ରତ୍ନାକର ଭୋଇ
ସମ୍ବଲପୁର: ହୀରାକୁଦ ବନ୍ଧ ପାଇଁ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇଛି। ବନ୍ୟା ନିୟନ୍ତ୍ରଣ ଯୋଗୁ ପୂର୍ବ ଓଡ଼ିଶାରେ କ୍ଷୟକ୍ଷତି ରୋକାଯିବାରେ ଅନେକ ସଫଳତା ମିଳିଥିବାବେଳେ ଜଳସେଚନ ଯୋଗୁ ପଶ୍ଚିମ ଓଡ଼ିଶାର ଚାଷୀ ମୁହଁରେ ହସ ଫିଟିଛି। ଆଉ ହୀରାକୁଦରୁ ଉତ୍ପାଦିତ ବିଦ୍ୟୁତ୍ରେ ସାରା ଓଡ଼ିଶା ଆଲୋକିତ ହୋଇଛି। ଏସବୁ ସତ୍ତ୍ବେ ହୀରାକୁଦ ବନ୍ଧ ନିର୍ମାଣ ପାଇଁ ଯେଉଁ ବିସ୍ଥାପିତ ପରିବାର ଅନେକ ତ୍ୟାଗ କରିଛନ୍ତି, ସେମାନଙ୍କ ଦୁଃଖ ଦୂର ହୋଇନାହିଁ। ୬୮ ବର୍ଷ ବିତିବା ପରେ ବି ନ୍ୟାୟ ପାଇଁ ସଂଗ୍ରାମ ଜାରି ରହିଛି। ୧୩ ଜାନୁଆରି ୧୯୫୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ହୀରାକୁଦ ନଦୀବନ୍ଧକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ହୀରାକୁଦ ନଦୀବନ୍ଧ ନିର୍ମାଣ ଲାଗି ୧୧୬ଟି ଗାଁ ସଂପୂର୍ଣ୍ଣ ଅଧିଗ୍ରହଣ ହୋଇଥିବା ବେଳେ ୪୮ଟି ଗାଁର କେବଳ ବସ୍ତି ଓ ୮୫ଟି ଗ୍ରାମର କେବଳ ଜମି ଅଧିଗ୍ରହଣ ହୋଇଥିଲା। ୧୮୫,୦୦୦ ଏକର ଜମି ଓ ୨୦୦ଟି ମନ୍ଦିର ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ୬୩୨ ସ୍ତର ଉପରକୁ ୩୨ଟି ଗାଁକୁ ଅଧିଗ୍ରହଣ କରାଯାଇଥିଲା। ଏହି ପ୍ରକଳ୍ପ ଯୋଗୁ ୨୬,୫୦୧ ପରିବାର ବିସ୍ଥାପିତ ହୋଇଥିଲେ।
ଏଥିରୁ ମାତ୍ର ୩୮ ଗ୍ରାମର ୨୨୪୩ ବାସଚ୍ୟୁତ ପରିବାରକୁ ସମ୍ବଲପୁର ଜିଲ୍ଲାରେ ୧୮ କଲୋନି ଜରିଆରେ ଥଇଥାନ କରାଯାଇଛି। ଅନ୍ୟ ବିସ୍ଥାପିତମାନେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରୁଛନ୍ତି। ପରିବାର ବିଭାଜନ ହୋଇ ବର୍ତ୍ତମାନ ପାଖାପାଖି ଲକ୍ଷେ ପରିବାର ହୋଇଯିବେ। ଝାରସୁଗୁଡ଼ା ଜିଲ୍ଲାରେ ନିଜ ବ୍ୟବସ୍ଥାରେ ରହିଥିବା ବାସଚ୍ୟୁତ ପରିବାରଙ୍କ ୫୫ଟି ଗାଁ ଲୋକଙ୍କୁ ତତ୍କାଳୀନ ଡେପୁଟି କମିସନର ଦେଇଥିବା ମାତ୍ର ୨୫୦୮ ‘ଡିସି’ ପଟ୍ଟାକୁ ସେତେବେଳେ ସ୍ଥାୟୀ କରାଯାଇଥିଲା। ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗର ପତ୍ର ସଂଖ୍ୟା ୫୫୩୧/୩୦.୧.