ଭୁବନେଶ୍ବର : ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି। ଓଡ଼ିଶାରେ ସୃଷ୍ଟି ହୋଇଥିବା ବ୍ୟାପକ ସୁଯୋଗ ଏଥର ଆଶାତୀତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ହାରୋ ଅଧ୍ୟକ୍ଷ ଜେକେ ମହାନ୍ତି। ଓଡ଼ିଶା ଦେଶର ସ୍ପୋର୍ଟ କ୍ୟାପିଟାଲ ଭାବରେ ପରିଗଣିତ ହେବା ପରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଅନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରରେ ଉଦ୍ୟମ ମଧ୍ୟ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ବୋଲି ସେ କହିଛନ୍ତି।
୪୮୨ କିଲୋମିଟର ଦୀର୍ଘ ବେଳାଭୂମି, ପାହାଡ଼, ପର୍ବତ, ହ୍ରଦ, ପ୍ରାକୃତିକ ଜୈବ ବିବିଧତା, ନଦୀ ହେଉଛି ଓଡ଼ିଶା ପର୍ଯ୍ୟଟନର ମୂଳ ପିଣ୍ଡ। ଏହା ବାଦ୍ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି, ପର୍ବପର୍ବାଣୀ, ବନ୍ୟପ୍ରାଣୀ, କୀର୍ତ୍ତିରାଜି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ପ୍ରମୁଖ ମାଧ୍ୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେଇଛନ୍ତି। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ସହ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଘୋଷଣା, ଇକୋ ରିଟ୍ରିଟ୍, ନୌଚାଳନା, କ୍ୟାମ୍ପିଂ ଏହି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି।
ସରକାରୀ ନୀତି କୋହଳ ହେବା ସହ ପର୍ଯ୍ୟଟନସ୍ଥଳର ପୁନରୁଦ୍ଧାର କରାଯାଇଛି। ଓଡ଼ିଶା ସ୍ପୋର୍ଟସ୍ ହବ୍ ହେଲା ପରେ ସରକାର ପର୍ଯ୍ୟଟନ ବିକାଶ ପାଇଁ ସ୍ବତନ୍ତ୍ର ଦରରେ ଜମି ଯୋଗାଇ ଦେଉଛନ୍ତି। ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ୪ରୁ ୫ ହଜାର ହୋଟେଲ ରୁମ୍ ପ୍ରସ୍ତୁତ କରିବା ଯୋଜନା ରଖିଛନ୍ତି। ଭୁବନେଶ୍ବରକୁ ଅଧିକରୁ ଅଧିକ ଘରୋଇ ବିମାନ ଚଳାଚଳ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ନୂଆ ସୁଯୋଗ ସୃଷ୍ଟି କରିଛି। ଏହା କେବଳ ପର୍ଯ୍ୟଟକଙ୍କ ପାଇଁ ସୁଯୋଗ ସୃଷ୍ଟି କରିନାହିଁ ବରଂ ଏହି କ୍ଷେତ୍ରରେ ନିବେଶକଙ୍କୁ ପୁଞ୍ଜିନିବେଶର ସୁଯୋଗ ଦେଇଛି ବୋଲି ସେ କହିଛନ୍ତି।