ଓଟିଡିସି ପକ୍ଷରୁ ବଲାଙ୍ଗୀର- ହରିଶଙ୍କର ବସସେବା ଶୁଭାରମ୍ଭ, ପର୍ଯ୍ୟଟନ କାର୍ଯ୍ୟାଳୟ ନୂତନ କୋଠା ପାଇଁ ଶିଳାନ୍ୟାସ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପର୍ଯ୍ୟଟକଙ୍କୁ ଯିବା ଆସିବାରେ ସୁବିଧା କରିବା ପାଇଁ ସୋମବାର ଏକ ବସ୍‌ ସେବାର ଶୁଭାରମ୍ଭ କରାଯାଇଛି। ୨୫ଟି ସିଟ ଥିବା ଏକ ଶୀତତାପନିୟନ୍ତ୍ରିତ ବସସେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ସ୍ଥାନୀୟ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମେନେଜମେଣ୍ଟ (ଏସ୍‌ଆଇଏଚ୍‌ଏମ୍) ପରିସରରୁ ବସଟି ବାହାରି ହରିଶଙ୍କର ଅଭିମୁଖେ ଯାତ୍ରା କରିଥିଲା। ପ୍ରାୟ ୨୦ଜଣ ଯାତ୍ରୀ ସୋମବାର ହରିଶଙ୍କରକୁ ଯାତ୍ରା କରିଥିଲେ। ଏହି ବସ ପ୍ରତ୍ୟେକ ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରେ ସରକାରୀ ବସଷ୍ଟାଣ୍ଡରୁ ବାହାରି ହରିଶଙ୍କରକୁ ଯିବ। ସେହିପରି ପର୍ଯ୍ୟଟକ ଚାହିଁଲେ ଆବଶ୍ୟକ ଅର୍ଥ ପୈଠକରି ବଣଭୋଜି ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ବୁକିଂକରି ବସକୁ ନେଇ ପାରିବେ। ସେହିପରି ଆର୍‌ଟିଓ ଅଫିସ ଛକରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ନୂତନ କୋଠା ପାଇଁ ମଧ୍ୟ ଶିଳାନ୍ୟାସ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାର ଶିଳାନ୍ୟାସ କରିଥିଲେ। ଏହି ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର ଦଳେଇ, ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ସୁରେଶ କୁମାର ଉପସ୍ଥିତଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର ଐତିହାସିକ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ଉନ୍ନତି ପାଇଁ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ତାହା କାମ ଆରମ୍ଭ ହୋଇ ପାରିନଥିଲା। ଆଜି ଏହାର ଶିଳାନ୍ୟାସ କରାଯାଇ କାମ ଆରମ୍ଭ କରାଯାଇଛି। ଓଟିଡିସି ଏହାକୁ କରୁଛି। ଆଗକୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବଲାଙ୍ଗୀରରେ ଗେଷ୍ଟହାଉସର ସୁବିଧା କରାଯିବାକୁ ସରକାର ପ୍ରସ୍ତାବ କରିଥିବା ଶ୍ରୀମତୀ ମିଶ୍ର କହିଛନ୍ତି। ପରେ ଅଧ୍ୟକ୍ଷା ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରିକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ମେହେର, ପୂର୍ବ ବିଡିସିସି ସଭାପତି ଲକ୍ଷ୍ମଣ ମେହେର, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୁ ବାଗ, ମୁକୁନ୍ଦପୁର ସରପଞ୍ଚ ବାଳକ ପଧାନ ପ୍ରମୁଖ ସ୍ୱାଗତ ଜଣାଇ ଭୀମଡୁଙ୍ଗୁରିର ଉନ୍ନୟନ ପାଇଁ ଦାବି ରଖିଥିଲେ। କରୋନା ସଂକଟ ଟଳିଲେ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର