ଉତ୍କଳକୁ ନେଇ ଆଶା ଅନେକ
ର୍ୟାଙ୍କ ବଜାୟ ରଖିପାରନ୍ତି ଘରୋଇ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର, :କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ‘ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ୍ ଫ୍ରେମଓ୍ଵାର୍କ (ଏନ୍ଆଇଆରଏଫ୍) ପକ୍ଷରୁ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ହୋଇଥିବା ସର୍ଭେର ବାର୍ଷିକ ର୍ୟାଙ୍କିଙ୍ଗ୍ ତାଲିକା ସୋମବାର ପ୍ରକାଶ ପାଇବାର ସମ୍ଭାବନା ରହିଛି। ମୋଟ୍ ୬ଟି ବିଭାଗରେ ଏହି ତାଲିକା ପ୍ରକାଶିତ ହେବ। ସାମଗ୍ରିକ ସଫଳତାକୁ ନେଇ କରାଯାଇଥିବା ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇବା ନେଇ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଆଶାବାଦୀ ରହିଛନ୍ତି। ଗତ ଦୁଇ ବର୍ଷ ହେଲା ପ୍ରକାଶ ପାଇଥିବା ତାଲିକାରେ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା ସମେତ ଘରୋଇ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍), ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଶ୍ରେଷ୍ଠ ଶହେରେ ସ୍ଥାନ ବଜାୟ ରଖିଥିଲେ। ୨୦୧୬ରେ ନାକ୍ ‘ଏ+’ ଗ୍ରେଡ୍ ପାଇବା ସହ ଜାତୀୟସ୍ତରରେ କାଟାଗୋରି-୧ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ଏଥର ଆଶା ବଢ଼ିଛି। ଶ୍ରେଷ୍ଠ ଶହେ ଭିତରେ ଉତ୍କଳ ଆସିବାର ସମ୍ଭାବନା ବହୁତ ବୋଲି ଶିକ୍ଷାବିତ୍ମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି।
୨୦୧୭ରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ୬ଟି ଶ୍ରେଣୀରେ ବିଭକ୍ତ କରି ତାଲିକା ପ୍ରସ୍ତୁତ ହୋଇଥିଲା। ଏଥିରେ ଓଡ଼ିଶାର ମାତ୍ର ୬ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲେ। ୪ଟି ଘରୋଇ ଶିକ୍ଷାନୁଷ୍ଠାନ ଥିବାବେଳେ ଦୁଇଟି କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ରହିଥିଲେ। ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ତାଲିକା ଭିତରକୁ ଆସିପାରି ନ ଥିଲେ। ଯାହା ପୂର୍ବ ଭାରତର ଶିକ୍ଷା ହବ୍ ପାଲଟିଥିବା ଓଡ଼ିଶା ପାଇଁ ଥିଲା ଲଜ୍ଜାର ବିଷୟ। ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ, ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି ପଡ଼ିବା, ପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ନ ମିଳିବା, ନାକ୍ ମାନ୍ୟତା ନ ମିଳିବା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମହଙ୍ଗା ପଡ଼ିଥିଲା। ବୈଷୟିକ ଶିକ୍ଷାର ବି ସମାନ ସ୍ଥିତି ରହିଥିଲା। ବିପିୟୁଟି କି ଏହା ଅଧୀନସ୍ଥ ସିଇଟି, ଆଇଜିଆଇଟି ସାରଙ୍ଗ ଭଳି ଶିକ୍ଷାନୁଷ୍ଠାନ ବି ଏହି ତାଲିକାରେ ସ୍ଥାନ ପାଇ ପାରି ନ ଥିଲେ।
ଗତବର୍ଷ ନିରାଶ କରିଥିବା ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ଏହି ତାଲିକାରେ ପାଇବ ବୋଲି ଆଶା କରାଯାଉଛି। ଶିକ୍ଷକ ସଂଘର ସଭାପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍ ‘ଏ+’ ମାନ୍ୟତା ମିଳିଛି। ଦେଶର କାଟାଗୋରି-୧ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଉତ୍କଳ ରହିଛି। ଗବେଷଣାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ତେଣୁ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ଭିତରେ ସ୍ଥାନ ମିଳିବା ଆଶା ଅଧିକ। କେବଳ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ହେଉଥିବା ସର୍ଭେରେ ଉତ୍କଳକୁ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ମିଳିପାରେ ବୋଲି ସେ ଆଶା କରିଛନ୍ତି। ଉତ୍କଳ ବ୍ୟତୀତ ଆଉ କୌଣସି ବିଶ୍ୱବିଦ୍ୟାଳୟ ଏହା ଭିତରେ ସେଭଳି ଆଖିଦୃଶିଆ ଭିତ୍ତିଭୂମି ବିକାଶ କରିପାରି ନାହାନ୍ତି। କେତେକ ଶିକ୍ଷାନୁଷ୍ଠାନ ନାକ୍ ‘ଏ’ ଗ୍ରେଡ୍ ପାଇଥିଲେ ମଧ୍ୟ ସେମାନଙ୍କ ସ୍ଥିତିରେ ସୁଧାର ଆସିନି। ତେଣୁ ଶ୍ରେଷ୍ଠ ଶହେ ଭିତରେ ସ୍ଥାନ ପାଇବା ସମ୍ଭାବନା କ୍ଷୀଣ।
ଅନ୍ୟପକ୍ଷରେ ଗତବର୍ଷ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ସୋଆ ଦେଶରେ ୩୩ ତମ ସ୍ଥାନରେ ଥିବା ବେଳେ ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ରାଉରକେଲାସ୍ଥିତ ଏନ୍ଆଇଟି ୪୬ତମ ସ୍ଥାନ, ଆଇଆଇଟି ଭୁବନେଶ୍ୱର ୬୬ତମ ଓ କିଟ୍ ୭୯ତମ ସ୍ଥାନରେ ରହିଥିଲା। ଏନ୍ଆଇଟି ଓ ଆଇଆଇଟି ପ୍ରଥମ ଥର ପାଇଁ ଏହି ତାଲିକାରେ ସ୍ଥାନ ପାଇଥିଲେ। କେବଳ ବିଶ୍ୱବିଦ୍ୟାଳୟକୁ ନେଇ ଗତବର୍ଷ ପ୍ରସ୍ତୁତ ହୋଇଥିବା ‘ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ’ ତାଲିକାରେ ସୋଆ ୨୦ତମ ସ୍ଥାନରେ ଥିବାବେଳେ କିଟ୍ ୪୯ତମ ସ୍ଥାନରେ ରହିଥିଲା। ଇଞ୍ଜିନିୟରିଂ ବିଭାଗରେ ଏନ୍ଆଇଟି ରାଉରକେଲା ଦ୍ୱାଦଶ ସ୍ଥାନରେ ରହିଥିବା ବେଳେ ଆଇଆଇଟି ଭୁବନେଶ୍ୱର ଅଷ୍ଟାଦଶ, କିଟ୍ ୪୭ତମ ଓ ସିଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ୯୨ତମ ସ୍ଥାନରେ ରହିଥିଲା। ମ୍ୟାନେଜମେଣ୍ଟ ବିଭାଗରେ କିଟ୍ ୨୨ତମ ସ୍ଥାନରେ ଥିବାବେଳେ ଜାଭିୟର ବିଶ୍ୱବିଦ୍ୟାଳୟ ୩୩ତମ ସ୍ଥାନରେ ରହିଥିଲେ। ତେଣୁ ଏଥର ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ନିଜର ସ୍ଥିତି ଜାହିର କରିବାର ବହୁତ ସମ୍ଭାବନା ରହିଛି।