କଟକ: ଭୁବନେଶ୍ବରରେ ସିମ୍ ବକ୍ସ କାରବାର ଖୋଳତାଡ଼ ସମୟରେ କଟକ ଲିଙ୍କ୍ ମିଳିଛି। ମଧୁପାଟଣାର ରାଜେନ୍ଦ୍ରନଗର ଅଞ୍ଚଳରେ ଗୋଟିଏ ଭଡ଼ା ଘରୁ ୫ଟି ସିମ୍ ବକ୍ସ, ୨୩୬ ସକ୍ରିୟ ସିମ୍ କାର୍ଡ, ୩୧୦ଟି ନିଷ୍କ୍ରିୟ ସିମ୍ କାର୍ଡ, ୪୦ ସିମ୍ କ୍ୟାରିୟର, ଗୋଟିଏ ମୋଡେମ୍, ୨ଟି ରାଉଟର୍, ଏକ୍ସଟେନ୍‌ସନ୍ କେବୁଲ, ଏୟାରଟେଲ୍ ବ୍ରଡବ୍ୟାଣ୍ଡ୍‌ ସମେତ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ମଧୁପାଟଣା ଥାନା ପୁଲିସ ସହାୟତାରେ ଭୁବନେଶ୍ବର ପୁଲିସ ଜବତ କରିଛି। କପଡ଼ା ବ୍ୟବସାୟ କରିବାକୁ ଘର ମାଲିକଙ୍କୁ କହି ରାଜୁ ମଣ୍ଡଳ ଘରଭଡ଼ା ନେଇଥିଲା। ତେବେ ଏହି ସିମ୍ ବକ୍ସ ମରାମତି ଦାୟିତ୍ବରେ ଥିବା ରାଜୁ ମଣ୍ଡଳ ଓଡ଼ିଶାର ଅନ୍ୟ ଏକ ଜିଲ୍ଲାରେ ମଧ୍ୟ ସିମ୍ ବକ୍ସ ରଖିଥିବା ପୁଲିସକୁ ବଡ଼ ପ୍ରମାଣ ମିଳିଛି। ପୁଲିସ ଉକ୍ତ ସ୍ଥାନରେ ଯେ କୌଣସି ମୁହୂର୍ତ୍ତରେ ଚଢ଼ଉ କରିବାର ସମ୍ଭାବନା ରହିଛି।

Advertisment

ଗତ ଶୁକ୍ରବାର ୧୬ ତାରିଖରେ କମିସନରେଟ୍ ପୁଲିସ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବନଗର ଅଞ୍ଚଳରେ ଥିବା ଏକ ଆବାସିକ ଘରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ରାଜୁ ମଣ୍ଡଳକୁ ଗିରଫ କରିଥିଲା। ତା’ ନିକଟରୁ ୭ଟି ସିମ୍ ବକ୍ସ, ୧ ହଜାର ସିମ୍, ୩ଟି ରାଉଟର୍, ଲାପ୍‌ଟପ୍‌ ଇତ୍ୟାଦି ଜବତ ହୋଇଥିଲା। ତେବେ ତାକୁ ପୁଲିସ ପଚରାଉଚରା କରିବା ପରେ ସେ ରାଜେନ୍ଦ୍ରନଗର ଲିଙ୍କ୍ ସମ୍ପର୍କରେ ସୂଚନା ଦେଇଥିଲା। ସେହି ଆଧାରରେ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ପୁଲିସ ଓ ମଧୁପାଟଣା ଥାନା ପୁଲିସ ମିଳିତ ଭାବେ ରାଜେନ୍ଦ୍ରନଗର ଅଞ୍ଚଳରେ ଏକ ଆବାସିକ ଅଞ୍ଚଳରେ ମିଳିତ ଭାବେ ଚଢ଼ଉ କରିଥିଲେ। ତିନି ମହଲା ବିଶିଷ୍ଟ ଭଡ଼ାଘରର ଦ୍ବିତୀୟ ମହଲାରେ ରାଜୁ ଭଡ଼ା ନେଇ ରହୁଥିବା ପୁଲିସକୁ ଦେଖାଇଥିଲା। ସେଠାରେ ପୁଲିସ ଟିମ୍ ରାଜୁ ସହିତ ଆସି ଚଢ଼ଉ କରିଥିଲା। ଘର ଭିତରେ ଥିବା ଏକ କାଠ ବାକ୍ସରେ ୬ଟି ଥାକ କରାଯାଇଥିଲା।

