ପର୍ଯ୍ୟଟନ ବିଭାଗରେ ପ୍ରଶାସନିକ ଅସ୍ଥିରତା ସଚିବ, ନିର୍ଦ୍ଦେଶକଙ୍କ ଘନ ଘନ ବଦଳି

ବିଦେଶ ଭ୍ରମଣ ପରେ ସରିଯାଉଛି କାର୍ଯ୍ୟକାଳ, ମନ୍ଥର ଗତିରେ ଚାଲୁଛି ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗରେ ଏବେ ବିଚିତ୍ର ସ୍ଥିତି ଦେଖାଦେଇଛି। ପ୍ରଶାସନିକ ସ୍ତରରେ ଅସ୍ଥିରତା ଚରମ ସୀମା ଛୁଇଁଛି। ବାରମ୍ବାର ସଚିବ ଓ ନିର୍ଦ୍ଦେଶକଙ୍କ ବଦଳି ବିଭାଗକୁ ଏକ ପ୍ରକାର ସ୍ଥାଣୁ କରିବାକୁ ବସିଲାଣି। କିଛି ନିୟମିତ କାର୍ଯ୍ୟ ବ୍ୟତୀତ କୌଣସି ନୂଆ ପ୍ରକଳ୍ପ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରୁନି। ଅଧିକାଂଶ ସମୟ ଭାରପ୍ରାପ୍ତ ସଚିବ, ନିର୍ଦ୍ଦେଶକରେ ବି ବିଭାଗର କାମ ଚାଲିଛି। ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ସମୟରେ ସରକାରଙ୍କ ପ୍ରଚାର କେବଳ ଲୋକଦେଖାଣିଆ ବୋଲି ଧରାପଡ଼ିଯାଉଛି। ୨୦୧୪ ମେ’ ମାସରେ ନୂଆ ସରକାର ଗଠନ ପରେ ସାଢ଼େ ଚାରି ବର୍ଷରେ ପର୍ଯ୍ୟଟନ ବିଭାଗ‌େର ୬ ଜଣ ସଚିବ ଓ ୬ ଜଣ ନିର୍ଦ୍ଦେଶକ କାର୍ଯ୍ୟ କଲେଣି। ଅରବିନ୍ଦ ପାଢ଼ୀ, ଏଲ୍‌ ଏନ୍ ଗୁପ୍ତା, ଗଗନ ଧଳ, ଆରତୀ ଆହୁଜା, ମୋନା ଶର୍ମା ଓ ବିଶାଲ ଦେବ ପର୍ଯ୍ୟଟନ ବିଭାଗର ସଚିବ ଭାବେ ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଛନ୍ତି। ଏହି ଅଧିକାରୀମାନଙ୍କ ମଧ୍ୟରୁ ଏଲ୍‌ ଏନ୍ ଗୁପ୍ତା ଅତିରିକ୍ତ ଦାୟିତ୍ବରେ ଥିଲା ବେଳେ ବିଶାଲ ଦେବ ଏବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍ ଯିବାର କିଛି ମାସ ଆଗରୁ ଆରତୀ ଆହୁଜାଙ୍କୁ ଏଠାରେ ଅବସ୍ଥାପିତ କରାଯାଇଥିଲା। ବିଭାଗର ସର୍ବୋଚ୍ଚ ସ୍ତରରେ ଏପରି ବାରମ୍ବାର ବଦଳିର ପ୍ରଭାବ ବି ବିଭାଗ ଉପରେ ପଡ଼ୁଛି। କେବଳ ସଚିବ ନୁହନ୍ତି, ନିର୍ଦ୍ଦେଶକ ପଦବିରେ ମଧ୍ୟ ଅସ୍ଥିରତା ଆହୁରି ଅଧିକ। ସାଢ଼େ ଚାରି ବର୍ଷ ଭିତରେ କାମ କରିଥିବା ନିର୍ଦ୍ଦେଶକମାନେ ହେଲେ ମନୋରଞ୍ଜନ ପଟ୍ଟନାୟକ, ଅଶୋକ ତାରେଣିଆ, ଅନିଲ ସାମଲ, ନୀତିନ ଭାନୁଦାସ ଜାୱଲେ, ଅର୍ଚ୍ଚନା ପଟ୍ଟନାୟକ ଓ ଆର୍ ପି ସିଂହ। ନି‌ର୍ଦ୍ଦେଶକଙ୍କ ମଧ୍ୟରେ କେବଳ ନୀତିନ ଭାନୁଦାସ ଜାୱଲେ ସର୍ବାଧିକ ସମୟ କାର୍ଯ୍ୟ କରିଛନ୍ତି। ପ୍ରଥମେ କିଛି ଦିନ ସେ ଅତିରିକ୍ତ ଦାୟିତ୍ବ ତୁଲାଇଲା ପରେ ଦୁଇ ବର୍ଷରୁ ଅଧିକ ସମୟ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଅନ୍ୟମାନେ କିଛି ମାସ ପାଇଁ ଏଠାରେ ନିଯୁକ୍ତି ପାଇଛନ୍ତି।

୨୦୧୮ ଅଗଷ୍ଟରେ ଶ୍ରୀ ଜାୱଲେଙ୍କ ବଦଳି ହେଲା ପରେ ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ପର୍ଯ୍ୟଟନ ନି‌େର୍ଦ୍ଦଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କ ବଦଳି ବାତିଲ୍ କରି ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ବ ଦିଆଗଲା। ପାଖାପାଖି ପାଞ୍ଚ ମାସ ସେ ଦାୟିତ୍ବରେ ରହିଲା ପରେ ଗତ ମାସରେ ଆର୍ ପି ସିଂହଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଗଲା। ସେ କାର୍ଯ୍ୟରେ ଯୋଗ ଦେଇ ଛୁଟିରେ ଯାଇଥିବାରୁ ଶ୍ରୀମତୀ ପଟ୍ଟନାୟକ ପୁଣି ଦାୟିତ୍ବରେ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା କେନ୍ଦ୍ରୀୟ ଡେପୁଟିସେନ୍‌ରେ ଯିବା ପାଇଁ ଆର୍ ପି ସିଂହ ଆବେଦନ କରିଛନ୍ତି। ଏହା ଏବେ ସରକାରଙ୍କ ବିଚାରାଧୀନ ଅଛି। ଯେ କୌଣସି ସମୟରେ ସେ ଡେପୁଟେସନ୍‌ରେ ଯାଇପାରନ୍ତି। ତେଣୁ କାମଚଳା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିବାର ଜଣାପଡ଼ୁଛି। ସଚିବ ଓ ନିର୍ଦ୍ଦେଶକ ଭାବେ ଯେଉଁମାନେ ନିଯୁକ୍ତି ପାଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟନ ସଂକ୍ରାନ୍ତୀୟ ବିଭିନ୍ନ ରୋଡ୍‌ ସୋ’ ଓ ପ୍ରଦର୍ଶନୀରେ ଭାଗ ନେବା ପାଇଁ ରାଜ୍ୟ ବାହାରକୁ ଓ ବିଦେଶ ଯାଉଛନ୍ତି। କିନ୍ତୁ ସେଠାରୁ ‌େଫରିଲା ପରେ ସେମାନଙ୍କ ଅଭିଜ୍ଞତା କିଛି କାମରେ ଲାଗୁନି। ସେଠାରୁ ‌େସମାନଙ୍କ ବଦଳି ହୋଇଯାଇଥିବାରୁ କେବଳ ସରକାରୀ ଅର୍ଥ ଭ୍ରମଣରେ ବରବାଦ ହେଉଛି ବୋଲି ପର୍ଯ୍ୟଟନରେ ଆଗ୍ରହ ରଖୁଥିବା ବହୁ ବ୍ୟକ୍ତି ମତ ଦେଇଛନ୍ତି। କେବଳ ଏତିକିି ନୁହେଁ, ସାଧାରଣତଃ ପର୍ଯ୍ୟଟନ ବିଭାଗର ସଚିବ କିମ୍ବା ନି‌େର୍ଦ୍ଦଶକ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି। ଓଟିଡିସି ବହୁ ପାନ୍ଥନିବାସ ପରିଚାଳନା କରି ଆତିଥେୟତା ସେବା ଯୋଗାଉଛି। କିନ୍ତୁ ପରିଚାଳନା ନିର୍ଦ୍ଦେଶକମାନଙ୍କ ବାରମ୍ବାର ବଦଳି ଯୋଗୁଁ ପାନ୍ଥନିବାସ ପରିଚାଳନାରେ ବିଭ୍ରାଟ ଦେଖାଦେଉଛି। ବଜାର ଦର ଠାରୁ ଏଠାରେ ରୁମ୍ ଓ ଖାଦ୍ୟ ଦର କିଛି କମ୍ ନ ଥିଲେ ବି ସେବାର ଗୁଣାତ୍ମକ ମାନ ଠିକ୍ ନ ଥିବା ଅଭିଯୋଗ ଆସୁଛି। ଏପରିକି କିଛି ପାନ୍ଥନିବାସରେ କର୍ମଚାରୀ ସଙ୍କଟ ଥିଲା ବେଳେ ଆଉ କିଛି ପାନ୍ଥନିବାସ ସୌନ୍ଦର୍ଯ୍ୟ ହରାଇଲାଣି। ବର୍ତ୍ତମାନର ପ୍ରତିଦ୍ବନ୍ଦ୍ବିତାମୂଳକ ବଜାରକୁ ଚାହିଁ ପାନ୍ଥନିବାସଗୁଡ଼ିକ ସେପରି ହୋଇପାରୁ ନାହାନ୍ତି। କେବଳ ସରକାରୀ ସଂସ୍ଥା ହୋଇଥିବାରୁ ସୁରକ୍ଷା କାରଣରୁ ବାହାରର ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି। ବିଭାଗର ସର୍ବୋଚ୍ଚ ସ୍ତରରେ ଏହି ଅସ୍ଥିରତା ପାଇଁ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ତିନି ବର୍ଷ ହେଲା ଶାମୁକା ନିଗମ ଗଢ଼ା ଯାଇଥିଲେ ବି ତାହା କିପରି କାର୍ଯ୍ୟ କରୁଛି ବୁଝା ପଡ଼ୁ ନାହିଁ। ପ୍ରକଳ୍ପ ଜାଗାରେ ଏ ଯା‌ଏ ଇଟା ଖଣ୍ଡେ ବି ପଡ଼ିନି। ‘ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌’ କାର୍ଯ୍ୟରେ ଆଖିଦୃଶିଆ ଅଗ୍ରଗତି ହୋଇପାରିନି। ବିଭିନ୍ନ ଥାନାରେ ଟୁରିଷ୍ଟ ପୁଲିସ୍ ସେଲ୍ ଗଠନ ନେଇ ଜୋର୍‌ଦାର୍ ଭାଷଣବାଜି ହୋଇଥିଲେ ବି ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନି। କେନ୍ଦ୍ର ସରକାରଙ୍କ ସ୍ବଦେଶ ଯୋଜନାର କାର୍ଯ୍ୟରେ ବି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ଜାଗା ଓ ଘର ଭୂତକୋଠି ପାଲଟିଥିଲେ ବି ତାହାର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟରେ କୌଣସି ଏକ ବଡ଼ ଧରଣର ପର୍ଯ୍ୟଟନ ପ୍ରକଳ୍ପ ହାତକୁ ନେବାରେ ବି ବିଭାଗ ସକ୍ଷମ ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର