କରୋନା ଉଜାଡ଼ି ଦେଇଥିଲା ପୂଜା ବଜାର। ଗଣେଶ ପୂଜାରୁ ଦୀପାବଳି, ମୂର୍ତି କାରିଗରଙ୍କଠୁ ନେଇ କଳାକାର, ସାଜସଜାଠୁ ସିନେମା; ସବୁକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଇଥିଲା ମହାମାରୀ। ପାର୍ବଣ ଋତୁ, ମହୋତ୍ସବ ଓ ଯାନିଯାତ୍ରା ଉପରେ ନିର୍ଭରଶୀଳ ଲକ୍ଷଲକ୍ଷ ବ୍ୟକ୍ତିଙ୍କ ମେରୁଦଣ୍ଡ ଦୋହଲିଗଲା। ପୂଜା ଋତୁରେ ରାଜ୍ୟରେ ପାଖାପାଖି ୫ଶହ କୋଟିର କାରବାର ଉଜୁଡ଼ି ଯାଇଥିଲା। ଶାରଦୀୟ ଦୁର୍ଗାପୂଜାରେ ବଜେଟ୍୧୦୦ କୋଟି ଅତିକ୍ରମ କରି ଯାଉଥିବା ବେ୍ଳେ ଏଥର ୧୦ କୋଟି ଅତିକ୍ରମ କରିନଥିଲା। ମା’ଙ୍କ ମୂର୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଐତିହାସିକ ବାଲିଯାତ୍ରାରେ ୯ ଦିନରେ ହେଉଥିବା ୮୦ରୁ ୯୦ କୋଟି ଏବଂ ପାରାଦୀପ, ଭୁବନେଶ୍ବର, ଜାହାନିଆଁ ପୀଠ ଭଳି ଅଞ୍ଚଳରେ ବାଲିଯାତ୍ରାକୁ ମିଶାଇ ରାଜ୍ୟରେ ୧୦୦ କୋଟି ଟଙ୍କାର କାରବାର ଠପ୍ ହୋଇଗଲା। ଦୀପାବଳିରେ ୧୭୦ କୋଟି, ଗଣେଶ ପୂଜାରେ ୬୦ କୋଟି, ଫିଲ୍ମ ବଜାରରେ ୧୦ କୋଟି ଏବଂ ଅନ୍ୟାନ୍ୟ ପୂଜାରେ କୋଟିକୋଟିର କ୍ଷତି ସହିବାକୁ ପଡ଼ିଥିଲା। ସେହିଭଳି ମୁମ୍ବାଇ ଇସ୍କନ ପକ୍ଷରୁ ଶ୍ରୀପଞ୍ଚମୀରେ ରଥଯାତ୍ରା ପାଳନକୁ ନେଇ ପୁଣି କ୍ଷୋଭ ପ୍ରକାଶ ପାଇଥିଲା। ବାରମ୍ବାର ଆଲୋଚନା ପରେ ଅସମୟରେ ଓ ଅତିଥିରେ ରଥଯାତ୍ରା କରିଥିବାରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୦୦୭ ଓ ୨୦୦୮ ମସିହାରେ ଇସ୍କନ କର୍ତୃପକ୍ଷଙ୍କୁ ଅସମୟରେ ରଥଯାତ୍ରା ନକରିବାକୁ ନିବେଦନ କରିଥିଲେ। ସ୍ବର ଉତ୍ତାଳନ ହେବା ପରେ ଇସ୍କନ କର୍ତୃପକ୍ଷ ଏଥିରୁ ଓହରିଥିଲେ। ମାତ୍ର ପୁଣି ରଥଯାତ୍ରା ଆୟୋଜିତ ହୋଇଥିଲା। ତେଣୁ ଜଗନ୍ନାଥପ୍ରେମୀ ଏନେଇ କ୍ଷୋଭ ପ୍ରକାଶ କରିବା ସହ ନିନ୍ଦା କରିଥିଲେ।

