ସମ୍ବଲପୁର : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ମହାନଗର ନିଗମର ଏକ ଗୁରୁତ୍ବପୁର୍ଣ୍ଣ ସହର ହୀରାକୁଦ। ହୀରାକୁଦ ନଦୀବନ୍ଧ ସମଗ୍ର ଦେଶରେ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ । ସହରର ଅନ୍ୟ ଐତିହାସିକ ସ୍ଥଳୀର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ଅର୍ଥ ବିନିଯୋଗ କରୁଥିବା ବେଳେ ହୀରାକୁଦ ଭଳି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀକୁ ଯେମିତି ଭୁଲି ଯାଇଛି। ରହଣିସ୍ଥଳ, ବିଶ୍ରାମ ଗାର, ଶୈାଚାଳୟ, ପାନୀୟଜଳ ଓ ସ୍ବାସ୍ଥ୍ୟସେବା ପରି ମୈାଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ହୀରାକୁଦକୁ ଆସୁଥିବା ପର୍ଯ୍ୟଟକ। ହୀରାକୁଦ ଜଳଭଣ୍ଡାରକୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ବୁଲିବାକୁ ଆସିଥାନ୍ତି। କିନ୍ତୁ ଏଠାରେ ଗୋଟିଏ ମଧ୍ୟ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇନାହିଁ। ଏଥିସହ ଯାତ୍ରୀମାନେ ବହୁ ଦୂରରୁ ଆସୁଥିବା ବେଳେ ଗାଡ଼ି ରଖିବା ପାଇଁ ଉତ୍ତମ ବସ୍ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଇନାହିଁ। ଯେଉଁ ବସ୍ଷ୍ଟାଣ୍ଡଟି ରହିଛି ତାହା ଗାଡି ରଖିବା ପାଇଁ ପର୍ଯ୍ୟାପ୍ତ ହେଉନଥିବା ବେଳେ ବ୍ୟକ୍ତିଗତ ଗାଡି ଗୁଡିକ ଏଠିକାର ସ୍ଥାନ ଅଧିକାର କରିନେଉଛନ୍ତି। ଏଥିସହ ପାନୀୟ ଜଳଯୋଗାଣ ଅଭାବରୁ ଏଠାକୁ ପିକ୍ନି୍କ୍ ପାଇଁ ଆସୁଥିବା ପର୍ଯ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଏହା ନୁହେଁ ବରଂ ସ୍ବଚ୍ଛତା ଠାରୁ ମଧ୍ୟ ବହୁ ଦୂରରେ ରହିଛି ହୀରାକୁଦ। ଏଠାରେ ଶୈାଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ନଥିବା ପରି ମନେ ହୁଏ। ଶୈାଚାଳୟର ରକ୍ଷଣାବେକ୍ଷଣା ଠିକ୍ ରୂପେ ହେଉନଥିବା ବେଳେ ଏଠାକାର କାନ୍ଥ ଗୁଡ଼ିକ ଫାଟି ଆଁ କରିଛି। ଫଳରେ କାଁ ଭାଁ ଦେଖିବାକୁ ମିଳୁଥିବା ଗୋଟେ ଅଧେ ଶୈାଚାଳୟ ମଧ୍ୟ ଅଧିକାଂଶ ସମୟ ବନ୍ଦ ହୋଇରହୁଛି। ଶୈାଚାଳୟରେ ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଏନେଇ ଏସ୍ଏମ୍ସି ଡେପୁଟି କମିସନର ସୁଧାଂଶୁ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପର୍ଯ୍ୟାପ୍ତ ପରିମାଣର ଶୈାଚାଳୟ ଥିବା କଥା କହିଥିବା ବେଳେ ଏବଂ ଏନ୍ଏସି ପକ୍ଷରୁ ନୂତନ ବିଶ୍ରାମାଗାର ନିର୍ମାଣ ହେଉଛି ବୋଲି କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp