ବରଗଡ଼: ଚାଷକାର୍ଯ୍ୟକୁ ବ୍ୟବସ୍ଥିତ କରିବା ଏବଂ ଜଳବଣ୍ଟନ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ବିକେନ୍ଦ୍ରୀକରଣ କରିବା ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ଗଠନ କରାଯାଇଥିଲା। କିନ୍ତୁ ପାଣି ପଞ୍ଚାୟତ କିଭଳି ପାଣିରେ ପଡ଼ୁଛି ତାହାର ନଗ୍ନ ନମୁନା ପଦ୍ମପୁର ଉପଖଣ୍ଡରେ ଦେଖିବାକୁ ମିଳିଛି। ଏକଦା କୁମୁଡ଼ିନାଳା ସହ ସଂପୃକ୍ତ ସିଂହନପୁର ମା’ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ଶାଖା ଶ୍ରେଷ୍ଠ ପଞ୍ଚାୟତ ଭାବରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରିଥିଲା। କିନ୍ତୁ ଏହି ପାଣି ପଞ୍ଚାୟତ ଏବେ ଚାଷୀଙ୍କ ପାଇଁ ବୋଝ ସାଜିଛି।
ସୂଚନା ମୁତାବକ, ୨୦୧୧-୧୨ ଆର୍ଥିକ ବର୍ଷରେ କୁମୁଡ଼ିନାଳାର ସଂପୃକ୍ତ ଥିବା ୭ଟି ପାଣି ପଞ୍ଚାୟତ ପ୍ରକଳ୍ପ ପାଇଁ ୧୯,୭୮,୯୪୮ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରୁ ସିଂହନପୁର ଭାଗରେ ପଡ଼ିଥିଲା ସର୍ବାଧିକ ୨,୯୬,୬୧୯ ଟଙ୍କା। ଅନୁଦାନ ରାଶିରୁ ଜୋର୍ସୋର୍ କାମ ଚାଲିଲା। କିଛି ଦିନ ସୁରୁଖୁରୁରେ ସବୁକିଛି ଚାଲିବା ପରେ କେଇ ମାସ ଭିତରେ ନାଳା ଜାମ୍ ହୋଇ ଯିବାରୁ ଆଉ ଚାଷ ଜମିକୁ ପାଣି ମାଡ଼ିଲା ନାହିଁ। ଚାଷୀ ବାରମ୍ବାର ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଭେଟିଲେ ବି କିଛି ଲାଭ ମିଳିଲା ନାହିଁ। ଫଳରେ ଶ୍ରେଷ୍ଠ ପୁରସ୍କାର ପାଇଥିବା ଏହି ପାଣି ପଞ୍ଚାୟତ ଏବେ ଶୁଖିଲା ପଡ଼ିଛି। ପାଣି ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଥିବା ଜମି ଗୁଡ଼ିକ ଏବେ ସଂପୂର୍ଣ୍ଣ ଟାଂଗରା। ଉପର ମୁଣ୍ଡରେ ଜମି ମାଫିଆମାନେ ସ୍ରୋତକୁ ଅବରୋଧ କରିବା ଏବଂ ପୋତି ଦେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୨୦୧୨-୧୩ ମସିହାରେ ଏହାର କଂକ୍ରିଟକରଣ ଏବଂ ମରାମତି ବାବଦକୁ ପାଖାପାଖି ୧୨ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା। କିନ୍ତୁ ଅନୁଦାନ ନମିଳିବାରୁ କାମ ଠପ୍ ପଡ଼ିଛି। ପଦ୍ମପୁର ଉପଖଣ୍ଡ ବ୍ୟତୀତ ଜିଲ୍ଲାର ବିଭିନ୍ନ ଅଣଜଳସେଚିତ ବ୍ଲକରେ ମଧ୍ୟ ପାଣି ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। ପାଣି ପଞ୍ଚାୟତ ଠିକାଦାରଙ୍କୁ ପୋଷିବା ପାଇଁ ଗୋଟିଏ ସଂସ୍ଥା ବୋଲି ମଧ୍ୟ କୁହାଯାଉଛି। ଏହାର ଦାୟିତ୍ୱରେ ରହିଥିବା କେତେକ ବ୍ୟକ୍ତି ଓ ଠିକାଦାରଙ୍କ ଅସାଧୁ କାରବାର ଯୋଗୁଁ ବ୍ୟାପକ ଦୁର୍ନୀତି ଚାଲିଛି। ପାଣି ପଞ୍ଚାୟତକୁ ଯେତିକି ଟଙ୍କା ଆସୁଛି, ତା’ର ପିସି ସଭାପତିଙ୍କ ପକେଟକୁ ଯିବା ପରେ ଠିକାଦାର କାମ ଆଗେଇ ନେଉଛନ୍ତି। କିନ୍ତୁ ଅତି ନିମ୍ନମାନର ନିର୍ମାଣ କାମ ଯୋଗୁଁ ଏହି ଯୋଜନା ଫଳବତୀ ହେଉନାହିଁ। ପାଣି ପଞ୍ଚାୟତ ପାଇଁ ଡକା ଯାଉଥିବା ଗ୍ରାମସଭାରେ ମଧ୍ୟ ଏଥିପାଇଁ ଚଞ୍ଚକତା କରାଯାଉଛି। ଅର୍ଥାତ ପ୍ରଥମେ କିଛି ଜାଲ୍ ଦସ୍ତଖତ କରିବା ପରେ ପ୍ରସ୍ତାବପତ୍ରରେ ଠିକାଦାରଙ୍କୁ ସୁହାଇଲା ଭଳି ଯୋଜନା ରୂପରେଖ ପ୍ରସ୍ତୁତ କରାଯାଉଥିବା ଗୁରୁତର ଅଭିଯୋଗ ଆସିଛି।