟ) ଶକୁନ୍ତଳା ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସର ଦାୟିତ୍ବ ତୁଲାଇବେ।

iNews

ସୂଚନାଯୋଗ୍ୟ, ଅକ୍ଟୋବର ୨୧, ୨୨ ଓ ୨୩ ତାରିଖରେ ୧୫ଟି ଶ୍ରମିକ ସଂଗଠନ ନାମାଙ୍କନ ଦାଖଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଅନ୍ୟ ସଂଗଠନକୁ ସମର୍ଥନ ଜଣାଇ ୪ଟି ଶ୍ରମିକ ସଂଗଠନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ପୂର୍ବରୁ କେବଳ ସଂଖ୍ୟାଧିକ ସଦସ୍ୟ ଆଧାରରେ ଶ୍ରମିକ ସଂଗଠନକୁ ସ୍ବୀକୃତିପ୍ରାପ୍ତ ସଂଗଠନର ମାନ୍ୟତା ଦିଆଯାଉଥିଲା। ଏହି ଆଧାରରେ ରାଉରକେଲା ମଜଦୁର ସଭା(ଆର୍‌ଏମ୍‌ଏସ୍‌) ପ୍ରାୟ ୨୮ ବର୍ଷ ଧରି ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ହିସାବରେ ରହିଥିଲା। ପରେ, ୧୯୯୫ ମସିହା ଅଗଷ୍ଟ ୯ ତାରିଖରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ସ୍ବୀକୃତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଆଜି ପର୍ଯ୍ୟନ୍ତ, ମୋଟ୍‌ ୭ ଥର ସ୍ବୀକୃତି ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇଏନ୍‌ଟିୟୁସି ସହବନ୍ଧିତ ରାଉରକେଲା ଶ୍ରମିକ ସଂଘ(ଆର୍‌ଏସ୍‌ଏସ୍‌) ପ୍ରଥମ ୫ଟି ନିର୍ବାଚନରେ ବାଜିମାତ୍‌ କରିଥିଲା। ତେବେ ଶେଷ ଦୁଇଟି ନିର୍ବାଚନ (୨୦୧୪, ୨୦୧୮)ରେ ବିଏମ୍‌ଏସ୍‌ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ଆର୍‌ଆଇକେକେଏସ୍‌) ବିଜୟୀ ହୋଇଛି। ଏହି ସ୍ବୀକୃତି ନିର୍ବାଚନକୁ ପୂର୍ବରୁ ରାଜ୍ୟ ସରକାର ପରିଚାଳନା କରୁଥିବାବେଳେ ୨୦୧୪ ମସିହାଠାରୁ ଏହାକୁ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ପରିଚାଳନା କରୁଛି।

ସମ୍ବନ୍ଧିତ ଖବର