ଭୁବନେଶ୍ବର : ବିରୋଧୀ ତମ୍ବିତୋଫାନ କରିବା ସତ୍ତ୍ବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର ଏକପ୍ରକାର କ୍ଲିନଚିଟ୍ ଦେଇଛନ୍ତି। ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ବିବୃତି ଦେଇ କହିଛନ୍ତି ଯେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ବେଳେ ତାଙ୍କ ଛଡା ଆଉ କାହା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇନାହିଁ। ଦୁଇ ଜଣ ମହିଳାଙ୍କ ସହିତ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ନେଇ ଗତକାଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ େଘରିଥିଲେ। ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଅଚଳ କରିଦେଇଥିଲେ ଗୃହକୁ। ଅନ୍ୟପକ୍ଷରେ ବାଚସ୍ପତିଙ୍କ ନିର୍ଦେଶକ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ।
ଆଜି ଶୂନ୍ୟକାଳରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଇ ଯିବା ଘଟଣା ବିଧାନସଭାରେ ଉଠିଥିଲା। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ ଯେ କେଉଁ ଅଧିକାରରେ ସରକାରୀ ଖର୍ଚ୍ଚରେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇଥିଲେ ସେ ନେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସ୍ପଷ୍ଟୀକରଣ ଦିଅନ୍ତୁ। ଏମାନେ କିଏ ତାହା ଗୃହ ସାମ୍ନାକୁ ଆସିବା ଦରକାର। ଶ୍ରୀ ପାଣିଗ୍ରାହୀ ଆଉ ମନ୍ତ୍ରୀପଦରେ ରହିବାର ଅଧିକାର ନାହିଁ। ତେବେ ବିଜେପିର ଅନ୍ୟ ବିଧାୟକମାନେ ଏ ପ୍ରସଙ୍ଗରେ ନିରବ ରହିଥିଲେ।
ଏପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଥିଲେ। କହିଥିଲେ, େକନ୍ଦ୍ରାପଡ଼ାର ସାରଥୀ ବାବା ଜଣେ ଝିଅଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ େବାଲି ତାଙ୍କୁ ବନ୍ଧାଗଲା। ସେ ଜେଲ ଗଲେ। ମନ୍ତ୍ରୀ ଦୁଇଜଣଙ୍କୁ ନେଇ ଗଲେ, କିଛି ବି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯେଉଁ ଚିଠି ଲେଖିଛନ୍ତି, ସେଥିରେ ମନ୍ତ୍ରୀଙ୍କ ନାମ ପୂରା ଲେଖାଅଛି। ସଂପୃକ୍ତ ମହିଳାଙ୍କ ନାମ ସଂକ୍ଷିପ୍ତ ଲେଖାଯିବା ପଛର କାରଣ କଣ?
ଶ୍ରୀ ସାଲୁଜା କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ଉପରେ ଆଜି ଯାଏ ଏଭଳି ଅଭିଯୋଗ କେବେ ଆସିନାହିଁ। ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ଲଜ୍ଜାଜନକ। ‘୫-ଟି’ ସରକାରରେ ବିଧାୟକଙ୍କୁ ଘର ମିଳୁନି। କିନ୍ତୁ ସରକାରୀ ଟଙ୍କାରେ ଅଏସ ଆରାମ କରାଯାଉଛି। ଏଭଳି କଳଙ୍କ ତାଙ୍କ ମନ୍ତ୍ରିମଣ୍ଡଳରେ ରଖିବା ଠିକ୍ ନୁହେଁ। ତାଙ୍କୁ ତୁରନ୍ତ ବରଖାସ୍ତ କରାଯିବା ଦରକାର।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗକୁ ଅତି ଲଜ୍ଜାଜନକ ବୋଲି କହି ଗୃହ ମଧ୍ୟକୁ ମାଡ଼ି ଆସିଥିଲେ। ପରେ ପରେ କଂଗ୍ରେସର ସମସ୍ତ ବିଧାୟକ ଗୃହ ମଧ୍ୟରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରବାଜି କରିଥିଲେ। ଗୃହରେ ଅଚଳାବସ୍ଥା ସୃଷ୍ଟି େହାଇଥିଲା ଓ ବାଚସ୍ପତି ଗୃହକୁ ପ୍ରଥମେ ୩୦ମିନିଟ୍ ଓ ପରେ ୧୦ ମିନିଟ୍ ପାଇଁ ମୁଲତବୀ କରିଥିଲେ। ତଥାପି ସ୍ଥିତି ସ୍ବାଭାବିକ ନ ହେବାରୁ ବିଧାନସଭାକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରାଯାଇଥିଲା।
ଅପରାହ୍ନ ଅଧିବେଶନରେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ହୋଇନଥିଲା। କଂଗ୍ରେସ ସହିତ ହଟ୍ଟଗୋଳରେ ବିଜେପି ବିଧାୟକମାନେ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଗୃହକୁ ଅପରାହ୍ନରେ ହିଁ ୪ ଥର ମୁଲତବୀ କରିଥିଲେ ବାଚସ୍ପତି। ପରେ ବାଚସ୍ପତି ନିଜ ରୁଲିଂ ସଂଶୋଧନ କରି ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଥିଲେ। ପୂର୍ବରୁ ମନ୍ତ୍ରୀଙ୍କୁ ବିବୃତି ରଖିବାକୁ କୁହାଯାଇଥିଲା।
ସନ୍ଧ୍ୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ବିବୃତିରେ କହିଥିଲେ ଯେ ଗତ ୪ ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ରୋଡ଼ ସୋ ପାଇଁ ହାଇଦ୍ରାବାଦ ଯାଇଥିଲେ। ହେଲେ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଖର୍ଚ୍ଚ କରାଯାଇ ନାହିଁ। ତେବେ ସଂପୃକ୍ତ ମହିଳା କିଏ ଓ କାହିଁକି ତାଙ୍କ ସହ ଯାଇଥିଲେ ବୋଲି ବିେରାଧୀଙ୍କ ପ୍ରଶ୍ନର କୌଣସି ଉତ୍ତର ମନ୍ତ୍ରୀଙ୍କ ବିବୃତିରେ ନଥିଲା।