ସ୍ବାଭିମାନ ଅଂଚଳରେ ହେବ ବିକାଶ : ମାଲକାନଗିରିରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସମୀକ୍ଷା

ମାଲକାନଗିରି/ଚିତ୍ରକୋଣ୍ଡା : ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ବିଚ୍ଛିନ୍ନାଞ୍ଚଳ (ସ୍ବାଭିମାନ)ର ବିକାଶ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦଳ ମାଲକାନଗିରି ଗସ୍ତ କରିଛନ୍ତି। ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ସହ ସ୍ବାଭିମାନ ଅଂଚଳର ବିକାଶ ପାଇଁ ରୂପରେଖ ପ୍ରସ୍ତୁତ କରିଥିଲେ।

ଏହି ଦଳରେ ଉନ୍ନୟନ କମିଶନର ତଥା ପ୍ରମୁଖ ସଚିବ ଆର.ବାଲାଜୀ କ୍ରିଷ୍ଣନ, ଆରଡି ସଚିବ ମୋନା ଶର୍ମୀ, ସହକାରୀ ଶାସନ ସଚିବ ତଥା ପବ୍ଲିକ ଗ୍ରିଭେନସ ଅଶୋକ ମୀନା, ଆଇଏଣ୍ଡବି କମିଶନର ନଳିନୀ ପ୍ରଧାନ ପ୍ରମୁଖ ରହିଥିଲେ। ଜିଲ୍ଲାପାଳ ମନିଷ ଅଗ୍ରଵାଲ,ଏସପି ଜଗମୋହନ ମୀନା, ବିଏସଏଫ କମାଣ୍ଡାଣ୍ଟ ତଥା ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ପରେ ସ୍ବାଭିମାନ ଅଂଚଳର ବିକାଶ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।

ରାଲଗେଡା ଓ ପେପରମେଟାର ପୋଲକୁ ତୁରନ୍ତ ସମାପନ, ଜାନବାଇ ଠାରୁ ଯନ୍ତାପାଇ ଏବଂ ଯନ୍ତାପାଇ ଠାରୁ ସ୍ବାଭିମାନ ଅଂଚଳର ସମସ୍ତ ଅଂଚଳକୁ ରାସ୍ତା ନିର୍ମାଣ କରିବା ନେଇ ନିଷ୍ପତ୍ତି ନେଇଥିଲେ। ସ୍ବାଭିମାନ ଅଂଚଳର ବଡପଡା ଠାରେ ୩୩ କେଭି ସବ୍‌ଷ୍ଟେସନ ବସାଇବା ନେଇ ମଧ୍ୟ ନିର୍ଦେଶ ଦିଆଯାଇଥିଲା। ସ୍ବାଭିମାନ ଅଂଚଳରେ ଅଂଗନବାଡି ଠିକ ରୂପେ ଚାଲୁନଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯାଇଥିଲା। ତେବେ ସ୍ବାଭିମାନ ଅଂଚଳରେ ପାଠୁଆ ଝିଅ ନଥିବାରୁ ବାହାରୁ ମହିଳା ଆସି ଏହି ଅଂଚଳରେ କାମ କରୁଛନ୍ତି। ଯଦ୍ବାରା ଠିକ ରୂପେ କାର୍ଯ୍ୟ ସମାପନ ହୋଇପାରୁ ନାହିଁ। ସାର୍କୁବନ୍ଧ ପୋଲକୁ ତୁରନ୍ତ ସମାପ୍ତ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ସ୍ବାଭିମାନ ଅଂଚଳର ସମସ୍ତ ମୁଖ୍ୟ ଅଂଚଳକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ୨୯୫ କିଲୋମିଟର ରାସ୍ତା ସମାପନ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିଲା। ତେବେ ଏହି କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଉ କେତେକ କାମର ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି। ସେହିପରି ବଡପଡା ଠାରେ ଏକ ବଡ ମେଡିକାଲ କରିବା ନେଇ ମଧ୍ୟ ଏହି ଉଚ୍ଚସ୍ତରୀୟ ତଦନ୍ତ କାରୀ ଦଳ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର