ଅଢ଼େଇ କିଲୋ ଓଜନର ବିରଳ ସ୍ୱର୍ଣ୍ଣ କଇଁଛ ଉଦ୍ଧାର, ଭଗବାନଙ୍କ ପ୍ରତୀକ ଭାବରେ ପୂଜା କରି ବନବିଭାଗକୁ ହସ୍ତାନ୍ତର କଲେ ଚାଷୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିରୁ ଧରାଗଲା ବିରଳ ସ୍ୱର୍ଣ୍ଣ କଇଁଛ । ଜଣେ ଚାଷୀ ନିଜ ବିଲରେ ହଳ କରୁଥିବା ବେଳେ ଏହି ବିରାଟ କଇଁଛକୁ ଦେଖି ପ୍ରଥମେ ଡ଼ରିଯାଇଥିବା ବେଳେ ପରେ ତାଙ୍କୁ ଧରି ନିଜ ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ବ୍ୟକ୍ତି ଜଣଙ୍କ ନିଜ ଗୋତ୍ର ଦେବ ହୋଇଥିବାରୁ ଘରକୁ ଆଣି ପୂଜା କରିଥିବା ବେଳେ ପରେ କଇଁଛର ସୁରକ୍ଷା ପାଇଁ ବନବିଭାଗକୁ ହସ୍ତାନ୍ତର କରିଥିବା କହିଛନ୍ତି ।

ତେବେ ଏହି ବିରଳ ପ୍ରଜାତିର କଇଁଛକୁ ପୂର୍ବରୁ କେବେ କେହି ଦେଖି ନ ଥିବା ବେଳେ ଏବେ ଏହି କଇଁଛକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନୂଆ ନୂଆ ଲାଗୁଥିବା କଇଁଛ କେଉଁଠୁ ଆସିଲା ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ।


ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁର ଚାଷୀ ନିରାକାର ମହାନ୍ତି ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ନିଜ ଚାଷ ବିଲରେ ହଳକରୁଥିବା ବେଳେ ଏହି ହଳଦୀ ରଙ୍ଗର ଏହି କଇଁଛକୁ ଦେଖିଥିଲେ । କାଦୁଅ ମିଶା ପାଣିରେ ବୁଡ଼ି ଯାଉଥିବା ବେଳେ ସାପ କିମ୍ବା ଅନ୍ୟ କିଛି ଜନ୍ତୁ ଭାବି ପ୍ରଥମେ ଡରିଯାଇଥିବା ବେଳେ କଇଁଛ ଜାଣିବା ପରେ ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ତେବେ ବର୍ଷା ଓ ବନ୍ୟା ପାଣିରେ କେଉଁ ଆଡ଼ୁ ଚାଲିଆସିଥିବା ସନ୍ଦେହ କରାଯାଉଛି ।

ଏସମ୍ପର୍କରେ ଆମେ ବନ ବିଭାଗକୁ ଯୋଗାଯୋଗ କରିଥିବା ବେଳେ ଚାନ୍ଦବାଲି ଫରେଷ୍ଟ ସୁବାସ ନାୟକ କହିଛନ୍ତି ଏପ୍ରଜାତିର କଇଁଛ କେବେ ଦେଖାଯାଉ ନ ଥିବା ବେଳେ ମିଠା ପାଣି ସ୍ଥାନରେ ଏହି କଇଁଛ ବଢ଼ିଥାନ୍ତି । ମାତ୍ର ବନ୍ୟା ପାଇଁ କେଉଁ ଅଞ୍ଚଳରୁ ଏଠାକୁ ଚାଲିଆସିଛନ୍ତି ସନ୍ଦେହ କରାଯାଉଛି । ଡ଼ି.ଏଫ.ଓ.ଙ୍କ ସହିତ ଆଲୋଚନା କରି ଭିତର କନିକା ଜାତୀୟ ଉଦ୍ୟାନରେ ଛାଡ଼ିଦେବା ପାଇଁ ଚିନ୍ତା କରୁଛନ୍ତି ।

ସମ୍ବନ୍ଧିତ ଖବର