ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆସିବା ପୂର୍ବରୁ ଦେଶର ସ୍ଥୁଳ ଅର୍ଥନୀତିରେ ଅସ୍ଥିରତା ଭରପୁର ଥିଲା। ମୋଦୀ ସରକାରଙ୍କ ୫ବର୍ଷ କାର୍ଯ୍ୟକାଳ ଭିତରେ ଆଉ ସେ ଅବସ୍ଥା ଦେଶରେ ନାହିଁ। ଭୁବନେଶ୍ବର ମେ ଫେୟାର ହୋଟେଲରେ ଆଉଟଲୁକ୍ ମାଗାଜିନ ପକ୍ଷରୁ ଆୟୋଜିତ ଓଡ଼ିଶା ବିକାଶ ପୁନଃପରିକଳ୍ପନା ଚିନ୍ତନ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦାବି କରିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। କହିଛନ୍ତି, ୨୦୨୫ ସୁଦ୍ଧା ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ହେଲେ ରାଜ୍ୟର ପର୍ଯ୍ୟଟନ ସମ୍ଭାର ଉପରେ ଆଧାରିତ ପର୍ଯ୍ୟଟନ ଶିଳ୍ପ, ଆଇଟି, ପୋଷାକ ଓ କୃଷି ପ୍ରକ୍ରିୟାକରଣ ଶିଳ୍ପ ଉପରେ ଗୁରୁତ୍ବ ଦିଆଯିବା ଦରକାର।

Advertisment

publive-image

ରବିବାର ଆଉଟଲୁକ୍ ମାଗାଜିନ୍ ପକ୍ଷରୁ ଆୟୋଜିତ ଭିଜନ ୨୦୨୫ ଅନ୍ତର୍ଗତ ଓଡ଼ିଶା ବିକାଶ ପାଇଁ ପୁନଃପରିକଳ୍ପନା ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥିଭାବେ ଯୋଗଦେଇ କେନ୍ଦ୍ର ବେସାମରିକ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ, ଆଜିର ଦୁନିଆରେ କୃଷି ଅର୍ଥନୀତିରୁ ଶିଳ୍ପ ଅର୍ଥନୀତି ମଡେଲ ବିକାଶ ପାଇଁ ଯଥେଷ୍ଟ ଫଳପ୍ରସୁ ହେଉନାହିଁ। ଏଥିରୁ ଉପରକୁ ଉଠି କୃଷି ସହିତ ପରିବେଶ ଅନୁକୂଳ କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ବ ଦେବାକୁ ପଡ଼ିବ। ଏହି ଅବସରରେ ରାଜ୍ୟର ବିକାଶ ପାଇଁ ଓଡ଼ିଶା ପୁନଃପରିକଳ୍ପନା ଶୀର୍ଷକ ଏକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଜେପି ନେତ୍ରୀ ତଥା ପୂର୍ବତନ ପ୍ରାଶାସିକା ଅପରାଜିତା ଷଡ଼ଙ୍ଗୀ କହିଥିଲେ,ଏଠି ଯୋଜନା ହୁଏ, କିନ୍ତୁ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ କେତେ ମାତ୍ରାରେ ପହଞ୍ଚୁଛି ତାକୁ କେହି ହିସାବ ରଖନ୍ତି ନାହିଁ। ଫଳରେ ଦେଶରେ ଦାରିଦ୍ର ସୂଚକାଙ୍କରେ ଓଡ଼ିଶା ୨୫ତମ ସ୍ଥାନରେ ରହିଛି। ପୂର୍ବତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର କହିଥିଲେ, ଦୀର୍ଘ ୧୫ ବର୍ଷ ଭିତରେ ଓଡ଼ିଶାର ବିକାଶ କିଛି ବି ହୋଇନି ବୋଲି କହିବା ଠିକ ନୁହେଁ। ଦାରିଦ୍ର ଦୂରୀକରଣ କରିବାରେ ଓଡ଼ିଶା ଜାତୀୟ ହାର ତୁଳନାରେ ଯଥେଷ୍ଟ ଆଗରେ ରହିଛି। କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଥିଲେ, ଓଡ଼ିଶାବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସରକାର କୌଣସି ସୁଚିନ୍ତିତ ଯୋଜନା କରିନାହାନ୍ତି। ୨୦ ବର୍ଷ ଧରି କେବଳ ସ୍ବପ୍ନକୁ ବାଣ୍ଟିଚାଲିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସଂସଦୀୟ ଦଳ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଓଡ଼ିଶାର ଜନଜାତିମାନଙ୍କର ଅଧିକାର, ସାମାଜିକ ଓ ଆର୍ଥିକ ବିକାଶ କରିବାରେ ରାଜ୍ୟ ସରକାରଙ୍କୁ ଅନେକ ସଫଳତା ମିଳିଛି। ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନାକୁ ଆଜି ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଆପଣାଇଛନ୍ତି।

ବିଶିଷ୍ଟ ଶିଳ୍ପପତି ରମେଶ ମହାପାତ୍ର କହିଥିଲେ, ରାଜ୍ୟରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ସରକାର ଅନେକ ନୂଆନୂଆ ନୀତି ଘୋଷଣା କରିଛନ୍ତି। କିନ୍ତୁ ତଳସ୍ତରରେ ଏହାକୁ କାର୍ଯ୍ୟକାରି କରିବାରେ ଥିବା ଅଧିକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ଅଭିଜ୍ଞତା ଅଭାବ ଯୋଗୁଁ ଏଥିରେ ସଫଳତା ମିଳିବାରେ ବିଳମ୍ବ ଘଟୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଦୀର୍ଘ ଦିନର ସ୍ଥିର ସରକାର ପରେ ବି ରାଜ୍ୟର ୩୦ଟି ଜିଲ୍ଲାରୁ ୨୦ଟି ଜିଲ୍ଲାର ଶିଶୁମାନେ ପୁଷ୍ଟି ହୀନତା, ରକ୍ତହୀନତାରେ ଆଫ୍ରିକା ଦେଶମାନଙ୍କଠାରୁ ବି ଖରାପ ସ୍ଥିତିରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟକ୍ରମକୁ ଲୋକେ ଗ୍ରହଣ କରିଥିବାରୁ ବିଜେପିକୁ ଆସନ୍ତା ନିର୍ବାଚନରେ ଲାଭ ହେବ।