କାଗଜକଲମରେ ଆବାସ: ଘର ନ କରି ନେଇଗଲେ ଟଙ୍କା

ବଡ଼କେରା : ଅନୁଗୁଳ ବ୍ଲକ ମାଟିଆସାହି ପଞ୍ଚାୟତ କରମଙ୍ଗା ସାହିର ଇନ୍ଦିରା ବେହେରାଙ୍କ ଘର ଖଣ୍ଡେ ନାହିଁ। ଏହି ମହିଳା ଜଣଙ୍କ ଏବେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ଘର ପାଇ ନାହାନ୍ତି। କିନ୍ତୁ ସରକାରୀ କାଗଜପତ୍ର କହୁଛି, ତାଙ୍କୁ ଆବାସ ଯୋଜନାରେ ଘର ମିଳିଛି। ଏହା ଜାଣିବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଇନ୍ଦିରା। ଘର ତିଆରି ନ ହୋଇ କେମିତି ତାଙ୍କ ନାମରେ କେମିତି ଟଙ୍କା ଉଠାଯାଇଛି ତାକୁ ନେଇ ସେ ଏବେ ଚିନ୍ତାରେ।

କେବଳ ଇନ୍ଦିରା ନୁହଁନ୍ତି, ଏମିତି ଡଜନେ ଉଦାହରଣ ରହିଛି ଏହି ପଞ୍ଚାୟତରେ। ଲୋକଙ୍କୁ ଘର ନ ଦେଇ କାଗଜପତ୍ରରେ ଏହା ଦର୍ଶାଯାଇଛି। ଏଥିନେଇ ଲୋକମାନେ ଜାଣିବା ପରେ ଅଭିଯୋଗ କରିଛନ୍ତି। ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ୨୦୧୭-୧୮ ଓ ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଟିଆସାହି ପଞ୍ଚାୟତରେ ବହୁ ହିତାଧୀକାରୀଙ୍କ ଘର ନିର୍ମାଣ ହୋଇଥିଲା। ଘର ନିର୍ମାଣ ଶେଷ କରିଥିବା ହିତାଧୀକାରୀମାନେ ଏ ଭିତରେ ଟଙ୍କା ପାଇ ସାରିଲେଣି। କିନ୍ତୁ କେତେଜଣ ହିତାଧିକାରୀ ବିଲକୁଲ ଘର ପାଇ ନ ଥିଲାବେଳେ ସେମାନଙ୍କ ନାମରେ ଥିବା ଘର ଶେଷ ହୋଇଥିବା ଦର୍ଶାଯାଇଛି।

ମାଟିଆସାହି ପଞ୍ଚାୟତ କରମଙ୍ଗା ସାହିର ସୁକ୍ରୁ ବେହେରା, ବଡଦାଣ୍ଡସାହିର ଜ୍ୟୋତ୍ସ୍ନା ମହାନ୍ତି, ମଧୁସ୍ମିତା ବେହେରା, ଟିକି ବେହେରା, କରମଙ୍ଗାସାହିର ସୁଷମା ବେହେରା, ବଣିଆସାହିର ଉଷାରାଣୀ ବେହେରା, ମନୋଜ ବେହେରା, ମାଟିଆସାହିର ଗଣେଶ୍ବର ବେହେରା, ସନ୍ତୋଷ ବେହେରା ଓ ନିରଖ ନାୟକଙ୍କୁ ଘର ମିଳିଥିବା ସରକାରୀ ୱେବ୍‌ସାଇଟରେ କୁହାଯାଇଛି। କିନ୍ତୁ ପ୍ରକୃତରେ ଏମାନେ ଘର ପାଇ ନ ଥିବା କହିଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା, ଏମାନଙ୍କ ଭିତରୁ ଟିକି ବେହେରାଙ୍କ ସ୍ବାମୀ ସୁବଳ ବେହେରା ଏବେ ୱାର୍ଡମେମ୍ବର ଅଛନ୍ତି। ତାଙ୍କ ପତ୍ନୀଙ୍କ ନାମରେ ଜାଲିଆତି କରାଯାଇଥିବା ଖୋଦ୍ ୱାର୍ଡମେମ୍ବର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ନାମରେ ଘର ଦିଆଯାଇଛି ବୋଲି ଦର୍ଶାଯାଇଥିଲେ ମଧ୍ୟ ପ୍ରକୃତରେ ତାଙ୍କୁ ଘର ମିଳିନି। ଏବେ ବି ସେମାନେ ଭଙ୍ଗା ଘରେ ରହୁଛନ୍ତି। ତାଙ୍କ ଅଜାଣତରେ ଆଉ କେହି ଏହି ଟଙ୍କା ହଡ଼ପ କରିଛି ବୋଲି ସେ କହିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଏହା ଜଣାପଡ଼ିବା ବ୍ଳକ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର