ଏମ୍‌ସରେ ଘନେଇଲାଣି ‘ତୋରାଣି’ ବିବାଦ

ଗବେଷଣା ସରିନି କି ସାଇଣ୍ଟିଫିକ୍‌ ଜର୍ଣ୍ଣାଲରେ ପ୍ରକାଶିତ ହୋଇନି
ବରିଷ୍ଠଙ୍କୁ ଛାଡ଼ି ପ୍ରୋବେସନ୍‌ରେ ଥିବା ଡାକ୍ତରଙ୍କୁ ଦୁଇଟି ପଦୋନ୍ନତି

ଭୁବନେଶ୍ୱର : ତୋରାଣି ଗବେଷଣାକୁ ନେଇ ଏମ୍‌ସରେ ବିବାଦ ସୃଷ୍ଟି ହୋଇଛି। ପଖାଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ବିଶେଷକରି ଶିଶୁମାନଙ୍କ ଅପପୁଷ୍ଟି ଦୂର ହୋଇଥାଏ। କିଛି ମାସ ପୂର୍ବରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତେବେଳେ ଶୀର୍ଷରେ ଥିଲା, ବାୟୋ-କେମେଷ୍ଟ୍ରି ବିଭାଗର ଅତିରିକ୍ତ ପ୍ରଫେସର୍‌ ଡ. ରାମଦାସ ବାଲମୁରଗନଙ୍କ ବକ୍ତବ୍ୟ ଆଧାରରେ ଏହି ଗବେଷଣା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ କିଛି ଦିନ ତଳେ ଗବେଷଣା ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ ଅନ୍ତର୍ଗତରେ ଦିଆଯାଇଥିବା ପ୍ରଶ୍ନର ଉତ୍ତରରେ ଏମ୍‌ସ କର୍ତ୍ତୃପକ୍ଷ ଯେଉଁ ଜବାବ ରଖିଛନ୍ତି, ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିସହ ପ୍ରୋବେସନ୍‌ରେ ଥିବା ଡ. ବାଲମୁରଗନଙ୍କ ଦୁଇଟି ପଦୋନ୍ନତିକୁ ନେଇ ମଧ୍ୟ ସନ୍ଦେହ କରାଯିବା ଆରମ୍ଭ ହେଲାଣି।

ତୋରାଣି ପିଇଲେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ନେଇ ସାଇଣ୍ଟିଫିକ୍‌ ରିସର୍ଚରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିମ୍ବା ଏ ସଂକ୍ରାନ୍ତରେ କୌଣସି ରିପୋର୍ଟ ମଧ୍ୟ ସାଇଣ୍ଟିଫିକ୍‌ ଜର୍ଣ୍ଣାଲରେ ପ୍ରକାଶିତ ହୋଇନାହିଁ। ପଖାଳ ଗବେଷଣାରେ କେତୋଟି ନମୁନା ପରୀକ୍ଷଣ ହୋଇଥିଲା, ଯାହା ପରେ ରୋଗ ପ୍ରତିରୋଧକ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ ଉତ୍ତର ଦିଆଯିବା ସମ୍ଭବ ନୁହେଁ। ରାଜଧାନୀବାସିନ୍ଦା ରବିନାରାୟଣ ମହାନ୍ତି ସୂଚନା ଅଧିକାର ଆଇନ ବଳରେ ମାଗିଥିବା ବିଭିନ୍ନ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ଏମ୍‌ସ ଆଡମିନ୍‌ ଡେପୁଟି ଡାଇରେକ୍ଟର ପି.କେ ରାୟ। ଏହି ଆର୍‌ଟିଆଇ ରିପୋର୍ଟ ପ୍ରଘଟ ହେବା ପରେ ବିଭିନ୍ନ ବିଭାଗର ଏମ୍‌ସ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

Pinterest

ଜଣେ ବରିଷ୍ଠ ପ୍ରଫେସର୍‌ଙ୍କ ଅଭିଯୋଗ ଅନୁଯାୟୀ, ପଖାଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ନେଇ ଗବେଷଣା ରିପୋର୍ଟ ଆସି ନାହିଁ, ସାଇଣ୍ଟିଫିକ୍‌ ଜର୍ଣ୍ଣାଲ ପ୍ରକାଶିତ ହୋଇ ନାହିଁ କି ଏ ସଂକ୍ରାନ୍ତରେ ମେଡିକାଲ ବିଶେଷଜ୍ଞଙ୍କ ସମୀକ୍ଷା ମଧ୍ୟ ସରି ନାହିଁ। ଏଭଳି ସ୍ଥିତିରେ ଏକ ଅଧାପନ୍ତରିଆ ରିପୋର୍ଟକୁ କେଉଁ ଆଧାରରେ ଏମ୍‌ସ ଗବେଷକ ଗଣମାଧ୍ୟମରେ ପ୍ରକାଶିତ କଲେ? ଏମ୍‌ସ କର୍ତ୍ତୃପକ୍ଷ କାହିଁକି ଏହାକୁ ପ୍ରୋତ୍ସାହିତ କଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ରାଜ୍ୟର ଗରିବ ଜନସାଧାରଣଙ୍କ ପ୍ରତି ଉପହାସ ସଦୃଶ ବୋଲି ସେ କହିଛନ୍ତି। ଏହି ରିପୋର୍ଟ ପ୍ରକାଶିତ ହେବା ପରେ ଅପପୁଷ୍ଟି ରୋଗରେ ପୀଡ଼ିତ ଅନେକ ଲୋକ ପୋଷଣଯୁକ୍ତ ଖାଦ୍ୟ ବଦଳରେ ପଖାଳ ଖାଇବାକୁ ଗୁରୁତ୍ବ ଦେଉଛନ୍ତି। ଯାହା ସେମାନଙ୍କ ମୂଳ ସମସ୍ୟାର ସମାଧାନ ନୁହେଁ ବୋଲି ଆଶଙ୍କା କରାଯାଉଛି।

ଏହାବ୍ୟତୀତ ଆରଟିଆଇରେ ପ୍ରଶ୍ନ କରାଯାଇଥିଲା ଯେ ବାୟୋକେମେଷ୍ଟ୍ରି ବିଭାଗରେ ଡ. ମୁରଗନଙ୍କଠାରୁ ୪ଜଣ ବରିଷ୍ଠ ସହକାରୀ ପ୍ରଫେସର୍‌ ରହିଛନ୍ତି। ମାତ୍ର ସେମାନଙ୍କୁ ପଦୋନ୍ନତି ଦିଆନଯାଇ କ୍ଲିନିକାଲ ପୃଷ୍ଠଭୂମିର ନହୋଇ ମଧ୍ୟ ଡ.ମୁରଗନଙ୍କୁ କାହିଁକି ଦୁଇଟି ପଦୋନ୍ନତି ଦିଆଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା। ଏମ୍‌ସ ପକ୍ଷରୁ ଏହାର କୌଣସି ଉତ୍ତର ଦିଆଯାଇନାହିଁ। ପ୍ରୋବେସନ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ଗବେଷଣା ପାଇଁ କାହିଁକି ୨୨କୋଟି ଦିଆଗଲା ବୋଲି ଆରଟିଆଇରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ କେବଳ ଡ. ବାଲମୁରଗନ ନୁହେଁ, ବରଂ କ୍ଲିନିକାଲ ମାଇକ୍ରୋ ବାୟୋମ ସେଣ୍ଟର୍‌ ଫର୍‌ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ୨୨.୫୮କୋଟି ଦିଆଯାଇଛି।

ସମ୍ବନ୍ଧିତ ଖବର