ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ୨୦୨୨ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଦେଶର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଭୁବନେଶ୍ୱରରେ ପ୍ରତିବର୍ଷ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଆୟୋଜନ ହୋଇଥାଏ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ଏକ ନିଆରା ସ୍ଥାନ ନିରୁପଣ କରିସାରିଛି।

Advertisment

ଚଳିତ ବର୍ଷ ମେଳାର ‘ଥିମ୍‌ ପାଭିଲିଅନ୍‌’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ। ଏହି ବର୍ଷ ମେଳାକୁ ସୁଗମ୍ୟ ସହିତ ବାର୍ଦ୍ଧକ୍ୟ ତଥା ଦିବ୍ୟାଙ୍ଗ ହିତପୋଯୋଗୀ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ଦେବାକୁ ସ୍ଥିର କରାଯାଇଅଛି। ହୁଇଲ ଚେୟାର ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଏବଂ ଦିବ୍ୟାଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପରିଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଅଛି। ସର୍ବୋପରି ମା’ ଓ ଶିଶୁଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଶିଶୁ ଯତ୍ନ ଗୃହ ପରିକଳ୍ପନା କରାଯାଇଛି।

ଚଳିତ ବର୍ଷ ମେଳାରେ ୩୯୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ, ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ଜଣ ବୁଣାକାର ଓ କାରିଗର ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ସହିତ ୧୫୦ ଜଣ କାରିଗର ଏବଂ ୯୦ ଜଣ ବୁଣାକାର ଯଥାକ୍ରମେ ଓଡ଼ିଶା ସରକାର ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ତରଫରୁ ପ୍ରାୟୋଜିତ ହୋଇଛନ୍ତି।