ଆଜିଠାରୁ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ଜାତୀୟ ସମ୍ମିଳନୀ

୨୪ରେ ଯୋଗଦେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କ ସମ୍ମିଳନୀ ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହେଉଛି। ଏହା ଦୁଇ ଦିନ ଧରି ଚାଲିବ। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗଦେବେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗଦେବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହା ବାତିଲ୍‌ ହୋଇଯାଇଛି। ୨୪ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ ଯୋଗ ଦେବେ। ଏହି ଦୁଇ ଦିନିଆ ସମ୍ମିଳନୀରେ ସାରା ଦେଶର ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହେବ। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ବେଳାଭୂମିରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ‌ଏବଂ ସେଠାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀ ହେଉଥିବାରୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଇକୋ ରିଟ୍ରିଟ୍‌ରେ ମନ୍ତ୍ରୀ ଓ ସଚିବମାନଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାର ପର୍ଯ୍ୟଟନକୁ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସାମ୍ନାରେ ରଖାଯିବ। ଏହା ଦ୍ବାରା ରାଜ୍ୟର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ।

ସମ୍ବନ୍ଧିତ ଖବର