Advertisment

କରୋନା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲେ ହେଁ ଏ ଅସମୟରେ ଅସଜଡ଼ା କ୍ଷେତ୍ରକୁ ସଜାଡ଼ିବା ପରିବର୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ୫ଟି ପାନ୍ଥନିବାସକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ହୀନ ଚକ୍ରାନ୍ତ କରିଛି। ୨୦୦୩-୦୪ ପରଠାରୁ ଓଟିଡିସି ରାଜ୍ୟ ସରକାରଙ୍କ ଲାଭଜନକ ପିଏସ୍‌ୟୁରେ ପରିଣତ ହୋଇଛି। ବର୍ଷ ତମାମ ଲାଭ ଦେଉଛି। ଏହା ସତ୍ତ୍ବେ ବାଲେଶ୍ବର, ଭଦ୍ରକ, ତପ୍ତପାଣି, ଗୋପାଳପୁର ପାନ୍ଥନିବାସ ଓ ଧଉଳି ପାନ୍ଥିକାର ମୂଲ୍ୟବାନ ଜମିକୁ ଦୀର୍ଘବର୍ଷ ଲିଜ୍‌ରେ ଦେବାକୁ ଷଡ଼ଯନ୍ତ୍ର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଥିବା ବେଳେ ମନ୍ତ୍ରୀମାନେ ସବୁ ଜାଣି ନିରବ ରହିଛନ୍ତି। ଘରୋଇକରଣ ପ୍ରସଙ୍‌ଗ କାଠଗଡ଼ାକୁ ଯାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଭିତିରିଆ ଟେଣ୍ଡର ପ୍ରକ୍ରିୟା କରିଦେଇଛି। ଏପରିକି କୋଣାର୍କ ଉଡେନ୍‌ ରେସ୍ତୋରାଁକୁ ମଧ୍ୟ ଘରୋଇ ସଂସ୍ଥାକୁ ଟେକି ଦିଆଯାଇଛି।

publive-image

୫ ସ୍ଥାନରେ ଇକୋ ରିଟ୍ରିଟ୍‌
କରୋନା ୮ ମାସ ଦାଉ ସାଧିବା ପରେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ଆଣିଥିଲା ଇକୋ-ରିଟ୍ରିଟ୍। ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ପଞ୍ଚତାରକା ଟେଣ୍ଟ୍‌ରେ ରାତି ବିତାଇବା ସହ ଜଳକ୍ରୀଡ଼ାରେ ମଜିଛନ୍ତି ପର୍ଯ୍ୟଟକ। କୋଣାର୍କ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ସାତକୋଶିଆରେ ପର୍ଯ୍ୟଟନର ଏହି ମହାପର୍ବକୁ ଆରମ୍ଭରୁ ସଫଳତା ମିଳିଛି। ୫ଟି ଇକୋ-ରିଟ୍ରିଟ୍‌ରେ ବିଭନ୍ନ ଶ୍ରେଣୀର ୧୪୫ଟି ବିଳାସପୂର୍ଣ୍ଣ କଟେଜ୍‌ ରହିଛି। ଏହି ଅବସରରେ ରାମଚଣ୍ଡୀରେ ନୂତନ ଭାବେ ସର୍ଫିଂ, ପାରାସେଲିଂ, ଇ-ସ୍କୁଟର, ମୁକ୍ତାକାଶ ରେସ୍ତୋରାଁ, ବିଚ୍‌ ସାକ୍‌ ଉପଲବ୍ଧ ହେଉଛି। ଆସନ୍ତା ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ବ‌େ‌ଳେ ବୁକିଂ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ବିନା ଭକ୍ତରେ ରଥଯାତ୍ରା
କରୋନା ବିପତ୍ତି ଯୋଗୁଁ ରଥଯାତ୍ରା ହେବା ନେଇ ଆଶଙ୍କା ଦେଖା ଦେଇଥିଲା। କଥା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଶେଷରେ ଭକ୍ତଙ୍କ ଭାବାବେଗର ବିଜୟ ହୋଇଥିଲା। ରଥଯାତ୍ରା ପାଇଁ ସୁପ୍ରିମକୋର୍ଟର ନିର୍ଦେଶ ମିଳିବା ପରେ ପୁରୀରେ ଅଦ୍ଭୂତପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନେ ବଡ଼ଦାଣ୍ଡରେ ନାଚି ଉଠିଥିଲେ। ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ପୁରୀରେ ସୋମବାର ରାତିରୁ ୪୧ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଥିଲା। ପୁରୀ ସହରର ସମସ୍ତ ଗଳିକନ୍ଦି ସହ ପ୍ରବେଶ ପଥକୁ ସିଲ୍‌ କରାଯାଇଥିଲା। ଲୋକେ ବି ରାଣ ଦେବା ଭଳି ରଥ ପାଖକୁ ଯାଇନଥିଲେ। ସମସ୍ତଙ୍କ ମୁହଁରେ ଥି‌ଲା ସେଇ ଗୋଟିଏ ଉକ୍ତି, ‘ଆମେ ପଛେ ପ୍ରଭୁଙ୍କ ପାଖକୁ ନଯାଉ, କିନ୍ତୁ ରଥଯାତ୍ରା ହେଉ’। ଶେଷରେ ସେୟା ହେଲା। ବିନା ଭକ୍ତରେ ୭୫ ପ୍ଲାଟୁନ୍‌ ପୁଲିସ୍‌ର କଡ଼ା ସୁରକ୍ଷାବଳୟରେ ଶରଧାବାଲିରେ ୩ ରଥ ଲାଗିଥିଲା।