ଅନୁଗୁଳ: ଆକାଶକୁ ଛୁଉଁଥିବା ଭଳି ପାହାଡ଼। ଘଞ୍ଚ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ତା’ ସାଙ୍ଗକୁ ସାତକୋଶିଆ ଗଣ୍ଡ। ଏମିତି ମନ‌ଲୋଭା ପ୍ରାକୃତିକ ପରିବେଶରେ ଖୁନ୍ଦି ହୋଇ ରହିଛି ଅନୁଗୁଳରେ କିନ୍ତୁ ପର୍ଯ୍ୟଟକଙ୍କ ପାଦ ଆଶାଜନକ ଭାବେ ପଡ଼ୁନି। ଅନ୍ୟପକ୍ଷରେ ଚଳିତବର୍ଷ ଏପର୍ଯ୍ୟନ୍ତ ଏଠାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇନି। ଅନୁଗୁଳରେ ସାତକୋଶିଆ ଗଣ୍ଡ ସହ ଟିକରପଡ଼ା, ଶୈଳଶ୍ରୀକ୍ଷେତ୍ର, ପାଳଲହଡ଼ାରେ ଦ୍ବିତୀୟ ଚିଲିକା, ତାଳଚେର ହିଙ୍ଗୁଳା ମନ୍ଦିର, ଆଠମଲ୍ଲିକର ଦେଉଳଝରୀ ମନ୍ଦିର ଓ ବିନିକେୟୀ ପୀଠ ରହିଛି। ଏପଟେ ରେଙ୍ଗାଳି ଜଳଭଣ୍ଡାର, ଡେରେଜାଙ୍ଗ ଜଳଭଣ୍ଡାର, ତାଳଚେର ରାଜବାଟୀ ପରି ଏକାଧିକ ପର୍ଯ୍ୟଟନସ୍ଥଳୀ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ହେଲେ ଏସବୁ  ପର୍ଯ୍ୟଟନସ୍ଥଳୀର ଆଖିଦୃଶିଆ ବିକାଶ ହୋଇପାରିନି।    

Advertisment

ଡିସେମ୍ବର ୧୫ ସୁଦ୍ଧା ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ
ଡେରେଜାଙ୍ଗ ଓ ରେଙ୍ଗାଳିରେ ପର୍ଯ୍ୟଟନ ପ୍ରକଳ୍ପକୁ ଗୁରୁତ୍ବ
ବିକଶିତ ହେବ ଦ୍ବିତୀୟ ଚିଲିକା

ସହର ଉପକଣ୍ଠରେ ଥିବା ଡେ‌ରେଜାଙ୍ଗ ଜଳଭଣ୍ଡାର ଏକଦା ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ ପାଲଟିଥିଲା।  ଏବେ ଏତେ ଅବ୍ୟବସ୍ଥା ଯେ ଲୋକେ ମୁହଁ ମୋଡ଼ୁଛନ୍ତି। ସେହିପରି ଟିକରପଡ଼ାରେ ଥିବା ବିଭିନ୍ନ କ୍ରୀଡ଼ା ସାମଗ୍ରୀ ନଷ୍ଟ ହୋଇଗଲାଣି। ଏଠାକୁ ଯାଉଥିବା ପର୍ଯ୍ୟଟକ କେବଳ ମହାନଦୀ ଗଣ୍ଡ ଓ କୁମ୍ଭୀର ଦେଖି ଫେରୁଛନ୍ତି। ଅଧିକ ସମୟ ବିତାଇବା ପାଇଁ କୌଣସି ସୁବିଧା ନାହିଁ। ସେହିପରି ବିଭିନ୍ନ ପ୍ରକୃତି ନିବାସ ଚମକ ହରାଇଲାଣି। ବିନିକେୟୀ ଓ ଦେଉଳଝରୀର ବିକାଶ ପାଇଁ ସେମିତି କିଛି ଠୋସ୍‌ ପଦକ୍ଷେପ ନିଆଯାଇନି। ଏଠାରେ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ପରି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲାନି। ସେହିପରି ଦ୍ବିତୀୟ ଚିଲିକା ଓ ମାଲ୍ୟଗିରି ପ୍ରଚାର ପ୍ରସାର ଅଭାବରୁ ପଛରେ ପଡ଼ି ଯାଇଛି। ଏଥିପାଇଁ ଅନୁଗୁଳକୁ ଆସୁଥିବା ପର୍ଯ୍ୟଟକ କେବଳ ଟିକରପଡ଼ା ବୁଲି  ଫେରି ଯାଉଛନ୍ତି। ତେଣୁ ପର୍ଯ୍ୟଟନ ମାନଚିତ୍ରରେ ଅନୁଗୁଳ ଏପର୍ଯ୍ୟନ୍ତ ନିଜ ଉପସ୍ଥିତିକୁ ଉପଯୁକ୍ତ ଢଙ୍ଗରେ ଜାହିର କରିପାରିନି। 

ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ନେଇ ଆଜି ସମୀକ୍ଷା କରାଯାଇଛି। ଅନୁଗୁଳ ଉପକଣ୍ଠ ଡେରେଜାଙ୍ଗ ଜଳଭଣ୍ଡାରରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେବ।ସେହିପରି ରେଙ୍ଗାଳି ଜଳଭଣ୍ଡାର ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଲୋଭୀ ଠାକୁରାଣୀଙ୍କ ପୀଠର ବିକାଶମୂଳକ କାମ ବି ହେବ। ଏପଟେ ଦ୍ବିତୀୟ ଚିଲିକାର ଉନ୍ନତୀକରଣ କାମ ଚାଲିଛି।  ପର୍ଯ୍ୟଟନ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶମୂଳକ କାମ ଚାଲିଛି। ଆସନ୍ତା ଡି‌ସେମ୍ବର ୧୫ ଭିତରେ ସମସ୍ତ କାମ ଶେଷ କରାଯାଇ ହସ୍ତାନ୍ତର କରିବାକୁ କୁହାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଡେରେଜାଙ୍ଗ ଓ ‌ରେଙ୍ଗାଳି ଜଳଭଣ୍ଡାରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।