ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଦିନ ଓଡ଼ିଶା ବିଧାନସଭାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ହୋଇଥିବା ମତଦାନ କେନ୍ଦ୍ରରେ ୧୪୫ଜଣ ବିଧାୟକ ମତଦାନ କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁଁ ଦିଲ୍ଲୀରେ ଥିବାରୁ ହୁଇଲ୍ ଚେୟାରରେ ଆସି ସଂସଦ ଭବନରେ ଭୋଟ୍ ଦେଇଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ରେ ଥିବାରୁ ଭୋଟ୍ ଦେବାକୁ ଆସିନାହାନ୍ତି। ସୋମବାର ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ମଧ୍ୟରେ ୧୪୧ଜଣ ବିଧାୟକ ଭୋଟ୍ ଦେଇଥିଲେ। ବାକି ବିଧାୟକ ୧ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟ୍ ଦେଇଥିଲେ। ଅପରାହ୍ନ ୫ଟାରେ ବାଲଟ୍ ବାକ୍ସ ସିଲ୍ କରାଯାଇ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି। ମଙ୍ଗଳବାର ସକାଳ ୭ଟାରେ ଏହାକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନରେ ଦିଲ୍ଲୀ ପଠାଯିବ।
/sambad/media/post_attachments/wp-content/uploads/2022/07/eeeeffff.jpg)
ସୋମବାର ଦିନ ନିର୍ବାଚନକୁ ନଜରରେ ରଖି ବିଧାନସଭା ସଚିବାଳୟ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିଧାୟକମାନଙ୍କ ପାଇଁ ଗୋଲାପୀ ରଙ୍ଗର ବାଲଟ୍ ପେପର ଏବଂ ଭାଓଲେଟ୍ କାଳିର ପେନ୍ ଯୋଗାଇ ଦିଆଯାଇଥିଲା। ବିଧାୟକମାନେ ଧାଡ଼ିରେ ଯାଇ ଭୋଟ୍ ଦେଇଥିଲେ।
/sambad/media/post_attachments/wp-content/uploads/2022/07/pradeep-nayak-vote.jpg)
ସୋମବାର ଦିନ ମତଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ମୋ ପାଇଁ ସମ୍ମାନର ବିଷୟ। ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ଆମ ରାଜ୍ୟ ପାଇଁ ଗୌରବର ବିଷୟ। ତାଙ୍କୁ ବହୁତ ବହୁତ ଶୁଭେଚ୍ଛା।
ଅପରପକ୍ଷେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମତଦାନ କରିବା ପରେ କହିଛନ୍ତି ଯେ ସେ ପାର୍ଟି ଅପେକ୍ଷା ମାଟିକୁ ଆଗ ବାଛିଛନ୍ତି। ଓଡ଼ିଶାର ଝିଅ ହୋଇଥିବାରୁ ବିବେକ ଅନୁସାରେ ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି।
ସେହିପରି ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଥିବାବେଳେ ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ମକରନ୍ଦ ମୁଦୁଲି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି।