ପାରଳାଖେମୁଣ୍ଡି: ଲଘୁଚାପ ପ୍ରଭାବରେ ବାଦଲଫଟା ବର୍ଷା ଗଜପତି ଜିଲ୍ଲାରେ ବଡ଼ ବିପର୍ଯ୍ୟୟ ଘଟାଇଛି। ତିନିଦିନ ଧରି ଲାଗି ରହିଥିବା ମୂଷଳଧାରା ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଚାରିଟି ବ୍ଲକ୍ରେ ଭୂସ୍ଖଳନ ସହିତ ପାହାଡ଼ ଧସି ଏବଂ ପାହାଡ଼ରୁ ପ୍ରବଳ ପାଣି ସୁଅ ଆସି ଅନେକ ଅଞ୍ଚଳରେ ଚାଷବାସ, ଗୃହପାଳିତ ପଶୁଙ୍କ ସମେତ ପେକେଟଗାଁରେ ବାପାପୁଅଙ୍କୁ ଭସାଇ ନେଇଛି। ରାୟଗଡ଼ ବ୍ଳକ୍ ମାର୍ଲବା ପଞ୍ଚାୟତ ପେକଟଗାଁରେ ଚାଷଜମିରୁ ଫେରିବା ବେଳେ ବାପ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବରଙ୍କୁ ପାହାଡ଼ପାଣି ଭସାଇ ନେଇଥିଲା। ବ୍ରହ୍ମପୁର ଅଗ୍ନିଶମ ବିଭାଗ ସନ୍ଧାନୀ କୁକୁର ସହାୟତାରେ ଓଡ୍ରାଫ୍ ଓ ପୁଲିସ କର୍ମଚାରୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ମୋହନା ବ୍ଲକ୍ ବନ୍ଧାଗୁଡ଼ାର ଲକ୍ଷ୍ମଣ ମଲ୍ଲିକ ନିଜ ଗାଈକୁ ବଞ୍ଚାଇବାକୁ ଯାଇ ଲୁଡୁରୁ ନଦୀରେ ଭାସି ପ୍ରାଣ ହରାଇଛନ୍ତି। ଅନ୍ୟପଟେ ରା.ଉଦୟଗିରି ବ୍ଲକ୍ ବସ୍ତ୍ରୀଗୁଡ଼ା ଗ୍ରାମର ତ୍ରିନାଥ ନାୟକ ପାଣି ସୁଅରେ ଭାସିଯିବା ବେଳେ ଏକ ପଥର ସନ୍ଧିରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ପରିବହନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତକାଲି ରାତିରୁ ଆଜି ଦିନତମାମ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ଲାବାନ୍ୟ ରାଇକାଙ୍କ କହିବା ଅନୁସାରେ ହଠାତ୍ ପାହାଡ଼ ଭୂସ୍ଖଳନ ହେବାରୁ ସବୁଆଡେ ଧୁଆଁମୟ ହୋଇଯାଇଥିଲା। ପାହାଡ଼ରୁ ପାଣି ମାଡ଼ି ଆସିଥିଲା। କ୍ଷଣିକ ଭିତରେ ନଦୀର ଗତିପଥ ବଦଳି ସବୁ ଧୋଇ ନେଇଥିଲା। ସେ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିବା ବେଳେ ତା’ପରେ ଆଉ କଣ ଘଟିଲା ଜାଣି ପାରିନଥିଲେ। ଲାବାନ୍ୟଙ୍କ ବୟାନ ମୁତାବକ ବିପର୍ଯ୍ୟୟ ସମୟରେ ତାଙ୍କ ସହ ଆଉ ତିନିଜଣ ଥିଲେ। ଘଟଣାକୁ ୩୦ ଘଣ୍ଟା ବିତିଛି। ତଲାସି ଅଭିଯାନକୁ ୨୪ ଘଣ୍ଟା ବିତିଲାଣି, ନିଖୋଜ ଦୁଇଜଣଙ୍କର ଏଯାଏଁ ସନ୍ଧାନ ମିଳିନାହିଁ। ମୂଷଳ ଧାରାରେ ବର୍ଷା ସମଗ୍ର ଜିଲ୍ଲାରେ ବିପର୍ଯ୍ୟୟ ଘଟାଇଛି। କଟାମା ପଞ୍ଚାୟତ ବାଲିଗଣ୍ଡାରେ ଅତଡ଼ା ଖସି ବଡ଼ବଡ଼ ପଥର ଓ ଗଛ ପଡ଼ି ୨୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ବିତ୍ପାତରୁ ସମଗ୍ର ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କାଶୀନଗର ବ୍ଲକ୍ର ଖଣ୍ଡାବା ଓ ବୁଦୁରା ପଂଚାୟତ ମଧ୍ୟରେ ଥିବା ପାଲସିଂ, ସାରା, ବଡ଼ିଗାଁ, ଖାଣ୍ଡବା, ବୋଥଭା, କୀତିଙ୍ଗି, ବୁଦୁରା ଓ ଇଦୁଡ଼ି ଗ୍ରାମଠାରେ ନଦୀର ଜଳସ୍ତର ଅହେତୁକ ଭାବେ ବଢ଼ି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କାଶୀନଗର ନିକଟରେ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ତଳି ଅଞ୍ଚଳରେ ନଦୀ ପାଣି ପଶିଯାଇଥିଲା।
ଅନେକ ଗାଁରେ ଚାଷଜମି ଜଳମଗ୍ନ ହୋଇଯାଇଛି। ରା.ଉଦୟଗିରିରେ ରାସ୍ତା ଉପରେ ୬ ଫୁଟ ଉଚ୍ଚର ନଦୀଜଳ ପ୍ରବାହିତ ହୋଇଥିବା ବେଳେ ରା. ଉଦୟଗିରିଠାରୁ ରାମଗିରି ରାସ୍ତା ଧୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନଦୀରେ ଅତ୍ୟଧିକ ବର୍ଷାଜଳ ଆସି ତଳି ଅଞ୍ଚଳ ଗାଁ’ରେ ଅନେକ ଘରେ ପାଣି ପଶିବା ଫଳରେ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ରା.ଉଦୟଗିରିରେ ନଦୀଜଳ ରାସ୍ତା ଉପରେ ପ୍ରବାହିତ ହେବାରୁ ଦୁଇଟି ବୋଲେରୋ ଭାସି ଯାଇଥିଲା। ଗୁମ୍ମା ବ୍ଳକ୍ର ସେରଙ୍ଗ-ଅଜୟଗଡ଼ ରାସ୍ତାର ଅଙ୍ଗେଡାଠାରେ ମାଟି ଅତଡ଼ା ଓ ବଡ଼ବଡ଼ ଗଛପଡ଼ି ବହୁ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତାକୁ ସଫା କରାଯାଇଛି। ସେହିଭଳି ତରଙ୍ଗଡା ପଞ୍ଚାୟତର ଅଡରସିଂଠାରେ ରାସ୍ତା ଧୋଇ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଆଶ୍ରୟଗଡଠାରୁ ବୁରୁଡିଂ ରାସ୍ତାରେ ଏକ ପୋଲ ଭାସିଯାଇଛି। ମହେନ୍ଦ୍ରତନୟା ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୂଳରେ ଥିବା ବାଘଶାଳା ଓ ବାପୁଜୀପେଣ୍ଠ ଗାଁ ଭିତରେ ବଢ଼ିପାଣି ପଶିଯାଇଛି। ଉପଜିଲ୍ଲାପାଳ ଅନୁପ ପଣ୍ଡା, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅଂଶୁମାନ ମହାପାତ୍ର, ରାୟଗଡ଼ ବ୍ଲକ୍ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ, ତହସିଲଦାର ସୁଶାନ୍ତ ପ୍ରଧାନ ଓ ଥାନା ଅଧିକାରୀ କମଳା ଚୌଧୁରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।