ଭୋଗରାଇ/କମର୍ଦ୍ଦା: ପକ୍କାଘର ଥାଇ ବି ପ୍ରଧାନମନ୍ତ୍ରୀ ଆବାସ ହାତେଇନେଲେ। ଘର ନକରି ବିଲ୍ ବି ଉଠାଇଲେ। ଏନେଇ ଜଣାପଡ଼ିବା ପରେ ଗ୍ରାମବାସୀ ତାତିଛନ୍ତି। ସେମାନେ ଏହି ବେନିୟମ କାମରେ ସଂପୃକ୍ତ ହିତାଧିକାରୀ ଓ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ବିଡିଓ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଗୁଣସାର୍ଥା ଗାଁ’ର ସ୍ବର୍ଗତ ଦେବେନ୍ଦ୍ର ମହାନ୍ତିଙ୍କ ପୁଅ ସୁଧୀର ମହାନ୍ତିଙ୍କ ପକ୍କାଘର ଥିବା ବେଳେ ୨୦୨୧/୨୨ ଆର୍ଥିକ ବର୍ଷରେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ଦିଆଯାଇଥିଲା। ଶ୍ରୀ ମହାନ୍ତି ଗୃହ ନିର୍ମାଣ ନକରି ମାତ୍ର ୭୫ ଦିନ ମଧ୍ୟରେ ୪ଟି ପର୍ଯ୍ୟାୟରେ ସମସ୍ତ ୧ ଲକ୍ଷ ୨୦ ହଜାର ଅନୁଦାନର ବିଲ୍ କରାଇନେଇଥିଲେ ଏହା ସହିତ ମନରେଗା ଯୋଜନାରେ ଶ୍ରମଦାନ ବାବଦକୁ ସମୁଦାୟ ୧୮ ହଜାର ୩୦୦ ଟଙ୍କା ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ବିଲ୍ ସମୟରେ ସୁଧୀରଙ୍କ ଭାଇ ସୁନୀଲ ମହାନ୍ତିଙ୍କ ଘର ଫଟୋ ଏବଂ ଚତୁର୍ଥ ତଥା ଶେଷ ବିଲ୍ ବେଳେ ଗ୍ରାମର ସପନ ଘରାଇଙ୍କ ଘର ଫଟୋ ଜିଓ-ଟ୍ୟାଗ୍ କରାଯାଇଥିବା ଜଣାପଡ଼ିଛି। ତେବେ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କାର୍ଯ୍ୟରତ ଜିଆର୍ଏସ୍ ଏହି ବେଆଇନ କାମରେ ଲିପ୍ତ ଥିବା ଅଭିଯୋଗ ହୋଇଛି।
ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାରାଧନ ପଣ୍ଡା, ସୁଧୀର ଖଣ୍ଡା, ଦିବାକର ଦାସ, ଗୌରାଙ୍ଗ ମହାନ୍ତି, ବସନ୍ତ ଖଣ୍ଡା, ମୃତ୍ୟୁଞ୍ଜୟ ଖଣ୍ଡା, ରାଖାଲ କରଣ, ଅଚିନ୍ତ ପଣ୍ଡିତ, ବିନୋଦ ଦାସ, ବିଜୟ କୁମାର ସାହୁ, ବୃନ୍ଦାବନ ଦାସ, ଅନୀଲ ମହାନ୍ତି, ନନୀଗୋପାଳ ଦାସ, ସୁଶାନ୍ତ ପଣ୍ଡିତ, ବସନ୍ତ ପଣ୍ଡିତ, ଗୌରହରି ସାହୁ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ସେମାନେ ଭୋଗରାଇ ବ୍ଲକ୍କୁ ଯାଇ ବିଡିଓ ଶଙ୍କର ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ମଧ୍ୟ ସ୍ମାରକପତ୍ର ଦେଇଛନ୍ତି। ଘଟଣା ସଂପର୍କରେ ହିତାଧିକାରୀ ସୁଧୀର ମହାନ୍ତିଙ୍କୁ ପଚାରିବାରୁ ସେ ଗୃହ ନିର୍ମାଣ କରିଛନ୍ତି ଏବଂ ବିଲ୍ ଉଠାଇଛନ୍ତି ବୋଲି କହିଛନ୍ତି। ସେହିପରି ବିଡିଓ ଶ୍ରୀ ପଟ୍ଟନାୟକଙ୍କୁ ପଚରାଯାଇଥିଲା। ସେ ଘଟଣା ବାବଦରେ ଅଭିଯୋଗ ହୋଇଥିଲା। ଫଳରେ ଏବିଡିଓ ଶରତ ମୁଦୁଲିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସତ୍ୟାସତ୍ୟ ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।