ଯାଜପୁର/ବ୍ୟାସନଗର: ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ତାଙ୍କ ପ୍ରକୋଷ୍ଠ ଭିତରେ ଅଟକ ରଖି ନିର୍ଯାତନା ଦେବା ଓ ଜୋରଜବରଦସ୍ତ ଫାଇଲ୍ରେ ଦସ୍ତଖତ କରାଇବା ଘଟଣା ନେଇ ଆଜି ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଅପରାହ୍ଣରେ ବ୍ୟାସନଗର ପୌର କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପ୍ରଥମେ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠ ଓ ପୌର କାର୍ଯ୍ୟାଳୟର ସିସି କ୍ୟାମେରା ଯାଞ୍ଚ କରିବା ପରେ ବରିଷ୍ଠ କିରାଣି ସୁଶାନ୍ତ ରାଉତଙ୍କ ସମେତ ଜଣକ ପରେ ଜଣେ କର୍ମଚାରୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ବଳ ପରିଷଦ ବୈଠକରୁ ଆରମ୍ଭ କରି ୪୫ ଦିନର ଆଲୋଚନା ସମ୍ପର୍କରେ ଦୁଇ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ୨୬ ତାରିଖ ଦିନ ଟେଣ୍ଡରକୁ ନେଇ ନିର୍ବାହୀ ଅଧିକାରୀଙ୍କ ସହିତ କଥା କଟାକଟି ହୋଇଥିଲା। ଟେଣ୍ଡର କରିବାକୁ ସେମାନେ ସମସ୍ତେ ଦାବି କରିଥିଲେ। କିନ୍ତୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା କିମ୍ବା ଔଷଧ ଖାଇବାକୁ ନ ଛାଡ଼ିବା, ଜବରଦସ୍ତ ଫାଇଲରେ ଦସ୍ତଖତ କରାଇନେବା ଆଦି ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି। ଆଜି ରାତି ପ୍ରାୟ ୮ ଟା ପର୍ଯ୍ୟନ୍ତ ପୌର କାର୍ଯ୍ୟାଳୟରେ ଦୁଇ ଅଧିକାରୀ ଉପସ୍ଥିତ ରହି ତଦନ୍ତ କରିଥିଲେ। ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ ସେମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି।
ଗତକାଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଆର୍ଏସ୍ ସଂଘର ସଭାପତି କନିଷ୍କ ବୋଧିସତ୍ତ୍ବ ଦାସ ମଧ୍ୟ ୨୪ ଘଣ୍ଟା ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଘ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଥିଲେ। ସେହିପରି ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବ୍ୟାସନଗର ପୌର ଅଧିକାରୀଙ୍କୁ ନିର୍ଯାତନା ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଯେଉଁମାନେ ନିର୍ଯାତନା ଦେଇଛନ୍ତି ସେମାନଙ୍କୁ ପାତାଳରୁ ବାହାର କରି ଦଣ୍ଡ ଦିଆଯିବ ଓ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ସରକାରୀ ଅଧିକାରୀଙ୍କୁ ନିର୍ଯାତନା ଦେବା, ବ୍ୟବସ୍ଥା ଉପରେ ଆକ୍ରମଣ ସହ ସମାନ। ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଏଫ୍ଆଇଆର୍ ଦିଆଯାଉ। ଏଥିସହ ମନ୍ତ୍ରୀ କହିଛନ୍ତି, ସମ୍ପୃକ୍ତ ସରକାରୀ ଅଧିକାରୀ ନିକଟସ୍ଥ ଥାନାକୁ ଯାଆନ୍ତୁ। ଏପରିକି ସେ ଚାହିଲେ ବ୍ୟକ୍ତିଗତ ଭାବେ ତାଙ୍କୁ ଏତଲା କପି ଦେଇପାରିବେ। ଯଦି କୌଣସି ରାଜନୈତିକ ଲୋକ ଏହା ପଛରେ ଥିବେ ତାଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ଅନ୍ୟପଟେ ଏହି ଘଟଣାକୁ ନେଇ ବ୍ୟାସନଗର ପୌରପାଳିକାରେ ରାଜନୀତି ସରଗରମ ହୋଇଛି।
ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା ଘଟଣା: ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ
ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ତାଙ୍କ ପ୍ରକୋଷ୍ଠ ଭିତରେ ଅଟକ ରଖି ନିର୍ଯାତନା ଦେବା ଓ ଜୋରଜବରଦସ୍ତ ଫାଇଲ୍ରେ ଦସ୍ତଖତ କରାଇବା ଘଟଣା ନେଇ ଆଜି ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ...
/sambad/media/media_files/2025/07/08/poiufdcx-2025-07-08-06-54-57.jpg)