ପୁଲିସ ତଦନ୍ତରେ ଜାଣିବାକୁ ପାଇଛି ଯେ ବାଂଲାଦେଶର ଅସଦୁର୍‌ ଜମାନ୍ ୨୦୨୩ ଅକ୍ଟୋବର୍‌ ୨୧ରେ ଭାରତରେ ପହଞ୍ଚିବା ପରେ ଉଭୟ ପ୍ରଥମେ ଭୁବନେଶ୍ବରର ଏକ ହୋଟେଲରେ ରହିଥିଲେ। ସେଠାରେ ରହି ଲକ୍ଷ୍ମୀସାଗର ଓ କଟକର ରାଜେନ୍ଦ୍ରନଗର ଅଞ୍ଚଳରେ ଘର ଭଡ଼ା ନେଇଥିଲେ। ଅସଦୁର୍‌ ମଧ୍ୟ ରାଜୁ ସହିତ ରାଜେନ୍ଦ୍ରନଗରକୁ ଆସିଥିଲା। ସେଠାରେ ୨୦୨୩ ଡିସେମ୍ବରରେ ଘର ଭଡ଼ା ନେଇଥିଲା। ରାଜୁ ନିଜ ନାଁରେ ଚୁକ୍ତି ବି କରିଥିଲା। ଏହି ଘରକୁ ସେ କପଡ଼ା ବ୍ୟବସାୟ ପାଇଁ ନେଇଥିଲା। ମାସିକ ସେ ଭଡ଼ା ବାବଦ ୮ ହଜାର ଟଙ୍କା ଦେଉଥିଲା। ଏହି ଘରଭଡ଼ା ଟଙ୍କା ମାଲିକଙ୍କୁ ଫୋନ୍‌-ପେ’ରେ ଦିଆଯାଉଥିଲା। ରାଜୁ ନିଜ ନାଁରେ ଅପ୍‌ଟିକାଲ୍ ଫାଇବର୍ ଇଣ୍ଟରନେଟ୍ ନେଇଥିଲା। ତେବେ ରାଜୁ ରାଜେନ୍ଦ୍ରନଗର ଭଡ଼ା ଘରେ ସବୁବେଳେ ରହୁ ନ ଥିଲା। ଯେତେବେଳେ ସିମ୍ ବକ୍ସରେ ଥିବା ସିମ୍ ଅଚଳ ହେଉଥିଲା କିମ୍ବା ସିମ୍‌ ବକ୍ସ ମରାମତି ଆବଶ୍ୟକ ହେଉଥିଲା, ସେହି ସମୟରେ ସେ କେବଳ କଟକ ଆସୁଥିଲା। ପଶ୍ଚିମବଙ୍ଗରୁ ଟ୍ରେନ୍ ଯୋଗେ କଟକ ଆସୁଥିଲା। କଟକ ଷ୍ଟେସନରେ ପହଞ୍ଚିବା ପରେ ସେଠୁ ସେ ଅଟୋ ଯୋଗେ ରାଜେନ୍ଦ୍ରନଗର ଆସୁଥିଲା। ରାଜେନ୍ଦ୍ରନଗରରେ ମରାମତି କରିସାରିବା ପରେ ବସ୍ କିମ୍ବା ଟ୍ରେନ୍‌ରେ ଭୁବନେଶ୍ବର ଯାଇ ସେଠାରେ ମରାମତି କରିବା ପରେ ପଶ୍ଚିମବଙ୍ଗ ଫେରିଯାଉଥିଲା। ରାଜୁ ଯେତେବେଳେ ରାଜେନ୍ଦ୍ରନଗର ଅଞ୍ଚଳରେ ଘର ଭଡ଼ା ଖୋଜିବାକୁ ଆସିଥିଲା ସେ‌ତେବେ‌ଳେ ଅଟୋରେ ଆସୁଥିଲା। ଟୁ-ଲେଟ୍ ବୋର୍ଡ ଦେଖି ସେହି ଘର ମାଲିକଙ୍କୁ ଯୋଗାଯୋଗ କରିବା ପରେ ଭଡ଼ା ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

କପଡ଼ା ବ୍ୟବସାୟ ପାଇଁ ଭଡ଼ା ନେଇଥିଲା
୫ ସିମ୍‌ବକ୍ସ, ୫୪୬ ସିମ୍ କାର୍ଡ, ୨ ରାଉଟର୍, ମୋଡେମ୍ ଜବତ
ରାଜୁର ଅନ୍ୟ ଏକ ଜିଲ୍ଲାରେ ବି ଅଛି ସିମ୍‌ବକ୍ସ

