କାଲିମେଳା : ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ କାଲିମେଳା ଅଂଚଳରେ ପ୍ରବଳ ବର୍ଷା ଜାରି ରହିଛି। ଏଥି ଯୋଗୁଁ ବିଭିନ୍ନ ନଦୀ ଓ ନାଳ ରେ ପାଣି ଆସିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବନ୍ୟା ଆସିବା ଯୋଗୁଁ ପଟେରୁ ପୋଲର ଉପର ଅଂଶ ଭାସିଯାଇଛି। କିଛି ଅଂଶ ନଦୀରେ ଭାସି ଯାଇଥିବା ବେଳେ ଆଉ କିଛି ଅଂଶ ପୋଲ ଉପରେ ଅଟକି ଯାଇଛି। ଫଳରେ ଏହି ପୁରୁଣା ପୋଲଟି ଯେ କୌଣସି ସମୟରେ ଭୁଶୁଡି ଯିବାର ଆଶଙ୍କା ରହିଛି ।
ଗତକାଲି ଏହି ପୋଲ ଉପରେ ପ୍ରାୟ ୧୦ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳେ ପୋଲ ତଳକୁ ପାଣି ଖସି ଥିଲେ ମଧ୍ୟ ବିପଦ ବଢ଼ିବାରେ ଲାଗିଛି। ଏହି ବ୍ରିଟିଶ ଅମଳର ପୋଲଟିକୁ ପୂର୍ବରୁ ପ୍ରଶାସନ ବିପଦ ସଂକୁଳ ଭାବରେ ଘୋଷଣା କରିସାରିଛି। ଏହି ବିପଦ ସଂକୁଳ ପୋଲ ଉପରେ ଦୈନିକ ଶହ ଶହ ଦୂରଗାମୀ ବସ ଓ ଭାରୀଯାନ ଯାତାୟାତ କରୁଛି।
ଯେହେତୁ ୩୨୬ ଜାତୀୟ ରାଜପଥ ଏହି ପୋଲ ଉପର ଦେଇ ଯାଇଛି ତେଣୁ ଏହି ପୋଲ ଦେଇ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସହ ପୁରା ଦକ୍ଷିଣ ଭାରତରୁ ସହ ସହ ଯାନବାହନ ମାଲକାନଗିରି ଜିଲ୍ଲା ଦେଇ ଓଡିଶାକୁ ପ୍ରବେଶ କରୁଛି। ପ୍ରତି ବର୍ଷ ବନ୍ୟାରେ ଏହି ପୋଲଟି ବୁଡି ଯାଉଛି। ଫଳରେ ମାଲକାନଗିରି ଜିଲ୍ଲା ସହିତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟକୁ ଯୋଗାଯୋଗ ଠପ ହୋଇଯାଉଛି।
ତେବେ ବହୁ ଦାବିପରେ ୩ ବର୍ଷ ତଳେ ଜାତୀୟ ରାଜପଥ କର୍ତୃପକ୍ଷ ଏହି ନଦୀରେ ନୂତନ ଉଚ୍ଚା ପୋଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ। ଛତିଶଗଡ ବିଳାସପୁରର ଏକ ଠିକା କମ୍ପାନୀ ପଟେରୁ ପୋଲ ନିର୍ମାଣ ପାଇଁ ଟେଣ୍ଡର ପାଇଥିଲା। ଏହି ଠିକା କମ୍ପାନୀ ଦୁଇବର୍ଷ ହେଲା ପୋଲ ନିର୍ମାଣ କରୁଥିଲେ ମଧ୍ୟ କାମ ଆଗେଇପାରିନାହିଁ। ଧୀର ମନ୍ଥର ଗତିରେ ପୋଲ କାମ ହେଉଥିବାବେଳେ ଏପ୍ରିଲ ମାସରୁ ପୋଲ କାମ ବନ୍ଦ ରହିଛି। ଏହି ପୋଲ ନିର୍ମାଣ ସମ୍ପୂର୍ଣ ହେଲେ ବର୍ଷା ଦିନେ ଯାତାୟାତ ସମସ୍ୟା ଆଉ ରହିବ ନାହିଁ ବୋଲି କୁହାଯାଇଛି |