ତେଲକୋଇ/ପାଳଲହଡ଼‌ା: କେନ୍ଦୁଝର ଜିଲ୍ଲାରେ ଆଜି ଆଉ ଏକ ହାତୀର ଜୀବନ ଯାଇଛି। ତେଲକୋଇ ରେଞ୍ଜ କଣ୍ଟାବାହାଳ ଛକରେ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଦନ୍ତାଟି ବିଞ୍ଝବାହାଳ ପାର୍ଶ୍ବରୁ କଣ୍ଟାବାହାଳ ଆଡ଼କୁ ଯାଉଥିଲା। ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ କେନ୍ଦୁଝର ଆଡ଼ୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ପଟକୁ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ (ଓଡି-୦୯-ୟୁ-୨୪୭୧) ହାତୀଟିକୁ ଧକ୍କା ଦେଇଥିଲା। ଦନ୍ତାଟି ରାସ୍ତାକଡ଼ ଧାନଖେତରେ କିଛି ସମୟ ଗୁରୁତର ଅବସ୍ଥାରେ ପଡ଼ି ରହିବା ପରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଚାଳକକୁ ଅଟକ ରଖିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରକ୍‌ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇଛି। ଏନେଇ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ପଚାରିବାରୁ ଏକ ଟ୍ରକ୍‌ ଦନ୍ତାହାତୀକୁ ଧକ୍କା ଦେଇଥିବା ଖବର ମିଳିଛି। ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ପରେ ଅଧିକ କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟ ୨୨ ତାରିଖ ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ହାତୀପଲ ୨୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ଦୁଇଟି ମାଈହାତୀ ଓ ଗୋଟିଏ ଛୁଆହାତୀର ମୃତ୍ୟୁ ଘଟିଥିଲା।