ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ସଂଖା ୯ ପ୍ରତିଶତ ବଢିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ଅଭିବୃଦ୍ଧି  ୯% ରହିଛି ଯାହାକି ବିଶ୍ୱସ୍ତରୀୟ ଅଭିବୃଦ୍ଧି ହାରୁ ୪% ଅଧିକ । ଓଡ଼ିଶାର ବିଶ୍ୱପ୍ରଶିଦ୍ଧ କଳା, ମନ୍ଦିର କାରୁକାର୍ଯ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାର ପର୍ଯ୍ୟଟନକୁ ବିକାଶ କରିବାରେ ସହାୟକ ହୋଇପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣକୁ ଉଦଘାଟନ କରି ସେ କହିଛନ୍ତି ଯେ ରାଜ୍ୟ ଦ୍ୱାରା ପରିଚାଳିତ କେତେକ ପ୍ରମୁଖ ଖେଳ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କ ଆଗମନକୁ ପ୍ରୋତ୍ସାହିତ କରିଥିବାବେଳେ ଖେଳ ପର୍ଯ୍ୟଟନ ବହୁଳ ମାତ୍ରାରେ ବିକଶିତ ହୋଇପାରିଛି । ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ବନ୍ଦର ସୁବିଧା ପ୍ରଦାନ କରାଯାଇଥିବା ସହିତ ନିକଟରେ ଝାରସୁଗୁଡ଼ାରେ ଏକ ବ୍ୟବସାୟିକ ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଛି ।”

ଅକ୍ଟୋବର ୧୪-୨୦ ତାରିଖ ପର୍ଯ୍ୟନ୍ତ ହୋବକୁଥିବା ଏହି ସାତ ଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି ।

ଏହି ଅବସରରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ଏହି ସମ୍ମିଳନୀରେ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସହ ପରିଚିତ କରାଇବା ଲାଗି ଟୁର୍ ଅପରେଟରମାନଙ୍କୁ ପରିଦର୍ଶନରେ ନିଆଯିବ । ଅକ୍ଟୋବର ୧୮-୨୦ ତାରିଖ ତିନି ଦିନ ପର୍ଯ୍ୟନ୍ତ ବାୟର-ସେଲର ମିଟ୍ (କ୍ରେତା ବିକ୍ରେତା ସମ୍ମିଳନୀ) ଆୟୋଜନ କରାଯିବ ।

ଏହି ଉଦଘାଟନୀ ସମାରୋହ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୌଭାଗ୍ୟ ମହାପାତ୍ର, ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ, ଜେ.କେ ମହାନ୍ତି, ଫିକି ନ୍ୟାସନାଲ ଟ୍ୟୁରିଜିମ୍ କିମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ଗ୍ରୁପର ସିଏମଡ଼ି, ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର