ଯାଜପୁର/ଟମକା: ଜଙ୍ଗଲ ବିଭାଗ ଦ୍ବାରା ଡିଏମ୍ଏଫ୍ (ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍) ପାଣ୍ଠିରୁ ୭.୯୩ କୋଟି ଟଙ୍କା ବ୍ୟୟରେ ଯାଜପୁର ଟମକାଠାରେ ଆରମ୍ଭ ହୋଇଥିବା ଜୈବ ବିବିଧତା ଉଦ୍ୟାନର ଅକାଳ ମୃତ୍ୟୁ ହେବାକୁ ଯାଉଛି। ଏହି ଉଦ୍ୟାନ ମଧ୍ୟରେ ନିର୍ମିତ ଶୀତତାପ ନିୟନ୍ତ୍ରିତ ୬ଟି ବଙ୍ଗଳା ଏବେ ଭୂତକୋଠିରେ ପରିଣତ ହୋଇଛି। ବିଦ୍ୟୁତ୍ ନାହିଁ କି ଜଳଯୋଗାଣ ବ୍ୟବସ୍ଥା ହୋଇନାହିଁ। କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ପ୍ରକଳ୍ପର ଅନେକ ଅଂଶ ଓ ସରଞ୍ଜାମ ନଷ୍ଟ ହେବାକୁ ବସିଛି। ପ୍ରକଳ୍ପ ଜଗାରଖା ପାଇଁ କର୍ମଚାରୀ ବି ନାହାନ୍ତି। ସ୍ଥାନୀୟ ଲୋକ ଏହି ଉଦ୍ୟାନକୁ ଆସି ନିରାଶ ହୋଇ ଫେରୁଛନ୍ତି। ସରକାରଙ୍କ ତହବିଲରୁ ବ୍ୟୟ ହୋଇଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ିବା ସାର ହୋଇଛି ବୋଲି ଚର୍ଚ୍ଚା ହେଉଛି।
୭.୯୩ କୋଟିର ଜୈବ ବିବିଧତା ଉଦ୍ୟାନର ଅକାଳ ମୃତ୍ୟୁ!
୬ଟି ଶୀତତାପ ନିୟନ୍ତ୍ରିତ ବଙ୍ଗଳା ଭୂତକୋଠି
ପ୍ରକାଶଥାଉକି, ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପରିବେଶ ସୁରକ୍ଷା ଲକ୍ଷ୍ୟ ନେଇ ୨୦୨୩ ଫେବ୍ରୁଆରି ୨୬ ତାରିଖରେ ଦାନଗଦୀ ବ୍ଲକ୍ ତଥା ଜଙ୍ଗଲ ବିଭାଗର ଟମକା ରେଞ୍ଜ ଅଧୀନରେ ୬୦ ହେକ୍ଟର ଜଙ୍ଗଲ ଜମିରେ ଜୈବ ବିବିଧତା ଉଦ୍ୟାନର ପରିକଳ୍ପନା କରାଯାଇଥିଲା। ୨୨ଏକର ଜମିରେ ଏହି ପ୍ରକଳ୍ପ ଆଂଶିକ ଭାବେ କରାଯାଇ ଉଦ୍ଘାଟନ କରାଯାଇଥିବା ବେଳେ ଏ ବାବଦରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବିପୁଳ ଅର୍ଥ ବ୍ୟୟ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ପରିତ୍ୟକ୍ତ ଜଙ୍ଗଲରେ ପରିଣତ ହୋଇଛି। ପ୍ରକଳ୍ପ ମଧ୍ୟରେ ନିର୍ମିତ ୬ଟି ଶୀତତାପ ନିୟନ୍ତ୍ରିତ ବଙ୍ଗଳା ମଧ୍ୟରେ ପିଇବା ପାଣିର ବ୍ୟବସ୍ଥା ନଥିବାବେଳେ ବିଲ୍ ପୈଠ ହୋଇନଥିବାରୁ ବହୁଦିନରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି। ପରିଚାଳନାଗତ ତ୍ରୁଟି ପାଇଁ ସୌରଶକ୍ତି ପ୍ରକଳ୍ପ ଅଚଳ ପଡ଼ିଛି।
ଜଙ୍ଗଲ ବିଭାଗ ସ୍କ୍ବାଡ୍ର ୪ଜଣ ଦିନମଜୁରିଆ ଉଦ୍ୟାନ ପରିସରରେ ରହୁଛନ୍ତି। ପ୍ରକଳ୍ପ ଦାୟିତ୍ବରେ କୌଣସି କର୍ମଚାରୀ ନାହାନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଇଥିବା ପ୍ରକଳ୍ପ ଓ ନିକଟରେ ବହିଯାଉଥିବା ଝରଣାକୁ ଉପଯୋଗ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧିର ସୁଯୋଗ ଏଠାରେ ରହିଛି। ମାତ୍ର ଜଙ୍ଗଲ ବିଭାଗର ଚରମ ଉଦାସୀନତା ଯୋଗୁଁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ଏହାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଗତ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ବର୍ତ୍ତମାନର ସରକାର ଆଗେଇ ନେଲେ ଆଗାମୀ ଦିନରେ ଯାଜପୁର ଜିଲ୍ଲାର କୁସୁମା ପ୍ରକଳ୍ପଠାରୁ ଏହି ପ୍ରକଳ୍ପ ବହୁଗୁଣରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିବ। ରାଜନୀତି ଛକାପଞ୍ଝା ମଧ୍ୟରେ ଏହି ମହତ୍ ପ୍ରକଳ୍ପକୁ ମାରିବାକୁ ଦିଆନଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/09/WChgM1aCtX2EJbbP79q6.jpg)