ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ: ଏଆଇସିଟିଇ ଓ ଭାଷା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ପାଇଁ ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ଓ ଓଡ଼ିଆ ଭାଷା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲାଙ୍ଗୁଏଜ୍ ଟ୍ରାନ୍ସଲେସନ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ତଥା ଡିପ୍ଲୋମା ପାଠ୍ୟକ୍ରମକୁ କିଭଳି ଭାବେ ଶୀଘ୍ର ଓଡ଼ିଆରେ ଅନୁବାଦ କରାଯିବ ସେନେଇ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଏଆଇସିଟିଇର ତ୍ୱରିତ ପଦକ୍ଷେପ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ ଯୋଗେ ପ୍ରଶଂସା କରିବା ସହ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ବୈଷୟିକ ଶିକ୍ଷାରେ ଭାଷାରୁ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏଆଇସିଟିଇ ଦ୍ୱାରା ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ। ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ। ବିଶେଷ ଭାବେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବ।

ଓଡ଼ିଆ ସମେତ ଦେଶର ୧୧ଟି ଆଞ୍ଚଳିକ ଭାଷାରେ ବି.ଟେକ୍ ପାଠ୍ୟକ୍ରମ ପଢ଼ାଇବା ପାଇଁ ଏଆଇସିଟିଇ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଓଡ଼ିଆ ସମେତ ହିନ୍ଦୀ, ଓଡ଼ିଆ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ, ଗୁଜରାଟି, ମାଲାୟାଲାମ, ବେଙ୍ଗଲୀ, ଆସାମୀ ଓ ପଞ୍ଜାବୀ ଭାଷାରେ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିପାରିବେ। ଏଆଇସିଟିଇକୁ ବ୍ୟବହାର କରି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ଭାଷା ଓ ଗବେଷଣା କେନ୍ଦ୍ରର ସହଯୋଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଥିବା ଇଂରାଜୀ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବ। ବିଶ୍ୱସ୍ତରୀୟ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀକୁ ଇଂରାଜୀ ଓ ଓଡ଼ିଆ ଭାଷା ସହ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପୁସ୍ତକ ପ୍ରକାଶନ କରାଯିବ। ଏହାଦ୍ବାରା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟର ହେବା ସ୍ୱପ୍ନରେ ଭାଷା ପ୍ରତିବନ୍ଧକ ସାଜିବ ନାହିଁ।

ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପାଇଁ ଏହି ପଦକ୍ଷେପ ଗୌରବର ବିଷୟ। ଇଞ୍ଜିନିୟରିଂ ପାଠକୁ ଓଡ଼ିଆ ଭାଷାରେ ପଢ଼ା ଗଲେ ଗରିବ, ଦଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ଶ୍ରେଣୀଗୃହରେ ପ୍ରତ୍ୟେକ ବିଷୟରେ ଶିକ୍ଷା ଦାନ, ଭିଡିଓ ଓ ବିଷୟର ଥିବା ସ୍ଲାଇଡ୍‌କୁ ଅନୁବାଦ କରାଯିବ। ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସ୍ତରର ଗବେଷଣା, ନବସୃଜନ ଉପରେ ଆଧାରିତ ଇଂରାଜୀରେ ପ୍ରକାଶିତ ବୈଜ୍ଞାନିକ ଜର୍ଣ୍ଣାଲକୁ ଓଡ଼ିଆରେ ପ୍ରଦାନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ପ୍ରତ୍ୟେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ରୋଜଗାର ସୁଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)ର ସଭାପତି ବିନୋଦ ଦାସ ଏଆଇସିଟିଇର ନିଷ୍ପତିକୁ ସ୍ୱାଗତ କରି କହିଛନ୍ତି ଯେ ଇଞ୍ଜିନିୟରିଂ କଲେଜରେ ଅଧିକାଂଶ ଛାତ୍ରଛାତ୍ରୀ ଓଡ଼ିଆ ସ୍କୁଲରୁ ଆସନ୍ତି। ଏହି ପଦକ୍ଷେପ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର