ପାଟଣା: ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ା ଗାଁର ସୁଦେବ ପୃଷ୍ଟି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୁଦେବ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ବେଳେ ବିନା କୋଚିଂରେ ପ୍ରଥମ ସୁଯୋଗରେ ସେ ଏହି ସଫଳତା ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଟାଙ୍ଗରପଡ଼ା ଗ୍ରାମର ଭିକାରି ଚରଣ ପୃଷ୍ଟି ଓ ସାବିତ୍ରୀ ପୃଷ୍ଟିଙ୍କ ଦୁଇପୁଅ ମଧ୍ୟରୁ ସୁଦେବ ଥିଲେ ସାନ। ବାପା ଏକ ଘରୋଇ ସ୍କୁଲରେ କିଛି ଦିନ ବିନା ବେତନରେ ଶିକ୍ଷକତା କରିବା ପରେ ଚାଷକାମ କରୁଥିଲେ। ପିଲାଟି ଦିନରୁ ସୁଦେବ ଅତ୍ୟନ୍ତ ମେଧାବୀ ଥିଲେ। ଟାଙ୍ଗରପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ସୁଦେବ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟରେ ଯୁକ୍ତ ବିଜ୍ଞାନରେ ନାମ ଲେଖାଇଥିଲେ। ଯୁକ୍ତ ୨ ପରେ ସେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ।

Advertisment

ପ୍ରଥମେ ପଞ୍ଜାବ ଓ ଏବେ ଆସାମର ଗୌହାଟିରେ ସେ କାର୍ଯ୍ୟରତ ଅଛନ୍ତି। ଦୀର୍ଘ ୧୫ବର୍ଷ ଧରି ସେ ଚାକିରି କରିବା ସହ ଏହାରି ମଧ୍ୟରେ ପତ୍ରବିନିମୟ କୋର୍ସ ମାଧ୍ୟମରେ ସ୍ନାତକ ଶେଷ କରିଥିଲେ। ଓଡ଼ିଶା ପ୍ରଶାସନିକ ସେବା ଓ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେ ଜୋରଦାର ପ୍ରସ୍ତୁତି ଜାରି ରଖିଥିଲେ। ବିନା କୋଚିଂରେ କେବଳ ନିଜେ ପାଠପଢ଼ି ପ୍ରଥମ ସୁଯୋଗରେ ସୁଦେବ ଓସିଏସ୍‌ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପରେ ପରିବାର ସମେତ ଟାଙ୍ଗରପଡ଼ା ଗ୍ରାମରେ ଖୁସିର ଲହରି ଖେଳି ଯାଇଛି।

ପୁଅର ସଫଳତା ସମ୍ପର୍କରେ ମା’ ସାବିତ୍ରୀ କହିଛନ୍ତି, ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସେ ଲୋକଙ୍କ ବିଲରେ ଶ୍ରମିକ ଭାବେ କାମ କରିବା ସହ ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ। ବହୁ କଷ୍ଟରେ ପିଲାଙ୍କୁ ପାଠ ପଢ଼ାଇଥିଲେ। ପରିଶ୍ରମର ମୂଲ୍ୟ ଦେବାକୁ ପୁଅକୁ ପଣ କରାଇଥି‌ଲି। ପୁଅ ବାୟୁସେନାରେ ଚାକିରି କରିବା ପରେ ପାଠପଢ଼ା ଜାରି ରଖିଥିଲା। ନିଜ ପରିଶ୍ରମର ମୂଲ୍ୟ ପୁଅ ଦେଇଛି। ଏଥିପାଇଁ ସେ ବହୁତ ଖୁସି ବୋଲି ସାବିତ୍ରୀ କହିଛନ୍ତି।