ଭିତରକନିକାରେ ୫ଟି ଦେଶର ଟୁର୍‌ ଅପରେଟର, ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ଓଡିଶା

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିବେ। ସେମାନଙ୍କୁ ଭିତରକନିକାର ପ୍ରାକୃତିକ ବିଭବ ସଂପର୍କରେ ତଥ୍ୟ ପ୍ରଦାନ କରି ଭିତରକନିକାକୁ ବୁଲି ଆସିବାକୁ ଆକୃଷ୍ଟ କରାଯିବ। ଏଥିପାଇଁ ଭିତରକନିକାରେ ବିଦେଶୀ ଟୁର୍‌ ଅପରେଟରମାନେ ଭିଡ଼ ଜମାଇଛନ୍ତି। ଚଳିତମାସ ୧୬ ଓ ୧୭ ଦୁଇଦିନ ଧରି ବେଲଜିୟମରୁ ୨ଜଣ ଟୁର୍‌ ଅପରେଟର ଭିତରକନିକାକୁ ଆସି ଫେରିଯାଇଥିବା ବେଳେ ଗତକାଲିଠାରୁ ଲଣ୍ତନ, କାନାଡା, ସୁଇଜରଲ୍ୟାଣ୍ତ ଓ ଇଜିପ୍ଟର ୭ଜଣ ଟୁର୍‌ ଅପରେଟର ଭିତରକନିକା ପରିଭ୍ରମଣରେ ଆସିଛନ୍ତି। ୪ଟି ଦେଶର ୭ଜଣ ଟୁର ଅପରେଟର ଦୁଇଦିନ ଧରି ଏଠାକାର ପ୍ରାକୃତିକ ବିଭବ ବୁଲି ଦେଖିବା ସହ ତଥ୍ୟ ସଂଗ୍ରହ କରିଛନ୍ତି।

ଏହି ଟୁର୍‌ ଅପରେଟରମାନେ ଦେଶ ଓ ବିଦେଶର ପକ୍ଷୀଙ୍କ ଆବାସସ୍ଥଳ ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ ବୁଲି ଦେଖିବା ସହ ଭିତରକନିକାରେ ପ୍ରବାହିତ ନଦୀରେ ବୋଟିଂର ମଜା ନେଇଛନ୍ତି। ଡାଙ୍ଗମାଳଠାରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର, ଆବଦ୍ଧ ପୋଖରୀ ଭିତରେ ଥିବା ବିରଳ ଧଳା ବଉଳା କୁମ୍ଭୀର ଗୋରୀ, ଶଙ୍ଖୁଆକୁ ଦେଖିଛନ୍ତି। ଏଥିସହ ଡାଙ୍ଗମାଳଠାରେ ଥିବା ମ୍ୟୁଜିୟମ ବୁଲି ଦେଖିଛନ୍ତି। ଏହି ବିଦେଶୀ ଟୁର ଅପରେଟରମାନେ ଓଡିଶାର ମୟୁରଭଞ୍ଜର ଶିମିଳିପାଳ ବୁଲି ଦେଖିବା ପରେ ଭିତରକନିକା ଆସିଛନ୍ତି। ଭିତରକନିକାରୁ ଆସନ୍ତାକାଲି ସକାଳେ ସାତକୋଶିଆ ପରିଭ୍ରମଣରେ ଯିବେ। ଓଡିଶାର ଏହି ୩ଟି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଶୋଭା ସଂପର୍କରେ ସେମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅବଗତ କରାଇ ବୁଲାଇବାକୁ ଆଣିବେ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର