ଟପର୍ସଙ୍କ ମୁହଁରୁ

ଚାଟାର୍ଡ ଆକାଉଣ୍ଟାଣ୍ଟ ହେବି: ବିଶାଖା
ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରୀ ବିଶାଖା ଗୁପ୍ତା ରାଜ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ମୋଟ ୬ଶହ ନମ୍ବରରୁ ସେ ରଖିଛନ୍ତି ୫୬୫ (୯୪.୧୬)। ଚାଉଳିଆଗଞ୍ଜର ବାସିନ୍ଦା ବ୍ୟବସାୟୀ ରବିକାନ୍ତ ଗୁପ୍ତା ଓ ଗୃହିଣୀ ସନ୍ତୋଷୀ ଗୁପ୍ତାଙ୍କ ଝିଅ ହେଉଛନ୍ତି ବିଶାଖା। ବିଶାଖା କହିବା ଅନୁଯାୟୀ କଲେଜରେ ନାମ ଲେଖାଇବା ଦିନଠାରୁ ପ୍ରତିଦିନ ୩ରୁ ୪ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି। ପରୀକ୍ଷାରେ ଭଲ ନମ୍ବର ପାଇଁ ପ୍ରଥମେ ପଢା ବହିକୁ ଛାତ୍ରଛାତ୍ରୀ ଗୁରୁତ୍ବ ଦେବା ଆବଶ୍ୟକ। ସଫଳତାର ସମସ୍ତ ଶ୍ରେୟ ସେ ଭଗବାନ, ବାପା, ମା’, କଲେଜର ଅଧ୍ୟାପକ ଓ ‘ଏଅଆଇଏମ୍‌ ଆଣ୍ଡ ଇ’ ଅନୁଷ୍ଠାର ସମସ୍ତ ଶିକ୍ଷକଙ୍କୁ ଦେବି ବୋଲି କୁହନ୍ତି ବିଶାଖା।

ଆନ୍ଥ୍ରୋପୋଲୋଜିରେ ସ୍ନାତକ କରିବି: ଶିବାନୀ
ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ଦୁଇ କଳା ଛାତ୍ରୀ ଶିବାନୀ ପ୍ରିୟଦର୍ଶିନୀ ପତ୍ରୀ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ମୋଟ ୬ ଶହରୁ ୫୪୫ (୯୦.୮୦) ନମ୍ବର ରଖିଛନ୍ତି। ସିଡିଏର ଆଇନଜୀବୀ ସୁରେନ୍ଦ୍ର କୁମାର ପତ୍ରୀ ଓ ଗୃହିଣୀ ମିନତି ମଞ୍ଜରୀ ପତ୍ରୀଙ୍କ ଝିଅ ହେଉଛନ୍ତି ଶିବାନୀ। ଶିବାନୀ କହିବା ଅନୁଯାୟୀ ସେ ପରୀକ୍ଷାର ଦୁଇ ମାସ ପୂର୍ବରୁ ଦିନକୁ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ। କ୍ଲାସ୍‌ରେ ସମସ୍ତ ସନ୍ଦେହକୁ ଦୂର କରୁଥିଲେ। ଛାତ୍ରଛାତ୍ରୀ ନିଜେ ଯେତିକି ସମୟ ପଢୁଛନ୍ତି ତାହାକୁ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଭବିଷ୍ୟତରେ ସେ ଆନ୍ଥ୍ରୋପୋଲୋଜିରେ ସ୍ନାତକ କରିବେ ବୋଲି ଶିବାନୀ କହିବା ସହ ନିଜ ସଫଳତାର ସମସ୍ତ ଶ୍ରେୟ ପରିବାର ସଦସ୍ୟ, ଭଗବାନ ଓ କଲେଜର ଅଧ୍ୟାପକଙ୍କୁ ଦେଇଛନ୍ତି।

ଶିକ୍ଷୟିତ୍ରୀ ହେବି: ପୂଜା
ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ପୂଜା ସାହୁ ଯୁକ୍ତ ଦୁଇ କଳାରେ ୫୪୦ (୯୦ପ୍ରତିଶତ) ନମ୍ବର ରଖି କଲେଜର କଳା ଟପର୍ ହେବା ସହ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ପୂଜାଙ୍କ ମୂଳ ଘର ନୟାଗଡ଼ ଜିଲ୍ଲା ମଧୁପୁର ଗାଁ ହୋଇଥିବା ବେଳେ ସେ କଟକର ପୀଠାପୁର ଅଞ୍ଚଳରେ ରହୁଛନ୍ତି। ତାଙ୍କ ବାପା ବାଳକୃଷ୍ଣ ସାହୁ ଜଣେ ଅଟୋ ଚାଳକ ଓ ମା’ କୁନ୍ତଳା ସାହୁ ଗୃହିଣୀ। ପରୀକ୍ଷା ପାଇଁ ପୂଜା ଦିନକୁ ୮/୧୦ ଘଣ୍ଟା ପଢ଼ାପଢ଼ି କରୁଥିଲେ। ପରୀକ୍ଷା ଫଳକୁ ନେଇ ସେ ଖୁବ ଖୁସି ଅଛନ୍ତି। ଭବିଷ୍ୟତରେ ସେ ହାଇସ୍କୁଲ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସଫଳତାରେ ଶ୍ରେୟ ନିଜ ବାପାମା’, କଲେଜ ଓ କୋଚିଂ ସେଣ୍ଟର ଶିକ୍ଷକଙ୍କୁ ଦେଇଛନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ରହିଲେ ଜଣେ ସଫଳତା ପାଇବାରେ ଅସୁବିଧା ହେବ ନାହିଁ ‌ବୋଲି କୁହନ୍ତି ପୂଜା।

ପ୍ରଶାସିକା ହେବି: ଲିପ୍‌ସା
ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ଦୁଇ କଳା ଛାତ୍ରୀ ଲିପ୍‌ସା ରାଣୀ ସାହୁ କଳାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୬ଶହରୁ ୫୪୦ (୯୦ ପ୍ରତିଶତ) ନମ୍ବର ରଖିଛନ୍ତି। କଟକ, ଟାଙ୍ଗୀର ବାସିନ୍ଦା ବ୍ୟବସାୟୀ ପ୍ରସନ୍ନ ସାହୁ ଓ ଗୃହିଣୀ ରଶ୍ମିତା ସାହୁଙ୍କ ଝିଅ ହେଉଛନ୍ତି ଲିପ୍‌ସା। ପରୀକ୍ଷା ପାଇଁ ପ୍ରତିଦିନ ସେ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲେ। ପରୀକ୍ଷାକୁ ନେଇ କେବେ ବି ଚିନ୍ତା ଅଥବା ଚାପରେ ନଥିଲେ। କିନ୍ତୁ ପାଠକୁ ଭଲ ପାଇବା ସହ ପଢିବା ପାଇଁ ଅଧିକ ସମୟ ବିନିଯୋଗ କରୁଥିଲେ। ଭବିଷ୍ୟତରେ ପ୍ରାଶାସନିକ ସେବାରେ ଯୋଗ ଦେଇ ଜଣେ ଭଲ ପ୍ରଶାସିକା ହେବେ ବୋଲି ଲିପ୍‌ସା କହିବା ସହ ନିଜ ସଫଳତାର ଶ୍ରେୟ ପରିବାର, ଈଶ୍ବର, କଲେଜ ଓ ଶ୍ରଦ୍ଧାଞ୍ଜଳି ଶିକ୍ଷା ଅନୁଷ୍ଠାର ସମସ୍ତ ଅଧ୍ୟାପକ ଓ ବିକାଶ ସାର୍‌ଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର