ମା’ ବାଶୁଳୀଙ୍କ ପୀଠକୁ ପର୍ଯ୍ୟଟନ ବିଭାଗର ଅଣଦେଖା

ମନ୍ଦିରକୁ ନେଇ ରହିଛି ବହୁ କିମ୍ବଦନ୍ତି

ଭୋଗରାଇ (ସ୍ବରୀତ ସପନ ପଣ୍ଡା): ଉତ୍ତର ଓଡ଼ିଶାର ଧର୍ମ ଓ ପର୍ଯ୍ୟଟନ ମାନଚିତ୍ରରେ ଭୋଗରାଇ ବ୍ଲକରେ ଯେଉଁ ତିନିଟି ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଜ୍ୟ ଓ ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ ତା ମଧ୍ୟରେ ମା’ ବାଶୁଳୀଙ୍କ ଶକ୍ତିପୀଠ ଅନ୍ୟତମ। ଅନ୍ୟ ଦୁଇଟି ପୀଠ ବାବା ଭୂଷଣ୍ଡେଶ୍ବର ଓ ଚନ୍ଦନେଶ୍ବର ଏବଂ ଏହି ପୀଠ ଏକ ତ୍ରିଭୁଜର ତିନି ବିନ୍ଦୁ ଭଳି ଅବସ୍ଥିତ। ଏହି ତିନି ପୀଠ ମଧ୍ୟରୁ ମା’ ବାଶୁଳୀଙ୍କ ମନ୍ଦିର ସର୍ବପ୍ରାଚୀନ ବୋଲି କୁହାଯାଏ। ମନ୍ଦିରର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଉତ୍କଳୀୟ। ଭାସ୍କର୍ଯ୍ୟ ବିମଣ୍ଡିତ ନହେଲେ ବି ସ୍ଥାପତ୍ୟ ଦୃଷ୍ଟିରୁ ଏହା କୋଣାର୍କ ସୂର୍ଯ୍ୟ ମନ୍ଦିରର ଛୋଟ ଆକାର ଭଳି ଜଣାଯାଏ। ମନ୍ଦିରର ଉଚ୍ଚତା ୬୦ ଫୁଟ, ମୁଖଶାଳାର ଉଚ୍ଚତା ୫୦ ଫୁଟ ରହିଛି। ଏହି ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ମା’ ବାଶୁଳୀଙ୍କ ଦ୍ବିଭୁଜା ଦେବୀମୂର୍ତ୍ତି କାଠରେ ନିର୍ମିତ ହୋଇଥିବା ବେଳେ ନବକଳେବର ହୋଇଥାଏ। ଏଠାରେ ମାଆଙ୍କୁ ମାଛଭୋଗ(ଯନ୍ତାଳ) ଲାଗି ହେଉଥିବା ବେଳେ ଖିରିଭୋଗ ମାଆଙ୍କର ଅତି ପ୍ରିୟ ବୋଲି ବିଶ୍ବାସ ରହିଛି। ଆଉ ସେହି ଭୋଗ ଶବ୍ଦରୁ ଭୋଗରାଇ ନାମର ସୃଷ୍ଟି ବୋଲି ଅନେକଙ୍କ ମତ। ବୈଶାଖ ମାସରେ ମାଆଙ୍କ ବୈଶାଖ ମେଳା ଅନୁଷ୍ଠିତ ହୋଇଥାଏ। ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ରାଜ୍ୟ ଓ ବିଦେଶରୁ ମଧ୍ୟ ବହୁ ପର୍ଯ୍ୟଟକ ମେଳା ସହିତ ମାଆଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏହି ମନ୍ଦିରକୁ ଲାଗି ଅନ୍ୟ ଚାରିଟି ମନ୍ଦିର ମଧ୍ୟ ରହିଛି। ପୂର୍ବରେ ଶ୍ରୀଗଣେଶ ଓ ହନୁମାନ ପୂଜା ପାଉଥିବା ବେଳେ ପଶ୍ଚିମରେ ମହାଦେବ ଓ ପ୍ରଭୁ ଶ୍ରୀରାମ ପୂଜା ପାଉଛନ୍ତି। ମନ୍ଦିର ସମ୍ମୁଖରେ ନାଟ ମଣ୍ଡପ ଓ ପଛରେ ଭୋଗ ପୁଷ୍କରିଣୀ ରହିଛି।

କିମ୍ବଦନ୍ତି କହେ, ମୋଗଲଙ୍କ ରାଜୁତି କାଳରେ କେହି ଜଣେ ଉତ୍କଳୀୟ ଶକ୍ତି ସାଧକ ଦେବୀ ବିଶାଳାକ୍ଷୀଙ୍କ ଖଡଗଖର୍ପରଧାରିଣୀଙ୍କ ଏକ ପୂର୍ଣ୍ଣାବୟବ ଦାରୁମୂର୍ତ୍ତି ଏହି ଗ୍ରାମରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ତତ୍କାଳୀନ କଳିଙ୍ଗର କେହି ଜଣେ ରାଜା ଯୁଦ୍ଧରେ ବିଜୟ ହାସଲ କରିବା ପରେ ସେହି ବିଜୟର ସ୍ମୃତି ସଦୃଶ ଏହି ମନ୍ଦିର ନିର୍ମାଣ କରି ମାଆଙ୍କୁ ବିଜୟ ବାଶୁଳୀ ଭାବେ ପୂଜା କରିଥିଲେ।

ହେଲେ କ୍ଷୋଭର ବିଷୟ ବାବା ଭୂଷଣ୍ଡେଶ୍ବର ଓ ଚନ୍ଦନେଶ୍ବର ଶୈବପୀଠ ଭଳି ଶକ୍ତିପୀଠ ମା’ ବାଶୁଳୀ ମନ୍ଦିରର ଉନ୍ନତି ଦିଗରେ ତତ୍ପରତା ଦେଖିବାକୁ ମିଳୁନାହିଁ। ତେଣୁ ମନ୍ଦିର ଟ୍ରଷ୍ଟ ବୋର୍ଡ, ପର୍ଯ୍ୟଟନ ବିଭାଗ ମା’ ବାଶୁଳୀଙ୍କ ପୀଠର ସୌନ୍ଦର୍ଯ୍ୟୀକରଣ ଓ ଆବଶ୍ୟକ ଉନ୍ନତି ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର