ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ, ପ୍ରଦର୍ଶନୀ (ଏମ୍ଆଇସିଇ) ଏବଂ ବିବାହ ପର୍ଯ୍ୟଟନର ବର୍ଦ୍ଧିତ ସମ୍ଭାବନାକୁ ଖୋଜିବା ପାଇଁ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଧିବେଶନରେ ୮୧୫୩ କୋଟି ମୂଲ୍ୟର ୧୨୧ଟି ପ୍ରକଳ୍ପ ପାଇଁ ନିବେଶ ଘୋଷଣା କରାଯାଇଥିଲା। ତାହା ହୋଟେଲ, ମନୋରଞ୍ଜନ ପାର୍କ, ଜଳକ୍ରୀଡ଼ା, କାରାଭାନ କ୍ୟାମ୍ପିଂ ଏବଂ ରିସୋର୍ଟ ଆଦି କ୍ଷେତ୍ରରେ କାର୍ଯ୍ୟକାରୀ ହେବ। କୋରାପୁଟ, ଗଜପତି, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ଭଳି ଅଞ୍ଚଳରେ ୨୩ଟି ରିସୋର୍ଟ ପ୍ରକଳ୍ପର ବିକାଶ ପାଇଁ ୨୩୮୭ କୋଟି ଟଙ୍କା ନିବେଶ ପ୍ରସ୍ତାବ ଆସିଛି। ପୁରୀ, ସମ୍ବଲପୁର, ପାରାଦୀପ, ଗୋପାଳପୁର, ଗଞ୍ଜାମ, ଭୁବନେଶ୍ୱରରେ ୪୭ଟି ହୋଟେଲ ପ୍ରକଳ୍ପରେ ୩୭୯୨ କୋଟି ଟଙ୍କା ନିବେଶ ହେବାକୁ ଯାଉଛି। ଏହା ବ୍ୟତୀତ ୩୦ଟି ମୋଟେଲ ବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପ ୨୪୬ କୋଟି ଟଙ୍କା ବିନିଯୋଗକୁ ଆକର୍ଷିତ କରିଛି।
ସେହିପରି, ପୁରୀ, ଖୋର୍ଦ୍ଧା, ଚିଲିକା, ସୁନ୍ଦରଗଡ଼, କଟକରେ ୯ଟି ଜଳକ୍ରୀଡା ଏବଂ କ୍ରୁଜ୍ ପ୍ରକଳ୍ପରେ ୫୫୪ କୋଟି ଟଙ୍କା ନିବେଶର ସୁଯୋଗ ମିଳିଛି। ୪ଟି ଦୁଃସାହସିକ କ୍ରୀଡ଼ା ପଦକ୍ଷେପରେ କୋରାପୁଟ ଏବଂ ସୁନ୍ଦରଗଡ଼ରେ ୨୩ କୋଟି ଟଙ୍କା ନିବେଶର ଲକ୍ଷ୍ୟ ରହିଛି। ବହୁ-ଉପଯୋଗୀ ଆତିଥ୍ୟ କେନ୍ଦ୍ର ଉପରେ ଅତିରିକ୍ତ ଧ୍ୟାନ ଦେବା ଦ୍ୱାରା ୧୦୬୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। କାରାଭାନ ଏବଂ କ୍ୟାମ୍ପିଂ ପର୍ଯ୍ୟଟନରେ ଯଥାକ୍ରମେ ୫୮ କୋଟି ଏବଂ ୨.୯୫ କୋଟି ଟଙ୍କାର ନିବେଶ ହାସଲ ହୋଇଛି। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଏବଂ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ସହଭାଗିତା ନୂତନ ସଂଗ୍ରହାଳୟ ଏବଂ ବ୍ୟାଖ୍ୟା କେନ୍ଦ୍ର ବିକାଶ କରି ରାଜ୍ୟର ସାଂସ୍କୃତିକ ପର୍ଯ୍ୟଟନକୁ ସମୃଦ୍ଧ କରିବା, ଓଡ଼ିଶାର ସଂଗ୍ରହାଳୟ ପ୍ରଦାନକୁ ଆହୁରି ବୃଦ୍ଧି କରିବା ଏବଂ ଏକ ପ୍ରମୁଖ ସାଂସ୍କୃତିକ ଗନ୍ତବ୍ୟସ୍ଥଳ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ,ଐତିହ୍ୟ ଏବଂ ସଂସ୍କୃତି ସମୃଦ୍ଧ ରାଜ୍ୟ ହେଉଛି ଆମ ଓଡ଼ିଶା। ମନ୍ଦିରମାଳିନୀ ରାଜ୍ୟ ଓଡ଼ିଶାରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଆଦି ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ଏଥିସହ ପ୍ରାକୃତିକ ଶୋଭାରେ ବିମଣ୍ଡିତ ଆମ ରାଜ୍ୟ ଓଡ଼ିଶା ବନରାଜି, ଅଭୟାରଣ୍ୟ, ନଦୀ, ହ୍ରଦ, ସମୁଦ୍ର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପରିପୂର୍ଣ୍ଣ। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ହେବା ଦ୍ୱାରା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥିସହିତ ଆମ ବିକାଶର ଯାତ୍ରା ଆହୁରି ମଧ୍ୟ ଅଗ୍ରସର ହୋଇପାରିବ। ତେଣୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହିଁ ପ୍ରକୃଷ୍ଟ ସମୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତପ୍ରକାଶ କରିଥିଲେ।
ଏହି ଅବସରରେ ମୁଖ୍ୟ ସଚିବ ମନୋଜ ଆହୁଜା, ପର୍ଯ୍ୟଟନ ସଚିବ ବଲ୍ୱନ୍ତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାରୋ ଅଧ୍ୟକ୍ଷ ଜେକେ ମହାନ୍ତି, ଆଇଏଟିଓ ପଶ୍ଚିମବଙ୍ଗ ଶାଖାର ଅଧ୍ୟକ୍ଷ ଦେବଜିତ ଦତ୍ତା, ଏମ୍ଏଚ୍ଆର୍ଆଇଏଲ୍ର ଉପ-ସଭାପତି ଅମିତ୍ ମହାଜନ, ରାଡିସନ୍ ହୋଟେଲ୍ସ ଗ୍ରୁପ୍ ବାଣିଜ୍ୟ ବିକାଶ - ଦକ୍ଷିଣ ଏସିଆ ଦେବାଶିଷ ଶ୍ରୀବାସ୍ତବ, ଆସ୍କଟ୍ ହୋଟେଲ୍ସର କଣ୍ଟ୍ରି ହେଡ୍ ବିକାଶ ରାୟ, ଆଇଟିସି ହୋଟେଲ୍ସର ଉପାଧ୍ୟକ୍ଷ ଜୁବିନ୍ ସୋଙ୍ଗାଡୱାଲା, ଆଇଏଚ୍ସିଏଲ୍ର ପୂର୍ବତନ ଉପାଧ୍ୟକ୍ଷ ଦିନେଶ ଚଢ଼ା, ଆଇସିପିବିର ପୂର୍ବତନ ଉପାଧ୍ୟକ୍ଷ ଅମରେଶ ତିୱାରୀ ଏବଂ ୭ଏକ୍ସ ୱେଡିଂସ୍ର ପ୍ରତିଷ୍ଠାତା ଦେବାଙ୍ଗ ଶାହ ଉପସ୍ଥିତ ଥିଲେ। ଆଟ୍ମୋସ୍ପିୟର ହସ୍ପିଟାଲିଟି, ଉତ୍କଳ ବିଲଡର୍ସ, ଏସ୍ଏନ୍ଏମ୍ ହୋଟେଲ ଆଣ୍ଡ ରିସୋର୍ଟସ୍, ପ୍ରଭୁକୃପା ଇଷ୍ଟେଟ ଆଣ୍ଡ୍ ପ୍ରପର୍ଟିଜ୍, କାମ୍ନାଥ୍ ହୋଟେଲସ୍ ଇଣ୍ଡିଆ , ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକସନ୍, ଏ କେ ଦାସ ଆସୋସିଏଟ, କାସ୍ଭି ହଲିଡେ, ଆଇଟିସି ଆଦି ସଂସ୍ଥା ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।