ଭୁବନେଶ୍ବର: ରାଜ୍ୟରେ ‘ଓମିକ୍ରନ୍’ ଭୟ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୮ଜଣ ବିଦେଶ ଫେରନ୍ତା ଏଥିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇ ସାରିଲେଣି। କରୋନାର ଅନ୍ୟ ପ୍ରଜାତି ତୁଳନାରେ ‘ଓମିକ୍ରନ୍’ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ଆଶଙ୍କା ପ୍ରକାଶ ପାଇଲାଣି। ତେଣୁ ଆସନ୍ତାବର୍ଷ ଫେବ୍ରୁଆରି ଶେଷ ସପ୍ତାହରେ ରାଜ୍ୟରେ କରୋନାର ତୃତୀୟ ଲହର ଶୀର୍ଷ ସଂକ୍ରମଣ ଛୁଇଁପାରେ ବୋଲି ସରକାର ଚେତାଇଛନ୍ତି। ଓଡ଼ିଶାକୁ କରୋନାର ପ୍ରଥମ ଓ ଦ୍ବିତୀୟ ଲହର ଅନ୍ୟ ରାଜ୍ୟ ତୁଳନାରେ ବିଳମ୍ବରେ ଆସିଥିଲା। ମାତ୍ର ତୃତୀୟ ଲହର ପୂର୍ବ ଲହର ତୁଳନାରେ ଓଡ଼ିଶାକୁ ଶୀଘ୍ର ଆସିପାରେ ବୋଲି ଆକଳନ କରାଯାଉଛି।
ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଯଦି କରୋନାର ତୃତୀୟ ଲହର ଆସେ ତାହାଲେ ଖୁବଶୀଘ୍ର ଓଡ଼ିଶା ଆସିବ। ଫେବ୍ରୁଆରି ଶେଷ ବେଳକୁ ଏହା ଶୀର୍ଷ ସଂକ୍ରମଣ ଛୁଇଁବ। ଏଥିପାଇଁ ସରକାରଙ୍କ ପକ୍ଷରୁ ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଶିଶୁରୋଗ ବିଭାଗ, ଅକ୍ସିଜେନ ଓ ଔଷଧ ସଂପୂର୍ଣ୍ଣ ଭାବେ ମହଜୁଦ ରହିଛି। ରାଜ୍ୟରେ ସଙ୍ଗରୋଧ ନିୟମ ୧୪ଦିନ ରହିଛି। ସେଥିରେ କୌଣସି ପରିବର୍ତନ କରାଯାଇନି। ହେଲେ ଶୀର୍ଷ ସଂକ୍ରମଣ ସମୟରେ ରାଜ୍ୟରେ ଦୈନିକ କେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବେ ତାହା ସଂପର୍କରେ ଡା.ମହାପାତ୍ର କୌଣସି ସୂଚନା ଦେଇ ନାହାନ୍ତି।
ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର କହିଛନ୍ତି, ଡେଲ୍ଟା ପ୍ରଜାତି ତୁଳନାରେ ଓମିକ୍ରନ୍ର ସଂକ୍ରମଣ କ୍ଷମତା ଢେର ଅଧିକ। ତେଣୁ ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ। ରାଜ୍ୟରେ ଶୀର୍ଷ ସମୟରେ ଦୈନିକ ମାମଲା ସଂଖ୍ୟା ୧୫ହଜାର ଟପିପାରେ। ଏହାସହ ସରକାରୀ ସ୍ତରରେ ଯେତିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ ତା’ଠାରୁ ୪୦ଗୁଣ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇପାରନ୍ତି। ମାତ୍ର ଏଥିରେ ଆକ୍ରାନ୍ତ କମ୍ ଗୁରୁତର ହେବେ। ବ୍ରିଟେନ୍ରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ କମ୍ ସଂଖ୍ୟକ ଲୋକ ହସ୍ପିଟାଲରେ ଭର୍ତି ହେଉଛନ୍ତି ଓ ମୃତ୍ୟୁ ହେଉଛି। ଏହାସହ ପୂର୍ବରୁ ରାଜ୍ୟରେ ସେରୋ ସର୍ଭେରେ ବେଶ୍ ଭଲ ଫଳାଫଳ ଦେଖିବାକୁ ମିଳିଥିଲା। ତେଣୁ ରାଜ୍ୟରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ଦରକାର ବୋଲି ଡା.ମିଶ୍ର କହିଛନ୍ତି।
ରାଜ୍ୟରେ ବିଦେଶ ଫେରନ୍ତାଙ୍କୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି। କେତେ ସଂଖ୍ୟକ ବିଦେଶ ଫେରନ୍ତାଙ୍କୁ ଟ୍ରାକିଂ କରାଯାଇ ନମୁନା ପରୀକ୍ଷା କରାଯାଇଛି ତାହା ସଂପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅପରପକ୍ଷରେ ରାଜ୍ୟରେ ଗତ ୬ଦିନରେ ସର୍ବାଧିକ ସଂକ୍ରମଣ ସାମ୍ନାକୁ ଆସିଛି। ୧୪ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ବାହାରି ନାହାନ୍ତି। ଏହାସତ୍ତ୍ବେ ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୦-୧୮ବର୍ଷ ଭିତରେ ୨୦ଜଣ ପିଲା ରହିଛନ୍ତି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଓ ଷ୍ଟେଟ୍ ପୁଲରୁ ୨୦ଜଣଙ୍କୁ ଚିହ୍ନଟ କରାଯାଇଛି। ଆଉ ୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୪୫୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୫ଶହରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।