ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ସହ ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବାକୁ ୫-ଟି ଉପକ୍ରମରେ ଅଭିନବ ପ୍ରୟାସ କରାଯାଇଛି। ପ୍ରଥମ ଥର ପାଇଁ ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ଓ ଆନୁଷ୍ଠାନିକ ବର୍ଗର ସମୁଦାୟ ୧୬ଟି ବିଭାଗରେ ୭୫୧୯ଟି ପୁରସ୍କାର ପ୍ରଦାନ କରାଯାଇଛି। ମୋଟ ଉପରେ ୧୩୮ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି। ବ୍ୟକ୍ତିଗତ ପୁରସ୍କାର(ମାଧ୍ୟମିକ) ବର୍ଗରେ ମାଟ୍ରିକରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ୨୦୨୭ ଜଣ ମେଧାବୀ ଛାତ୍ରଛାତ୍ରୀ, ୭୦୦ ଶିକ୍ଷକ ଶିକ୍ଷୟତ୍ରୀ, ୪୧୯ ପ୍ରଧାନଶିକ୍ଷକ, ୫୮ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ୧୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କୃତ ହୋଇଛନ୍ତି। ବ୍ୟକ୍ତିଗତ ପୁରସ୍କାର(ପ୍ରାଥମିକ) ବର୍ଗରେ ୩୫୦ ଜଣ ପ୍ରଧାନଶିକ୍ଷକ ଓ ୩୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଆନୁଷ୍ଠାନିକ(ମାଧ୍ୟମିକ) ବର୍ଗରେ ୪ଟି ଜିଲ୍ଲା, ୧୦ଟି ବ୍ଲକ, ୧୦୫୭ଟି ସ୍କୁଲ, ୪୧୯ଟି ବିଦ୍ୟାଳୟ ପରିଚାଳନା କମିଟି, ୪୧୯ଟି ପୁରାତନ ଛାତ୍ର କମିଟି, ୪୧୪ଟି ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଛନ୍ତି। ସେହିପରି ଆନୁଷ୍ଠାନିକ(ପ୍ରାଥମିକ) ବର୍ଗରେ ୧୩୦୭ଟି ବିଦ୍ୟାଳୟ ପୁରସ୍କୃତ ହୋଇଛନ୍ତି। ଏହାବ୍ୟତୀତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବର୍ଗରେ ୩ଟି ଅନୁଷ୍ଠାନ ପୁରସ୍କୃତ ହୋଇଛନ୍ତି।
କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉଦ୍ବୋଧନ ଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ କହିଲେ କୋଭିଡ ସମୟରେ ପିଲାଙ୍କ ପାଠପଢାର ଅସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ଅନଲାଇନ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରିଥିଲେ। ଏହାପରେ ୫-ଟି ହାଇସ୍କୁଲ ରୂପାନ୍ତର ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ପ୍ରାୟ ୮ ହଜାର ହାଇସ୍କୁଲ ରୂପାନ୍ତର ହୋଇସାରିଛି। ଏହି ରୂପାନ୍ତର ଟିମ୍ ୱାର୍କର ଅନନ୍ୟ ଉଦାହରଣ। ପୁରାତନ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ପ୍ରଶାସନ ସମସ୍ତେ ଏକ ଟିମ୍ ଭଳି କାମ କରିଛନ୍ତି। ଏହି ପୁରସ୍କାର ଶିକ୍ଷା ପରିବେଶ ସହ ଜଡ଼ିତ ସମସ୍ତଙ୍କ ଉତ୍ସାହ, ମନୋବଳ ବୃଦ୍ଧି କରିଛି। ମାଧ୍ୟମିକ ସ୍କୁଲ ସହିତ ଉଚ୍ଚ ମାଧ୍ୟମିକ ଓ କଲେଜର ମଧ୍ୟ ରୂପାନ୍ତରଣ ଚାଲିଛି। ଖୁବ୍ଶୀଘ୍ର ଏହି ଅନୁଷ୍ଠାନଗୁଡ଼ିକ ଲୋକାର୍ପିତ ହେବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଧନ୍ୟବାଦ ଦେଇଥିଲେ।