ରିମାଣ୍ଡରେ ରାଜୁ ମଣ୍ଡଳ, ଲିଙ୍ଗରାଜ ହୋଟେଲ୍‌ ପାଇଁ ବଢ଼ିଲା ଅଡ଼ୁଆ

ଭୁବ‌ନେଶ୍ବର: ରାଜଧାନୀରୁ ସିମ୍‌ ବକ୍ସ ଜବତ ଘଟଣାରେ ଆଜି କମିସନରେଟ୍‌ ପୁଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ଦିନିଆ ରିମାଣ୍ଡରେ ଆଣିଛି। କମିସନରେଟ୍‌ ପୁଲିସ ପକ୍ଷରୁ ୧୪ଦିନିଆ ରିମାଣ୍ଡ ପାଇଁ ଅବେଦନ କରାଯାଇଥିବା ବେଳେ କୋର୍ଟ ୫ଦିନ ପାଇଁ ଅନୁମତି ଦେଇଛନ୍ତି। ଏହି ସୀମିତ ସମୟ ଭିତରେ ଅନେକ ତଥ୍ୟ ହାତେଇବାକୁ ପୁଲିସ କସରତ ଆରମ୍ଭ କରିଛି। ପ୍ରଥମ ଦିନରେ ତାକୁ ଓଡ଼ିଶା ସମେତ ଭାରତରେ ତା’ର ନେଟ୍‌ୱର୍କ ନେଇ ପୁଲିସ ମାରାଥନ ଜେରା କରିଛି। ସେ କେଉଁଠି ଏଜେଣ୍ଟ ରଖିଥିଲା? କେତେ ଯୁବକଙ୍କୁ ଏଥିରେ ସାମିଲ୍‌ କରିଛି? ତା’ ପାଇଁ ବିଭିନ୍ନ ରାଜ୍ୟରେ କେଉଁମାନେ କାମ କରୁଛନ୍ତି?

କାହାକୁ କେତେ ଟଙ୍କା ଦେଇଛି? ହାୱଲାରେ କେତେ ଟଙ୍କା ଆଣିଛି? ଏ ସମସ୍ତ ଦିଗକୁ ନେଇ ପୁଲିସ ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ପୁଲିସ ତା’ର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି। ଯେଉଁଥିରେ ସନ୍ଦେହଜନକ ଆର୍ଥିକ କାରବାର ହୋଇଛି। ଫୋନ୍‌ ପେ’ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବାରୁ ସେ ସବୁର ଯାଞ୍ଚ ପାଇଁ ପୁଲିସ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି କରିବ ବୋଲି ଜଣାପଡ଼ିଛି। ସେହିପରି ସେ ଅନେକ ଯୁବକଙ୍କ ସହ ସୋସିଆଲ୍‌ ମିଡିଆ ମାଧ୍ୟମରେ ଯୋଡ଼ି ହୋଇ ସିମ୍‌ ବକ୍ସ ରୢାକେଟ୍‌ରେ ସାମିଲ୍‌ କରିଥିଲା। ସେଥରୁ ତଥ୍ୟ ହାତେଇବା ପାଇଁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍ୟପଟେ ହୋଟେଲ୍‌ ଲିଙ୍ଗରାଜ ପାଇଁ ଅଡ଼ୁଆ ବଢ଼ିଛି। କାରଣ ରାଜୁ ଓ ରୢାକେଟ୍‌ର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅସଦୁର ଜମାନ ୨୦୨୩ ନଭେମ୍ବରରୁ ଡିସେମ୍ବର ୨୪ ପର୍ଯ୍ୟନ୍ତ ରାଜଧାନୀରେ ୨ମାସ ଧରି ରହିଥିଲେ। ଏହି ସମୟରେ ସେ ହୋଟେଲ୍‌ ଲିଙ୍ଗରାଜରେ ରହିଥିବା ଜଣାପଡ଼ିଛି। ଉଦ୍‌ବେଗର କଥା ହୋଟେଲ୍‌ ପକ୍ଷରୁ ଅସଦୁର ସମ୍ପର୍କରେ ପୁଲିସକୁ କୌଣସି ଖବର ଦିଆଯାଇନଥିଲା। କେଉଁ ପରିସ୍ଥିତିରେ ହୋ‌ଟେଲ୍‌ କର୍ତୃପକ୍ଷ ତଥ୍ୟ ଲୁଚାଇଥିଲେ? କାହିଁକି ତଥ୍ୟ ଦେଇନଥିଲେ? ତେଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।

ପ୍ରକାଶ ଥାଉ କି, ବାଂଲାଦେଶରୁ ସିମ୍‌ ବକ୍ସକୁ ଅଣାଯାଇ ରାଜଧାନୀରେ ଇନ୍‌ଷ୍ଟଲ କରାଯାଇଥିଲା। ସିମ୍ ବକ୍ସକୁ ବ୍ୟବହାର କରି ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଭଳି ଦେଶକୁ କଲ୍‌ ଓ ମେସେଜ୍‌ କରି ଗୁପ୍ତ ତଥ୍ୟ ପ୍ରଦାନ କରାଯାଉଥିଲା। ବିଶେଷ କରି ସାଇବର ଠକେଇ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା। କମିସନରେଟ୍‌ ପୁଲିସ ଗତ ୧୫ ତାରିଖରେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ(୩୦)କୁ ଗିରଫ ପରେ ଘଟଣା ପଦାକୁ ଆସିଥିଲା। ତା’ ଠାରୁ ୭ଟି ସିମ୍‌ ବକ୍ସ, ୧୦୦୦ ସିମ୍‌, ୩ଟି ରାଉଟର, ଲ୍ୟାପଟପ୍‌ ଆଦି ଜବତ କରାଯାଇଛି।