୨୦୦୨ ଅନୁଯାୟୀ ସମସ୍ତ ବିସ୍ଥାପିତ ପରିବାରକୁ ୧୦ ଡେସିମିଲ୍ ଲେଖାଏଁ ଘରଡିହ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ବିସ୍ଥାପିତଙ୍କ ପରିବାର ବହୁ ବିଭାଜିତ ହୋଇସାରିଲେଣି। ଏହି ଆଦେଶର ପ୍ରାୟ ୨୩ ବର୍ଷ ପରେ ଏଭଳି ପ୍ରାୟ ୮୪ ହଜାର ବିଭାଜିତ ପରିବାର ମଧ୍ୟରୁ ୨୦୨୩ ମସିହା ସୁଦ୍ଧା ୪୪୫୦ ପରିବାରକୁ ଘରଡିହ ପଟ୍ଟା ମିଳିଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୪ ଡିସେମ୍ବରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାଠାରେ ୮୬୬ ପରିବାରକୁ ଘରଡିହ ପଟ୍ଟା ଦେଇଥିଲେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ତତ୍ପରତା ଯୋଗୁ ବିସ୍ଥାପିତଙ୍କ କେତେକ ସମସ୍ୟା ଦୂର ପାଇଁ ପ୍ରୟାସ ହୋଇଛି।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ସପ୍ନେ, କୁର୍ଲା, ଠୁଣ୍ଟି-କତରବଗା ଓ ଯୋଗୀପାଲି ଗ୍ରାମବାସୀଙ୍କୁ ଘରଡିହ ପଟ୍ଟା ଏବଂ ଜଳଭଣ୍ଡାରର ବିପଦରେଖା ଉପରେ ଥିବା ଚାଷ ଜମି ବାବଦ ପଟ୍ଟା ଦିଆଯାଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଝାରସୁଗୁଡ଼ା ଓ ଲଖନପୁର ବ୍ଲକ୍ର କେତେକ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ଦେଇଛନ୍ତି। ହେଲେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ତହସିଲରେ ବର୍ଷ ବର୍ଷ ଧରି ହଜାର ହଜାର ସଂଖ୍ୟାରେ ଆବେଦନପତ୍ର ପଡ଼ିଥିଲେ ହେଁ ଠୋସ୍ ପଦକ୍ଷେପ ନିଆଯାଉନାହିଁ। ବୁଡ଼ି ଅଂଚଳ ସଂଗ୍ରାମ ସମିତିର ତଥ୍ୟ ଅନୁସାରେ ଝାଙ୍କର, ଚୌକିଦାର, ନରିହା, ରୟତ ପ୍ରଜା ଆଦି ୧୭୭୫ ପରିବାରକୁ ଅଦ୍ୟାବଧି କ୍ଷତିପୂରଣ ମିଳିନାହିଁ। ୬୩୭୩ ପରିବାରକୁ ଅନୁକମ୍ପାମୂଳକ କ୍ଷତିପୂରଣ ଦେବାକୁ ବି ସରକାର ବିଚାରକୁ ନେଇ ନଥିବା ଅଭିଯୋଗ ହୋଇଛି। ସଂଗ୍ରାମ ସମିତିର ସାଧାରଣ ସଂପାଦକ ଗୋପୀନାଥ ମାଝୀ ଆସନ୍ତା ୨୨ ତାରିଖ ସମ୍ମୁଖରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡିସି)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ୨୭ ତାରିଖରେ ଆର୍ଡିସି କାର୍ଯ୍ୟାଳୟ ଆଗରେ ଧାରଣା ଦେବା ଲାଗି ହୀରାକୁଦ ବାସଚ୍ୟୁତ କଲ୍ୟାଣ ସମିତି ପକ୍ଷରୁ ନିଷ୍ପତ୍ତି ହୋଇଥିବା ଲୋକନାଥ ସାହୁ କହିଛନ୍ତି।