ପୁରୀ : ରଥଯାତ୍ରା ନୀତିକୁ ଅତ୍ୟନ୍ତ ଶୃଙ୍ଖଳାର ସହ ଶେଷ କଲେ ସେବାୟତ। ଏହାକୁ ଛା଼ଡିଦେଲେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଆଜି ଅନେକ ବିଶୃଙ୍ଖଳା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି, ସେମାନଙ୍କୁ କ୍ଷୁବ୍ଧ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାପ୍ରଭୁଙ୍କ ଟାହିଆ ଛୁଇଁବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଥିଲା। ଆଜି ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ରଥାରୁଢ଼ ହେବା ପରେ ଭକ୍ତମାନେ ଟାହିଆ ଟାଣି ନେବାକୁ ପଛାଇନଥିଲେ। ଶ୍ରୀବଳଭଦ୍ରଙ୍କ ଟାହିଆକୁ ଟାଣିନେବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ମାଡ଼ ମାରିଥିଲେ ଭକ୍ତଙ୍କୁ। ହେଲେ ଉଲାଗି ପରେ ସେବାୟତଙ୍କ ହାତରୁ ଶ୍ରୀଜଗନ୍ନାଥଙ୍କ ଟାହିଆକୁ ଅନଧିକୃତ ବ୍ୟକ୍ତି ଓ ପୁଲିସ କର୍ମଚାରୀ ଛ଼ଡାଇ ନେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥ କର୍ଡନ ଭିତରେ ପୁଲିସର ବିଶୃଙ୍ଖିଳ ଆଚରଣ ସଂକ୍ରାନ୍ତରେ ପୁଲିସ଼ର ବଡ଼ବ଼ଡିଆମାନେ ନିରବରେ ଦେଖିଛନ୍ତି।
ସେହିଭଳି ମାଳ ମାଳ ପୁଲିସ ଅଧିକାରୀ, କର୍ମଚାରୀ ରଥ କର୍ଡନକୁ ଘେରି ରହିଥିଲେ ବି ଦେବୀ ସୁଭଦ୍ରାଙ୍କ ମସ୍ତକରୁ ତୁଳସୀ ଟାଣି ନିଆଯାଇଥିଲା। ଠାକୁର ଓ ରଥ ଉଭୟଙ୍କୁ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଥିଲେ ହେଁ ଆଜି ଅନଧିକୃତ ବ୍ୟକ୍ତିମାନେ ଉଭୟଙ୍କୁ ଛୁଇଁ ବ୍ୟବସ୍ଥାବଳୀର ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ। ପହଣ୍ଡି ବେଳେ ଅଣସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଠାକୁରଙ୍କୁ ଛୁଇଁଥିବା ଅଭିଯୋଗ ହୋଇଛି। ରଥ ଉପରକୁ ଓ ତଳକୁ ନଡ଼ିଆଠାରୁ ଆରମ୍ଭ କରି ପାଣି ବୋତଲ ବି ମାଡ଼ ହୋଇଥିଲା। କେବଳ ସେତିକି ନୁହେଁ, କେତେ ସେବାୟତ ରଥ ଉପରେ ଚଢ଼ିବେ ପୂର୍ବରୁ ତାହା ସ୍ଥିରୀକୃତ ହୋଇଥିଲା। ଛେରାପହଁରା ପରେ ଶ୍ରୀବଳଭଦ୍ରଙ୍କ ରଥରେ ୭୦ ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୬୦ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ ଜଣ ରହିବେ ବୋଲି ନିଷ୍ପତ୍ତି କରିଥିଲେ ପ୍ରଶାସନ। ହେଲେ ଏହାକୁ କେହି ମାନିନଥିଲେ। ଢେର୍ ଅଧିକ ସେବାୟତ ରଥ ଉପରେ ଚଢ଼ିଥିଲେ। ମାତ୍ର କେହି ସେମାନଙ୍କୁ ଅଟକାଇନଥିଲେ। ରଥକର୍ଡନର ଗହଳି ସୂଚାଇ ଦେଉଥିଲା, ପାସ୍ ବଣ୍ଟନର ଅବ୍ୟବସ୍ଥା କେତେ ସାଂଘାତିକ ସ୍ଥିତିରେ ପହ଼ଞ୍ଚିଲାଣି।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ବୈଠକରେ ବିସ୍ତୃତ ଆଲୋଚନା ପରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଥିଲା। ଏହାର ଅନୁପାଳନ ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ପାଳିଆ ସେବକ, ଛତିଶା ନିଯୋଗର ସଭାପତି, ସଂପାଦକ, ବଦଳ ପାଳିଆ, କର୍ମଚାରୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା। ଏବେ କାହାକୁ ଦାୟୀ କରାଯିବନି?