କୋଣାର୍କ/ପୁରୀ : କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଇକୋ ରି ଟ୍ରିଟ ପରିସରରେ ଆଜି ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ‌ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

Advertisment

ଓଡ଼ିଶା ବିଶେଷ କରି ଭାରତରେ ପର୍ଯ୍ୟଟନର ବିଶାଳ ଭିତ୍ତିଭୂମି ରହିଛି। ଏହାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ। ଏବେ ଜଗତିକରଣ ଯୁଗରେ ଦେଶର ସମସ୍ତ ରାଜ୍ୟ ଏକ ହୋଇ ଦେଶର ପର୍ଯ୍ୟଟନକୁ ବିକାଶ ଦିଗରେ ଆଗକୁ ବଢ଼ାଇବାକୁ ରାଜ୍ୟପାଳ କହିଥିଲେ। ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ଉଭୟ ଏବେ ପର୍ଯ୍ୟଟନ ବିକାଶକୁ ଗୁରୁତ୍ବ ଦେଉଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ କମିସନର୍‌ ତଥା ସଚିବ ବିଶାଲ ଦେବ ଅତିଥି ପରିଚୟ ପ୍ରଦାନ କରିଥିଲେ। ପର୍ଯ୍ୟଟନ ବିକାଶ ହେଲେ ଅର୍ଥନୀତି ସମୃଦ୍ଧ ହେବ, ଇକୋ ରି ଟ୍ରିଟର ସଫଳତା ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ଏକ ନୂତନ ଆଶା ସଂଚାର କରିଥିବା ବକ୍ତାମାନେ ମତ ପୋଷଣ କରିଥି‌ଲେ।

ଗୁଜୁରାଟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଭାସନ ଭାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ଭିତ୍ତିଭୂମିକୁ ବିକାଶ କ‌ଲେ ଦେ‌ଶରେ ଏହା ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ। କେନ୍ଦ୍ର ସରକାର ଏବେ ପର୍ଯ୍ୟଟନ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି। ଭାରତରେ ଯେଉଁ ପର୍ଯ୍ୟଟନ ଭିତ୍ତିଭୂମି ରହିଛି ତାହା ବିଶ୍ବର ଅନ୍ୟ ପ୍ରାନ୍ତରେ ନାହିଁ। ତେଣୁ ସାମଗ୍ରିକ ଭାବେ ଦେଶର ପର୍ଯ୍ୟଟନ ବିକାଶ ଅପରିହାର୍ଯ୍ୟ ବୋଲି କହିଥିଲେ। ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ‌ସର୍ବଭାରତୀୟ ହୋଟେଲ ଆଣ୍ଡ୍‌ ରେଷ୍ଟ୍‌ରାଣ୍ଟ୍ ଆସୋସିଏସନ୍‌ର ସଭାପତି ଜେ.କେ. ମହାନ୍ତି, ଓଟିଡିସିର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଦେଇଥିଲେ। ଆସନ୍ତାକାଲି ସମ୍ମିଳନୀରେ ପର୍ଯ୍ୟଟନ ବିକାଶରେ ଅନ୍ତଃ ରାଜ୍ୟ ଭୂମିକା ସଂପର୍କରେ ଆଲୋଚନା କରାଯିବ। ରାଜ୍ୟ ରାଜ୍ୟ ମଧ୍ୟରେ ଉତ୍ତମ ବୁଝାମଣା ହୋଇ କିଭଳି ପର୍ଯ୍ୟଟନର ପ୍ରଚାର ଓ ପ୍ରସାର‌ ହୋଇପାରିବ ସେ ସଂପର୍କରେ ଆଲୋଚନା କରାଯିବ। ଇକୋ ରି ଟ୍ରିଟର ସଫଳତା ଆଶାତୀତ ରହିଛି। ମାତ୍ର ମାସକ ପାଇଁ ହୋଇଥିବା ଏହି ଉତ୍ସବକୁ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।