ଭୁବନେଶ୍ବର: ଆମ୍ବଟାକୁଆ ଜାଉ ଖାଇ ତିନି ଜଣ ଆଦିବାସୀ ଜୀବନ ହାରିଦେଲେ। ସାରା ଦେଶରେ ଓଡ଼ିଶା ଲଜ୍ଜିତ ହେଲା। ଗନ୍ଧମାର୍ଦ୍ଦନ ପାଖରେ ଆଦାନୀର ଜମି କିଣା ବେଶ୍ ରହସ୍ୟଜନକ ହୋଇପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ କୁହୁଳିବାରେ ଲାଗିଛି। ଏହି ଦୁଇଟି ବଡ଼ ପ୍ରସଙ୍ଗରେ ସରକାର ବ୍ୟାକ୍ଫୁଟ୍ରେ ଅଛନ୍ତି। ବିଧାନସଭାରେ ସରକାରଙ୍କୁ ଆହୁରି ଅଡ଼ୁଆରେ ପକାଇବାକୁ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ପ୍ରଭାବୀ ଢଙ୍ଗରେ ଉଠାଇବେ ବୋଲି ସୂଚନା ମିଳିଛି। ବିରୋଧୀଙ୍କୁ ମୁକାବିଲା କରିବାକୁ ଶାସକ ଦଳ ବିଜେପି ବି ଠୋସ୍ ରଣନୀତି ପ୍ରସ୍ତୁତ କରୁଛି। ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ ପାଇଁ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି।
ସରକାରଙ୍କୁ ଘାଇଲା କରିବାକୁ ବିରୋଧୀ ପ୍ରସ୍ତୁତ
ମୁକାବିଲା ପାଇଁ ରଣନୀତି କରୁଛି ଶାସକ ଦଳ
ଗତ ବିଧାନସଭା ଅଧିବେଶନ ସମୟରେ ବିଜେପି ପ୍ରଥମ ଥର ପାଇଁ ଶାସକ ଦଳ ପଟେ ବସିଥିଲା। କିଛି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ। ମଦମୃତ୍ୟୁ, ଏଏସ୍ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଟାଣିଥିଲେ। କିନ୍ତୁ ବିଜେପି ସରକାରର ପ୍ରଥମ ଅଧିବେଶନ ହୋଇଥିବାରୁ ପ୍ରସଙ୍ଗଗୁଡ଼ିକ ଦାନା ଧରି ନଥିଲା।
ଏଥର କିନ୍ତୁ ସେହି ସ୍ଥିତି ନାହିଁ। ବିଜେପି ସରକାର ଗଠନକୁ ୫ ମାସରୁ ଅଧିକ ଦିନ ହୋଇଗଲାଣି। ଆଉ ସରକାର ସମ୍ପୂର୍ଣ୍ଣ ବିବାଦମୁକ୍ତ ନାହାନ୍ତି। ନିକଟ ଅତୀତରେ ରାଜ୍ୟରେ ଏମିତି କିଛି ଘଟଣା ଘଟିଛି, ଯେଉଁଥିରେ କି ରାଜ୍ୟ ସରକାର ସେଥିରେ ନିଜକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କହିପାରିବେ ନାହିଁ। ବିଶେଷ କରି ଆଦିବାସୀମାନେ ଆମ୍ବଟାକୁଆ ଜାଉ ଖାଇବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି। ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ଘଟଣାସ୍ଥଳକୁ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ଯାଇନାହାନ୍ତି। ଓଲଟା ଆଦିବାସୀମାନେ ଟାକୁଆ ଖାଆନ୍ତି ବୋଲି କହି ମନ୍ତ୍ରୀମାନେ ପ୍ରସଙ୍ଗଟିକୁ ହାଲ୍କା କରିବାକୁ ଚେଷ୍ଟା କରି ଅଧିକ ବିବାଦୀୟ କରିଦେଇଛନ୍ତି। ତେଣୁ ବିଧାନସଭାରେ ଏହା ଠାରୁ ବଡ଼ ପ୍ରସଙ୍ଗ ଆଉ କିଛି ନହୋଇପାରେ। ବିଜେଡି ଓ କଂଗ୍ରେସର ଭିତର ମହଲରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରୁ ହିଁ ଆମ୍ବଟାକୁଆ ପ୍ରସଙ୍ଗକୁ ଉଭୟ ଦଳ ଜୋର୍ଦାର କରିବେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡ଼ିବା ସହ ବିଧାନସଭା କମିଟି ଦ୍ବାରା ତଦନ୍ତ ଦାବି କରିବେ। ସମାନ ସ୍ଥିତି ଆଦାନୀ ପ୍ରସଙ୍ଗରେ। ଗନ୍ଧମାର୍ଦ୍ଦନ ପାଖରେ ଆଦାନୀ ଜମି କିଣା ନେଇ ସରକାରଙ୍କ ଠାରୁ ଉତ୍ତର ଲୋଡ଼ିବେ ବିରୋଧୀ। ସୌରଶକ୍ତି ପାଇଁ ଆଦାନୀ ଲାଞ୍ଚ ଦେବା ଘଟଣାକୁ କଂଗ୍ରେସ ପ୍ରସଙ୍ଗ କରିବାକୁ ଯୋଜନା ଚଳାଇଛି। କିନ୍ତୁ ବିଜେଡି ଏହି ପ୍ରସଙ୍ଗରେ କି ଆଭିମୁଖ୍ୟ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବିଜେଡି ସରକାର ସମୟରେ ହିଁ ଲାଞ୍ଚ କାରବାର ଅଭିଯୋଗ ହୋଇଛି।
ଆର୍ଆଇ, ଅମିନ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ନେଇ ଛାତ୍ର ଆନ୍ଦୋଳନ ଜାରି ରହିଥିଲା ବେଳେ ସରକାର କିଛି ନିଷ୍ପତ୍ତି ଶୁଣାଉ ନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, କଟକ ଗଣଦୁଷ୍କର୍ମ ଘଟଣା, ଆଦିବାସୀଙ୍କୁ ଶୋଷଣ, ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଧାନସଭା ଅଧିବେଶନକୁ ସରଗରମ କରାଇବ। ସେହିପରି ଆର୍ସେଲର୍ ମିତ୍ତଲ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବ କି ନାହିଁ, ତାହାର ଉତ୍ତର ମଧ୍ୟ ବିରୋଧୀ ମାଗିବେ। ବିଜେଡି ପକ୍ଷରୁ ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗ ଉଠାଯାଇ ପୁଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରାଯିବ। ବିରୋଧୀଙ୍କୁ ମୁକାବିଲା କରିବାକୁ ଶାସକ ଦଳ ପକ୍ଷରୁ କେବଳ ଗତ ୨୪ ବର୍ଷର ଉଦାହରଣ ଦେଇ ପାଲଟା ଆକ୍ରମଣ ଏଥର ପ୍ରଭାବୀ ହୋଇ ନପାରେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି। ତେଣୁ ବିରୋଧୀଙ୍କୁ ଠୋସ୍ ଉତ୍ତର ଦେବାକୁ ମଧ୍ୟ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି। ଶାସକ ଦଳରୁ କେଉଁ ସଦସ୍ୟ କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବେ, ତାହାର ତାଲିକା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ମନଇଚ୍ଛା ମନ୍ତବ୍ୟ ନ ଦେଇ ଯୋଜନାବଦ୍ଧ ଭାବେ ବିରୋଧୀଙ୍କୁ ମୁକାବିଲା କରିବାକୁ କୁହାଯାଇଛି। ବିଧାନସଭା ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି କାଲି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ତାହା ପରେ ବିଧାନସଭା ପରିସରରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ସେହିପରି ଶଙ୍ଖ ଭବନରେ ବିଜେଡି ଓ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇ ରଣନୀତି ପ୍ରସ୍ତୁତ କରାଯିବ।